ବିମାତା କୈକେୟୀ
ବିମାତା କୈକେୟୀ


ହୋଇପାରେ ମୁଁ ଘୃଣ୍ୟ ଜନ ମାନସରେ
କିନ୍ତୁ, ନ ଥିଲା ଛଳନା ମୋର ବାତ୍ସଲ୍ୟ ପ୍ରେମରେ ।
ହୋଇଛି ଅପମାନିତ, ପାଇଛି ଲାଞ୍ଛନା
ମାରିଛି ହୃଦୟେ ମୋର, ହୃଦୟ ବେଦନା ।
ପାଲଟିଛି ଅଭିଶପ୍ତ ଜୀବନ ମୋ, ଶୁଣି ଶୁଣି ନିନ୍ଦା
କେମିତି ଦେବି ପ୍ରମାଣ, ମୁଁ ତୋ ପ୍ରେମରେ ଯେ ଛନ୍ଦା ।
ଥିଲା ଦୈବୀ ନିୟତ ସେ, ତୋ'ର ଅରଣ୍ୟଗମନ
ତୋ ଅଦୃଶ୍ୟ ଇଙ୍ଗିତେ ମୁଁ, ଖାଲି ସାଜିଲି ମାଧ୍ୟମ ।
ଦୋଷ ମୋର କେତେ, ତୁ ତ ଜାଣୁ ଅନ୍ତର୍ଯ୍ୟାମୀ
ତଥାପି, ମୋ ଆତ୍ମା ମୋତେ ପାରେନାହିଁ କ୍ଷମି ।
ନାହିଁ ମୋ ଅନୁଶୋଚନା, ଲେଶେ ମାତ୍ର ଖେଦ
ତୋ ବାତ୍ସଲ୍ୟପ୍ରେମେ ଆଜି ବି, ବିଗଳିତ ହୃଦ ।
ନୋହି ମୁଁ ଗର୍ଭଧାରିଣୀ, ହେଲେ ବି ଜନନୀ ତୋହର
ଯୁଗେ ଯୁଗେ ରଖିଛୁ ତୁ ସମ୍ମାନ, ମୋ ମାତୃତ୍ୱର ।
କେବେ ତୁ ରଘୁନନ୍ଦନ ମୋର, କାହ୍ନା କାଇଁଚ ମାଳିଆ
ଏ ଯୁଗରେ ହୋଇଛୁ ତୁ, ମୋ ଜଗାକାଳିଆ ।
କହ ଧନ କେତେ ଆଉ ଢାଳିବି ମୁଁ ଲୁହ
କେତେ ଆଉ ସହିବି ମୁଁ ତୋହର ବିରହ ।
ସର୍ଵଜ୍ଞାତା, ସମଦର୍ଶି ଅଟୁ ପରା ତୁହି
ମୋହର ପ୍ରାର୍ଥନା କିବା ତୋର, କର୍ଣ୍ଣେ ପଡୁନାହିଁ ।
କ୍ଷଣଟିଏ ପାଇବାକୁ, ତୋ ଶ୍ରୀମୁଖର ଦେଖା
କେତେ ଲୁହ ଢାଳି କରେ ବରଷେ ପ୍ରତୀକ୍ଷା ।
ଲୋଡା ନାହିଁ ମୋ ରଘୁପତି, ତୋର ସମ୍ମାନ ମାଆର
କି କହିବି ମାଆ ପଣେ, ପାଇଲି ମୁଁ ଯାହା ପ୍ରତିଫଳ ।
ଯଦି ମୋତେ କେବେ ହୃଦେ ଭାଵିଛୁ ତୁ ମାତା
ଏକ ମାତ୍ର ଅନୁରୋଧ, ହେ ଚଉବର୍ଗ ଦାତା ।
ଦେ' ତୁ ମୁକ୍ତି ଏ ବନ୍ଧନୁ, ଆଉ ଧୈର୍ଯ୍ୟ ନାହିଁ ମୋର
ତୋ ବିନା ଏ ସଂସାର ଲାଗେ ଯେ ଅସାର ।
କରି ଦେ' ତୁ ମୋତେ, ତରୁତୃଣ କାଷ୍ଠ କି ପାଷାଣ
ହେଲେ ତୁ ରଖିଥା ମୋତେ, ତୋର ସନ୍ନିଧାନ
ଦେଇ ମାତୃତ୍ଵର ଦ୍ୱାହି ଏହି ମାଗୁଣି ମୋହର
ମୋ' ରଘୁବୀର , କହେ ମୁଁ କୈକେୟୀ, ବିମାତା ତୋହର