ସତ୍ୟାବଲୋକନ
ସତ୍ୟାବଲୋକନ
ସମୟ ତ ଗତିଶୀଳ ପ୍ରତିଟି ମୁହୂର୍ତ୍ତ,
କେବେ ଅଟକିବା ନୁହେଁ ତାର ଧର୍ମ,
ତେଣୁ କର୍ମ ପଥେ ନାହିଁ କେବେ ବି ବିଶ୍ରାମ ।
ସଂସାରେ ଆତଯାତ,
ଯେତେ ସବୁ ହୁଏ ଦୃଶ୍ୟମାନ,
ସୁଖ ଦୁଃଖ ଭଲ ମନ୍ଦ ହସ କାନ୍ଦ ଲହୁ ଲୁହ
ପ୍ରତିଟି ଜୀବନ ।
କିଏ ଜାଣେ ?
କେତେ ବେଳେ କଅଣ ଘଟିପାରେ,
ଏହା ଚିରନ୍ତନ ସତ୍ଯ , ପଡିବ ତ
ଯବନିକା ଥରେ ।
କାର୍ଯ୍ୟ କରେ ଯେଉଁ ମଣିଷ,
କ୍ରୋଧ ହୁତାଶନେ ହୋଇ ଜର୍ଜରିତ,
କ୍ରୋଧ ଉପଶମେ, ପ୍ରଭାବରେ ତାଠାରୁ
ଅଧିକ ହୁଏ ସନ୍ତୁଳିତ ।
ଘର ଜଞ୍ଜାଳ ଲଦି ହୋଇଛି, ହୋଇବ,
ତର ନାହିଁ ମାନବର ସଂଘର୍ଷରେ ରାତି ଦିନ,
ଆପଣାର ଭାବି ଯାହାପାଇଁ କାମ କରେ
ବୁଝନ୍ତିନି ତା ମନ ।
ଅଛନ୍ତି କଥା କୁହାଳିଆ ଯେତେ,
ହୁଅନ୍ତି ସର୍ବଦା ତ ରାଉ ରାଉ,
ସଂସାରେ ଦେଖାନ୍ତି ରାଗ ରୋଷ ବିଷ
ତାଙ୍କ ଭାଉ ।
ହିଂସା ମନୁ ବରଜି ସ୍ଥିର ଚିତ୍ତ ଓ ଶାନ୍ତିର ଗତିରେ,
ଆନନ୍ଦ ନିଷ୍ଠାପରତା ଥିଲେ ଅନୁରତେ
ସେ ସାଧନା ସାଧିଲେ ସଫଳ ପିୟୁଷ ଚାଖଇ
ପ୍ରତ୍ୟେକ କ୍ଷେତ୍ରେ ।
ବୁଝେଇ ଦେଲେ ମନକୁ,
ଟଙ୍କା, ଗାଡ଼ି, ଘର ସବୁ କେତେ ପର ଦୁନିଆରେ,
କେହି ନୁହେଁ ନିଜର ଏକା ହୋଇ ଆସିଛେ
ଏକା ହୋଇ ଯିବାରେ ।
ସମୟ ସମ୍ମୁଖରେ କିଂ କର୍ତ୍ତଵ୍ୟବିମୁଢ ହୋଇଲେ
ହୋଇ ଥାଆନ୍ତୁ ସେଇ ନାରୀ ଅବା ନର
ହେଉ ପଛେ ଯେଡେ ଯୋଦ୍ଧା ସମୟ ସମ୍ମୁଖରେ
ସେ ନାଚାର ।
ଖାଲି ତୁଛା ବିଭୀଷିକା ଚାଲେ ସିନା
ରାଜନୀତି ଧର୍ମ ଆଉ ଜାତିର ନାମରେ
ପଡୁଛି ଉଠୁଛି ଅଶାନ୍ତି ଟିକେ ପାଇଁ ଜାତି
ବର୍ଣ୍ଣ ଧର୍ମ ନିର୍ବିଶେଷରେ ।
ଯଦି ଖୋଜିବା ଶାନ୍ତି ଟିକେ ପାଇବା ମୋହ ଛାଡ଼ିଲେ,
ଜାତି ଧରମ ନିର୍ବିଶେଷରେ ଭାବିବା ସଭିଏ,
ଆମେ ଏକ, ଆମେ ସମସ୍ତଙ୍କର
ସମସ୍ତେ ତ ଆମର, ଅସମ୍ଭବ ନୂହେଁ,
ଶାନ୍ତି ପାଇବା କଲେ ନବ ଭାବନାରେ ଏକାକାର ।