ତଥାସ୍ତୁରେ ତୃପ୍ତି ତା'ର
ତଥାସ୍ତୁରେ ତୃପ୍ତି ତା'ର
ଜାଣିଛି ତୁମେ ଏକ
ଵିଳାସୀ ଵାଦ୍ ଶାହା
ମନକୁ ନେଇ ଖେଳିବାର
ଖୁବ୍ ସଉକ୍ ତୁମର
ମୁଁ ବି ନାଚାର ।
ଜଳିବାର ଯନ୍ତ୍ରଣା ଅପେକ୍ଷା
ଆଲୋକିତ କରିବା ମୋହରେ
ମୁଁ ବେଶ୍ ଵିଭୋର୍
ସହିପାରେ ନିର୍ଘାତ ପ୍ରହାର !
ତୁମେ ଶାହାଜାହାନ୍ ନୁହଁ
ମୁଁ ବି ନୁହଁ ମମ୍ ତାଜ୍
ତଥାପି ତୁମେ ଅହରହ
ତାଜ୍ ମହଲ ତୋଳିବାର ପ୍ରୟାସରେ
ମୁଁ ବିଳାପ କରେ
ବିସ୍ମୟରେ !
ସତରେ ଏ ନିଶା କ'ଣ
ପ୍ରେମର ନିଦର୍ଶନ ନା
ତୁମ ଆତ୍ମଵଡିମା ଆଉ
ଆଭିଜାତ୍ୟର ପ୍ରଦର୍ଶନ !
ବାଃ ଚମତ୍କାର ଛଳନା !
ଜାଣିରଖ ।
ଆର୍ଯ୍ୟାଵର୍ତ୍ତ ନାରୀ
ଏ ବାହ୍ୟ ଆଡ଼ମ୍ବରରୁ
ଵହୁ ଉର୍ଦ୍ଧ୍ବରେ
ସେ ବିଶ୍ଵାସ କରେ
କୁନ୍ତୀଙ୍କ କରୁଣାର୍ଦରେ
ମନ୍ଦୋଦରୀଙ୍କ ମର୍ଯ୍ୟାଦାରେ
ଅହଲ୍ୟାଙ୍କ ଅନଘରେ
ତାରାଙ୍କ ତ୍ୟାଗରେ
ଦ୍ରୌପଦୀଙ୍କ ଦକ୍ଷତାରେ
ପଞ୍ଚସତୀଙ୍କ ପତିଵ୍ରତାରେ ।
ସେ ଶାନ୍ତି ଖୋଜେନି
ସ୍ଵାମୀର ପ୍ରାଚୁର୍ଯ୍ୟପୂର୍ଣ୍ଣ
ହର୍ମ୍ୟରେ ବରଂ
ପ୍ରେମର ପିଣ୍ଡି ଉପରେ
ମଥାରଖି ଜାକିଜୁକି ହୋଇ
ସବୁଦିନେ ଶୋଇବାକୁ ଇଚ୍ଛା କରେ
ପ୍ରାଣ ବଲ୍ଲଭ ପତିଙ୍କ
ହୃଦୟରେ ।
ଯେତେ ହଲାଅ ଅଵା ଦୋହଲାଅ
ସର୍ବଦା ସେ ସ୍ଥିତପ୍ରଜ୍ଞ ସ୍ଥିର
ପ୍ରୀତି ଓ ପ୍ରଣୟ ପାଇଁ
ଉଠାଏନି ପ୍ରତିବାଦର ସ୍ବର
କାରଣ କେବଳ
" ତଥାସ୍ତୁରେ ତୃପ୍ତି ତା'ର "