ସପନର ଇତିକଥା
ସପନର ଇତିକଥା
ଆମ ସପନର ରାଜ କୁମାରଟା
ରାଜ ଉଆସରେ ଅଛି
ଜୀବନ ର ମୂଳଦୁଆ ଚାଳଘରେ
ଡିବିରି ବତୀ ଜଳୁଛି ।
ନିଜ ଜୀବନର ବିସର୍ଜିତ ସ୍ୱପ୍ନ
ନିଗିଡ଼ା ଲୁହରେ ଭିଜେ
ଯେଉଁ ସ୍ୱପ୍ନ ପାଇଁ ଅଜସ୍ର ଲଢେଇ
ସୁଖେ ତା ଜୀବନ ସାଜେ ।
ସପନରେ ପର ଲାଗିଗଲା ସିନା
ମାଟି ମାଆ ଢାଳେ ଲୁହ
ବେଦନା କାନ୍ଥରେ ସ୍ମୃତି ଚାରୁଚିତ୍ର
ଜାବୁଡ଼େ ତ ମାଟି ମୋହ ।
ଆୟୁଷ ଶିଳାରେ ବୟସର ଦାଗ
ମାଟି ବାରଣ୍ଡାର କ୍ଷୋଭ
ନଡା ଛାଉଣୀ କି ବାହୁନି କାନ୍ଦୁଛି
ତଥାପି ମନାସେ ଶୁଭ ।
ବିଦେଶ ମାଟିରେ ଉଚ୍ଚ ଅଟ୍ଟାଳିକା
ଅଟ୍ଟହାସ୍ୟ ସତେ କରେ
କି ସପନ ତୁହି ସଜାଇଲୁ କହ
ସ୍ମିତ ହାସେ ବୁକୁ ଚ଼ିରେ ।
ବଡ଼ ସପନଟା ମହଙ୍ଗା ପଡିଲା
ଭିଟାମାଟି ଆଜି କାନ୍ଦେ
ଅଣଦେଖା ପଣେ ହିନମନ୍ୟତାରେ
ନିଜର ଭାଗ୍ୟକୁ ନିନ୍ଦେ ।
ଜୀବନ ଚାଳିଶା ବେଦନା ପରଶା
ପ୍ରଶ୍ନମୟ ପ୍ରତି ପୃଷ୍ଠା
ଶିକ୍ଷା ଚୌହଦୀରେ ସଂସ୍କାରର ମଞ୍ଜି
ଖୋଜିଲେ ମିଳେ ହତାଶା ।
କର୍ତ୍ତବ୍ୟ କୁଞ୍ଜରେ ଫୁଲ ଆତ୍ମାହୂତି
ମଉଳା ଫୁଲଙ୍କ ଭିଡ
ଜୀବନ ଜିଜ୍ଞାସା ପଥ ଆଜି ଫାଙ୍କା
ଜୀବନର ଭିନ୍ନ ମୋଡ଼ ।
ଜନ୍ମଦାତା ଆଜି କର୍ମ ଦୋଷ ଖୋଜେ
ଭଙ୍ଗା ଚାଳଘରେ ଶୋଇ
ଜନ୍ମଦାତ୍ରୀ ଆଖି ଲୋତକରେ ଭରା
ସମୟ ନାହିଁ ଭାବଇ ।
ଉଚ୍ଚ କୋଠାଘର ପଦ ଓ ପଦବୀ
ରୋଜଗାର ଅହଂକାର
ମୂଳ ଜଡ କଥା ଭାବି ନପାରିଲେ
କିବା ମୂଲ୍ୟ ଜୀବନର ।
ସମୟ ର ଆଳ ମାନସର ଖେଳ
ଦୂରତା ନୁହେଁ ଦୂରତା
ମନଚେତନାରେ ନିରୁତା ରହିଲେ
ଜନ୍ମ ଅନ୍ୟ ପାଇଁ ହିତା ।
ବିଜ୍ଞାନ ଦେଇଛି ସହଜ ଜୀବନ
ସମୟୋପଯୋଗୀ ନିଦାନ
ସ୍ଵଳ୍ପ ସମୟରେ ଗଳ୍ପ ଲେଖି ଗଲେ
କଳ୍ପ ହୋଇବ ନିର୍ମାଣ ।
ଜନ୍ମଦାତା-ଦାତ୍ରୀ ନିଜ ଜନ୍ମମାଟି
ସରଗ ଠାରୁ ଯେ ବଡ଼
ବଡ଼ ହେଲେ ଯଦି ତାକୁ ଭୁଲିଯାଏ
ମଣିଷ ନୁହେଁ ସେ ଜଡ଼ ।
