ଘୁଙ୍ଗୁର
ଘୁଙ୍ଗୁର
କାଳିଆ ହସୁଛି ମୁରୁକି ମୁରୁକି
ମନେ ପଡେ ଗୋପ କଥା
ରାଧା ମାଗିଥିଲା ସୁନାର ତାଟକ
ନୁଆଇଁ ନିଜର ମଥା ।
ରାତି ଅଧଟାରେ ବଡଦାଣ୍ଡ ଧାରେ
ଶୁଭିଲା ନୂପୁର ଛନ୍ଦ
ନିଦ ବାଉଳାରେ ମହାପ୍ରଭୁୁ ନିଜେ
ପତ୍ନୀ ସହ କଲେ ବାଦ ।
ଜାଣି ସିଆଣିଆ ଗୋପାଳ ବଲ୍ଲଭ
ଧାଇଁଗଲେ ବଡଦାଣ୍ଡେ
ମାଳିନି ନଦୀ ଠୁ କିଛି କୋଷ ଦୂରେ
ପାଇଲେ ଘୁଙ୍ଗୁର ଖଣ୍ଡେ ।
ଏଠି ସେଠି ଚାହିଁ ଦେଖିଲେ ଦୂରକୁ
ସ୍ୱର ଶବ୍ଦ କିଛି ନାହିଁ
ଶୁଭୁଥିଲା ପୁଣି ନୂପୁର ର ଛନ୍ଦ
ଏମିତି ବା ହେବ କାହିଁ ।
ଘୁଙ୍ଗୁର ଉଠେଇ ଅଣ୍ଟିରେ ପୁରେଇ
ସିଂହ ଦ୍ୱାର ଆଡେ ଗଲେ
ପାଦ ଦଉ ଦଉ କାହା ଡାକ ଶୁଣି
ପଛକୁ ଚାହିଁ ଦେଖିଲେ ।
ପାଗଳ ପୁରୁଷ ନର୍ତ୍ତକୀ ବେଶରେ
କହିଲା ହେ ମହାବାହୁ
ମୋର ପ୍ରେମ କଣ ଏଡେ ବେଦରଦି
ବୁଝ ନାହିଁ ତୁମେ କାହୁଁ ।
ଘଣ୍ଟା ଘଣ୍ଟା ଧରି ନୃତ୍ୟ ମୁଁ କରିଲି
ଶୁଭିଲାନି ପାଦଶବ୍ଦ
ପଟିଏ ଘୁଙ୍ଗୁର ଗଡେଇ ମୁଁ ଦେଲି
ନିଦ ହେଲା ତୁମ ସ୍ତବ୍ଧ ।
କହିଲେ ଗୋସାଇଁ ତା ମୁହଁକୁ ଚାହିଁ
ଆସିଲାଣି ଦେଖ ମେଘ
ନାଚିବା ପାଇଁ କି ଶବ୍ଦ ଲୋଡା ନାହିଁ
ମନରେ ଥିଲେ ସରାଗ ।
ଆକାଶରେ କଳା ଘୁମର ଢାଙ୍କିଲେ
ମନେ ପଡେ କୁଞ୍ଜ ବନ
ପୁଣି କେତେବେଳେ ବରଷା ଢାଳିଲେ
ନାଚି ଉଠେ ଗୋପ ମନ ।
କେଜାଣି କାହିଁକି ବଇଁଶୀ ମୋହର
ଲାଗିଯାଏ ଅଧରରେ
ସ୍ୱର ଶୁଣି ରାଧା ପାଗଳିନି ହୋଇ
ପହଁଞ୍ଚି ଯାଏ କୁଞ୍ଜରେ ।
ପାଦରେ ତାହାର ବାନ୍ଧେ ସେ ନୂପୁର
ମନେ ପ୍ରେମ ଦିଏ ଭରି
ନୂପୁର ରୁ ଯଦି ଘୁଙ୍ଗୁର ଛିିଡିଲା
ମନ ମୋର ଯାଏ ଥରି ।
ସତେକି ରାଧିକା ହୋଇଲେ ପାଗିଳି
ବଂଶୀ ସ୍ୱର ତାଳେ ତାଳେ
ମନଭରି ପ୍ରେମ ଓଜାଡି ଦିଅନ୍ତି
ଯମୁନା ନଦୀର କୁଳେ ।
କଥା ରେ କଥା ରେ କେତେ ଯେ ପୀରତି
କହିଗଲେ ପ୍ରଭୁମୋର
ନୂପୁର ର ଲିଳା ଶୁଣିବାକୁ ଟିକେ
ହୋଇଥିଲି ଯେ ତତ୍ପର ।
ହସି ହସି ପ୍ରଭୁ ଫେରୁଛି ମନ୍ଦିର
ଲୁଚେଇ ଆଖିରେ ଲୁହ
ମନେ ପଡେ ରାଧା ପୀରତି କାହାଣୀ
ଛାଡିନି ଘୁଙ୍ଗୁର ମୋହ ।