ତୁମ କଥା ଆସେ ମନେ
ତୁମ କଥା ଆସେ ମନେ
କାହିଁକି କେଜାଣି ବାମ ଆଖି ମୋର
ବାର ବାର ଏତେ ଡିଏଁ
ମନ ଗଗନରେ ତୁମ ପ୍ରତିଛବି
ଜହ୍ନଟିଏ ହୋଇ ଉଏଁ||
ଅନନ୍ତ ଗଗନେ ରହିଛି ଅନାଇ
ଆନନ୍ଦରେ ଅନୁକ୍ଷଣେ
ଦେଖୁଅଛି ମୁହିଁ ତୁମେ ହସୁଅଛ
ପୁଲକ ଜାଗଇ ପ୍ରାଣେ ||
କେ ଜାଣି କାହିଁକି ବାର ବାର ଆଜି
ତୁମ କଥା ଆସେ ମନେ
ହୃଦୟକୁ ମୋର ତିଳ ତିଳ କରି
ଦହଇ ସେ ପ୍ରତି କ୍ଷଣେ||
ମନ ଆକାଶରୁ ଝର ଝର ହୋଇ
ବର୍ଷା ଧାରାରୂପେ ଝରି
ସିକ୍ତ କର ମୋର ମନ ପ୍ରାଣ ହୋଇ
ପ୍ରୀତିର ପୀୟୁଷ ବାରି||
ଇନ୍ଦ୍ରଧନୁର ସେ ସାତରଙ୍ଗ ସତେ
ମନ ଗଗନରେ ଉଇଁ
ନେତ୍ରକୁ ମୋହର କରି ଆକର୍ଷିତ
ମନ ପ୍ରାଣ ନିଏ ମୋହି||
କ୍ଷଣିକ ମଧ୍ୟରେ ସେହି ଇନ୍ଦ୍ରଧନୁ
ଯାଏ ପୁଣି ଅପସରି
ତାହାରି ସ୍ଥାନରେ ତୁମ ପ୍ରତିଛବି
ଦେଖାଦିଏ ପୁଣି ଫେରି ||
ପାଦର ନୂପୁର ରୁଣୁ ଝୁଣୁ ବାଜେ
ନାଲି ଅଳତାରେ ନେଶି
ସୁକୋମଳ ତୁମ କମନୀୟ ପାଦ
ଆଖିକୁ ନିଏ ଆକର୍ଷି||
ମନ କିଣିନିଏ ସରୁ କଟି ଦେହ
ତୁମ ରାଜହଂସୀ ଚାଲି
କେଜାଣି କାହିଁକି ତୁମ ରୂପରାଜି
ମନେ ପଡୁଅଛି ଖାଲି||
ତୁମ ସେ ଗୋଲାପୀ ଅଧରରୁ ଝରି
ତୁମ ମଧୁଝରା ହସ
କେଜାଣି କାହିଁକି ମୋତେ ଲାଗୁଅଛି
ଜୀବନ ବିହୁନେ ଝସ||
କେଜାଣି କାହିଁକି ତୁମ କଥା ପ୍ରିୟା
ପଡୁଅଛି ଏତେ ମନେ
ମନ ମୋର ବସି ଗୁମୁରି କାନ୍ଦୁଛି
ତୁମ କଥା ଭାବି ମନେ ||
ଡେଇଁ ମୁ ପାରୁନି ତୁମ ସ୍ମୃତିରେଖା
ଭାବୁଅଛି ମନେ ମନେ
ଆସିବ କି ଫେରି ସତେ ମୋ ଜୀବନେ
ଭାବୁଅଛି ମନେ ମନେ||
ମୋର ଦୁଇ ହାତ ଧରି ଚଲାଇବ
ପ୍ରୀତିର ସାଗର ତୀରେ
ମନ ପାରାବାରେ ନଉକାଟେ ପରି
ଭସାଇବ ଧିରେ ଧିରେ ||
ଜାଣି ମୁଁ ପାରୁନି କାହିଁକି କେଜାଣି
ତୁମ କଥା ଆସେ ମନେ
ତୁମ ସ୍ମୃତିରାଜି ମନେ ଆସି ଆଜି
ଦହୁଅଛି ପ୍ରତି କ୍ଷଣେ ||

