ଛଳନା
ଛଳନା
ସାଗର ସହିତ ନୌକାର ସମ୍ପର୍କ
ସହଜରେ ଜାଣେ ସିଏ
ତୁମ ହୃଦୟର ଗଭୀରତା କେତେ
ମତେ ବି ଅଜଣା ନୁହେଁ ।
ସେନେହ ଟିକକ ଦେବା ପାଇଁ ପ୍ରିୟା
କିମ୍ପାଇଁ କୃପଣ ହେଉଛ
ମୁହେଁ ରାମ ରାମ ଭିତରେ ହାରାମ
ଏଇଟା କି ଭଲପାଉଛ ।
ମାଗି ତ ନଥିଲି ତୁମକୁ ମୁଁ କେବେ
ପ୍ରୀତିଭରା ତୁମ ହୃଦୟ
ମୋ ବିନା କାହିଁକି ତୁମ ମନ ପକ୍ଷୀ
ସର୍ବଦା ହେଉଛି ଅଥୟ ।
ଏଇଟା କି ନୁହେଁ ଭଲପାଇବାଟା
ଥରେ ହେଲେ ଭାବି ଦେଖିଛ
ବନ୍ଧକ ପକାଇ ମନକୁ ମୋ ଠାରେ
ହୃଦ ଅନ୍ୟ ଠାରେ ବିକିଛ ।
ଗୋଟେ ପଟେ କୁହ ଭୁଲିଯାଅ ବୋଲି
ଅନ୍ୟପଟେ ଝୁରି ହେଉଛ
ସେନେହ ଟିକକ ପ୍ରତିଦାନେ ଦେଇ
ମାରିବାକୁ ସିନା ବସିଛ ।।
