ଗାଁ ମାଟିର ମହକ
ଗାଁ ମାଟିର ମହକ


ବୁଲିଲି ସହର ରାଇଜ ବାହାର
ଦେଖିଲି ଅନେକ ଗାଥା
ମନ ଲଭିଲାନି ପେଟ ପୁରିଲାନି
କହିବି ମୋ ଗାଁର କଥା ।
କାହିଁ କେଉଁ ଦିନୁ ବିରୂପା ବହୁଛି
ଆରମ୍ଭର ମୁଖ ସାଖୀ
ଜିଲ୍ଲା ସୀମାନ୍ତରେ ବ୍ରାହ୍ମଣୀ ସଙ୍ଗମେ
ବୁଲଉଛି ସିଏ ଆଖି ।
କିଏ କହେ ରାଣୀ ଇନ୍ଦ୍ରାବତୀ ନାମେ
ହୋଇଅଛି ନାମ ତାର
ମାଆ ଚଣ୍ଡିଦେବୀ କୃପା ବର୍ଷୁ ଅଛି
ପରିଚୟେ ଇନ୍ଦୁପୁର ।
ପୁରାଣ କଥା ରେ ମାଆ ଚଣ୍ଡି ପୁଣି
ମୁଣ୍ଡ ଖାଲି ଖାଉଥିଲା
ବରଷକେ ଥରେ ମାନସିକ କରି
ମାଟି ହାଣ୍ଡି ମଣ୍ଡା ଦେଲା ।
ପହିଲି ସୂରୁଜ ମୁରୁଜ ବୁଣିଲେ
ପଡେ ସେ ନଦୀର ଜଳେ
ନଦୀର ପାଣିକୁ ବୋହିନେଇ ପୁଣି
ଶିବ ଜଟାଧାରେ ଢାଳେ ।
ଗ୍ରାମ ନାମେ ପୁଣି ଶୈବ ପୀଠ ଏଠି
ନାମ ତାଙ୍କ ଇନ୍ଦ୍ରେଶ୍ୱର
ସପନରେ ଆସି ଗୋପନରେ କହି
ରହିଛନ୍ତି ସ୍ୱପ୍ନେଶ୍ୱର ।
ଦୁଖରେ ସୁଖରେ ମକର ମେଳାରେ
ପୂଜା ପାଏ ମା ତାରିଣୀ
ଘଡିଏ ବସିଲେ ତା ପୀଠରେ ଯାଇ
ମନ ନିଏ ସିଏ କିଣି ।
ସଙ୍ଗମ ପୀଠରେ ହୁଏ କେତେ ପୂଜା
ନାମ ସଙ୍କୀର୍ତ୍ତନ ନାନା
ବାରୁଣୀ ନାମରେ ପ୍ରସିଦ୍ଧ ଓଡିଶା
ପୁଣି ମା ହୁଏ ମାର୍ଜନା ।
ଗାଁର ଭିତରେ ଯେ ସ୍ଥାନ ପାଇ ଅଛି
କେତେ କେତେ ପୁଣି ସାହି
ସବୁରି ଦାଇତ୍ୱ ମୁଣ୍ଡରେ ମୁଣ୍ଡେଇ
ଅଛି ଆମ ହାଟ ଚାହିଁ ।
ପୁରୁଖା ଅମଳେ ରଜା ଘର ଲୋକ
କରୁଥିଲେ ଦେବୀ ପୂଜା
ତାଙ୍କରି ନାମରେ ବାବୁଘର ମେଢ
ଥାନପତି ନାମେ ସଜା ।
ପୂଜା ପାଉଛନ୍ତି ମଦନ ମୋହନ
ରାଜ ଉଆସକୁ ଲାଗି
ଗ୍ରାମ ଚାରିପଟେ କେତେ ଦେବାଦେବୀ
ସୁଖରେ ଦୁଖରେ ଭାଗି ।
ଅଙ୍ଗନବାଡି ଠୁ ପ୍ରାଥମିକ ଯାଏଁ
ସବୁଠି ପିଲାଙ୍କ ମନ
ବାଳିକା ମାନଙ୍କ ପାଇଁ ଯେ ସ୍ୱତନ୍ତ୍ର
ଉଚ୍ଚ ବିଦ୍ୟାଳୟ ପୁରାତନ ।
ନଦୀନାମେ ଏଠି ମହାବିଦ୍ୟାଳୟ
ଗ୍ରାମ ନାମେ ବିଦ୍ୟାଳୟ
କାହିଁ ଦିନୁ ଅରବିନ୍ଦ ଶିକ୍ଷାକେନ୍ଦ୍ର
ଶିଶୁ ମନ୍ଦିରର ଲୟ ।
ସଂସ୍କ୍ରୁତି ପରମ୍ପରା ଆମରି ଜାତି
ନାହିଁ ଭେଦ ଭାଦ ଏଠି
ସବୁ ଧର୍ମ ଏଠି ବାସ କରୁଛନ୍ତିି
ହସରେ ଲୁହରେ ଭେଟି ।
ଗାଁ ପୁଅ ଯେବେରେ ଲଙ୍ଗଳ ମୁଣ୍ଡେଇ
ଯାଏ ବିଲ ହିଡ ପାଶେ
ପାଣି କାଦୁଅରେ ରକତ ନିଗାଡେ
ସୁନା କ୍ଷେତ ତାର ହସେ ।
ବରଷକେ ଥରେ ପାର୍ବଣ ଋତୁରେ
ମାଆ ହୁଏ ଆବୀର୍ଭାବ
ବ୍ରାହ୍ମଣୀ ବିରୂପା ସଙ୍ଗମ ସ୍ଥଳରେ
ବାରୁଣୀ ସ୍ନାନ ଉତ୍ସବ ।
ଜୀବନ୍ତ ସମାଧୀ ନେଇଥିଲେ ପୁଣି
ତ୍ୟାଗିଥିଲେ ସେ ନିଶ୍ୱାସ
ବାଲିପାଳ ମଠେ ପୂଜା ପାଉଛନ୍ତି
ବାବା ସେ କଣ୍ଡୁରି ଦାସ ।
କେନ୍ଦ୍ରାପଡା ଆଜି ରାଇଜ ବିଖ୍ୟାତ
ବଳଦେବଜୀଉ ପୀଠ
ଖ୍ରୀଷ୍ଟପୂର୍ବ ସେତ କେଉଁ ସନ ଠାରୁ
ଅଛି ବଳଦେବ ମଠ ।
କୀମ୍ବଦନ୍ତୀ କୁହେ କାହିଁ କେଉଁ କାଳୁ
କଦମ୍ବ ବଂଶର ରାଜା
ପରିବାର ସହ ଆମ ଗ୍ରାମେ କଲେ
ମଦନମୋହନ ପୂଜା ।
ଅତୀତରେ ଦିନେ ଆସିଥିଲା ବନ୍ୟା
କାଳ ରୂପ ରେଖ ସାଜି
ଭାଙ୍ଗିଥିଲା ବନ୍ଧ କରିଥିଲା ଘାଇ
ଚିହ୍ନ ବର୍ଣ୍ଣ ଅଛି ଆଜି ।
ଦେଖିଛି ପୁଣି ସେ ବିକଟାଳ ରୂପ
ଅନେଶତ ମହାବାତ୍ୟା
ପଶୁବଳୀ ପ୍ରଥା ବନ୍ଦ ଯେ ହେଲାଣି
ହଉ ନାହିଁ ଆଉ ହତ୍ୟା ।
କେତେ କେତେ ପୁଣି ଏଇ ମାଟି ପୁଅ
ଦେଶ ପାଇଁ ଆଜି ଲଢେ
ତାଙ୍କ ନାମେ ପୁଣି ନିଜ ଜନ୍ମ ଭୂମି
ଗୌରବ ଆୟୁଷ ବଢେ ।
ଦେଶ ବିଦେଶ ରେ ରହିଛନ୍ତି କେତେ
ସଭିଏଁ ହୁଅନ୍ତି ନିଜର
ଆଜି ବି ଚାଲୁଛି ମାଗଣାରେ ସେବା
ଗୋପବନ୍ଧୁ ପାଠାଗାର ।
ଯୁବ ପରିଷଦ ନାମେ ଏଠି ପିଲା
କରନ୍ତି ଗ୍ରାମର କାମ
ସୁଖରେ ଦୁଃଖରେ ପାଖେ ଛିଡା ହୋଇ
ରଖନ୍ତି ଏହାର ନାମ ।
ଗ୍ରାମ ନାମେ ପୁଣି ଶୈବ ପୀଠ ଏଠି
ନାମ ତାଙ୍କ ଇନ୍ଦ୍ରେଶ୍ୱର
ସପନରେ ଆସି ଗୋପନରେ କହି
ରହିଛନ୍ତି ସ୍ୱପ୍ନେଶ୍ୱର ।
ଭାରି ଇଚ୍ଛା ଥିଲା ଲେଖିବି ଦିନେ ମୁଁ
ମୋର ଗ୍ରାମ ଇତିହାସ
ବଖାଣିବି ଦିନେ ପୁରୁଖା ମହିମା
ହେଲେ ନ ଥିଲା ସାହାସ ।
ଏଇ ଗାଁ ମାଟିରେ ଜନମ ମୋହର
ନିଶ୍ୱାସେ ପାଣି ପବନ
କଥାରେ କଥାରେ ପେଟ ପୁରିଯାଏ
କିଣି ହେଇଯାଏ ମନ ।
ଏନ୍ତୁଡି ଶାଳ ଯେ ଏଇଠି ମୋହର
ବୟସର ଡାଳେ ଡାଳେ
ମଲାବେଳେ ମୋର ଗୋଟିଏ ପ୍ରାର୍ଥନା
ଶୋଇବି ତୋହରି କୋଳେ ।
ଯୁଗ ଯୁଗ ପାଇଁ ପୂଜା ପାଉଥାଉ
ମାଆ ଚଣ୍ଡି ଠାକୁରାଣୀ
ଘଣ୍ଟ ଘୋଡେଇ ତୁ ରଖିଥା ମାଆ ଲୋ
ଘୋଡେଇ ପଣତ କାନୀ ।