Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ratinarayan Rout

Inspirational

4.3  

Ratinarayan Rout

Inspirational

ଜୀବନ ଦର୍ଶନ

ଜୀବନ ଦର୍ଶନ

3 mins
494



(´କ` ରୁ ´ କ୍ଷ` ବର୍ଣ୍ଣମାଳା କ୍ରମରେ |

 କ- କମଳ ଲୋଚନ ହରି ଦୟାର ସାଗର

   କରିଅଛ ସୃଷ୍ଟି ମଧ୍ୟେ ମାନବକୁ ସାର

   କଷ୍ଟ ଦେଇ ଉଦ୍ଧାରିଛ କେତେ ପାପୀନର

   କଟକଣା ନମାନି ସେ ହୁଏ ହରବର ll

ଖ- ଖସି ଚାଲିଯିବ ଦିନେ ପରାଣ ତାହାର

   ଖଇ କଉଡ଼ି ବିଞ୍ଚିବେ ତାର ପରିବାର

   ଖାଲି ହାତେ ଆସିଛି ସେ ଖାଲିଯିବ ଧାଇଁ

   ଖାଇବା କଂସା ଉପରେ ଭରସା ତା' ନାହିଁ l

ଗ- ଗଛରୁ ପତର ଝଡ଼େ ଶୁଖିଯାଇ ଥିଲେ

   ଗଗନେ ଅନ୍ଧାର ଖେଳେ ରବିଅସ୍ତ ହେଲେ

   ଗଢେ ସେଇ ଭାଙ୍ଗେ ସେଇ ସବୁତା ଇଚ୍ଛାରେ

   ଗଡୁଛି ସଂସାର ରଥ ତାର ଇଙ୍ଗିତରେ ll

ଘ- ଘମଣ୍ଡ ରହିନିକାର ଏ ମର୍ତ୍ତ୍ୟ ଭୂମିରେ

   ଘଟଣା ଘଟିଛି ଦେଖ ଯେତେ ଏ ମହିରେ

   ଘଟରୁ ଘଟକୁ ଆତ୍ମା ଯାଏ କର୍ମ ବଳେ

   ଘୂରୁଛି ପୃଥିବୀ ଯହିଁ ଶୂନ୍ୟର ମଣ୍ଡଳେ l

ଚ- ଚକମା ଦେଖାଉଅଛୁ ଧନଜନ ଗର୍ବେ

   ଚମ୍ପଟ ମାରିଲେ ପ୍ରାଣ ଭୂଲିଯିବେ ସର୍ବେ

   ଚକାନୟନ କୁ ଯେବେ ଧରିଥିବୁ ହୃଦେ

   ଚକ୍ରଧର ସାହା ହେବେ ସବୁରି ବିପଦେ l

 ଛ- ଛଞ୍ଚାଣ ପରିକା କାଳ  ଜଗିରହିଅଛି

   ଛଟକ ଦେଖାଉ ଯେତେ ସବୁ ସେ ଦେଖୁଛି

   ଛଅ ରିପୁକୁ ଯେବେତୁ ଆୟତ କରିବୁ

   ଛପନ ଭୋଗୀର ତୁହି ଆପଣାର ହେବୁ |

ଜ- ଜଞ୍ଜାଳେ ବୁଡିରହିତୁ ମରୁଅଛୁ ନିତି

   ଜାଣି ତୁ କରମକରୁ ଅକରମେ ମାତି

   ଜଗନ୍ନାଥ ବସିଛନ୍ତି ଦାରୁବ୍ରହ୍ମ ହୋଇ

   ଜଳଜଳ ଦେଖୁଛନ୍ତି ଯାହାକରୁ ତୁହି l

 ଝ -ଝଗଡା କରୁଛୁ ନିତି ଵିଵେକର ସାଥେ

   ଝଡି ଯାଉଛି ବୟସ ନଜାଣୁ କି ସତେ

   ଝପଟି ଚାଲିଣ ଯିବ ପିଣ୍ଡୁ ପ୍ରାଣ ଯେବେ

   ଝୁରିଲେ ତୁ ପାଇବୁନି ଆଉତାକୁ କେବେ |

 ଟ -ଟଭାଫଳ ପରି ଦିଶେ ଏ ମାୟା ସଂସାର

    ଟାଣି ଧରିଛନ୍ତି ଯେତେ ପରିଜନ ତୋର

    ଟହଲ ମାରୁଛୁ ତୁହି ନ ପାରୁ ପରିଖି

    ଟାଣିନେବେ ଯମଦୂତ ପାରିବେନି ରଖି |

 ଠ -ଠକା ଠକି କରି ଯେଉଁ ସଂସାର ଗଢ଼ିଲୁ

    ଠକ ଭଣ୍ଡ କରି ଯେତେ ସମ୍ପତି ରଖିଲୁ

    ଠିକଣା ବେଳକୁ ତୋର ହେବନାହିଁ ସାହା

    ଠପ କରି ଲିଭିଯିବ ତୋ ଜୀବନ ନାହା |

 ଡ଼ -ଡରି ବସିଲେକି ତୋତେ ଯମ ଛାଡ଼ିଯିବ

   ଡାକରା ହେଲେ ହିସାବ ଦେବାକୁ ପଡିବ

   ଡମ୍ବରୁ ବାଜିବ ଯେବେ ମହାକାଳ ହାତେ

   ଡଗର ଆସିଣ ତୋତେ ବୋହି ନେବେ ସାଥେ |

 ଢ଼ -ଢକ ଢକ ପିଇଗଲୁ ଜଞ୍ଜାଳ ଜଳକୁ 

    ଢ଼ୋକି ପାରିଲୁନି ଦିନେ ଶ୍ରୀହରି ନାମକୁ

    ଢାଙ୍କୁଣୀ ଦେଇ କରମ କରିଅଛୁ ଯେତେ

    ଢମ କଥା କହୁଅଛୁ ପାପ କରି ସେତେ l

ତ -ତରିକା ବଦଳ କରି ସଂସାରୀ ହୋଇଲେ

    ତରିବୁ ସଂସାରୁ ତୁହି ଶ୍ରୀପାଦ ଧରିଲେ

    ତାରଣ ହାରି ଅଟନ୍ତି ବିଶ୍ଵଗୁରୁ ସେହି

    ତାଙ୍କରି ବାଣୀ ମାନିଲେ ପାରିହେବୁ ତୁହି |

 ଥ - ଥରକୁଥର ପଡିତୁ ଚାଲିବା ଶିଖିଲୁ

     ଥକି ପଡି ଲୁନି କାହିଁ ଚାଲି ବଡ ହେଲୁ

     ଥକିପଡ଼ୁ ଅଛୁ ପୂଣ୍ୟ ପଥେ ଚାଲିବାକୁ

     ଥକିଲେ ପାଇବୁ କାହିଁ ପରମେଶ୍ୱରକୁ |

 ଦ - ଦଶମାସ ଦଶ ଦିନ ଗରଭରେ ଥିଲୁ

    ଦେଖାଅ ଦୁନିଆଲୋକ ବିନତି କରିଲୁ

    ଦଗା ଦେବୁ ନାହିଁ ବୋଲି କହିତୁ ଆସିଲୁ

    ଦିନେ କାହିଁ ସେ କଥାକୁ ମନେ ନଭାବିଲୁ |

 ଧ -  ଧନଜନ ଯଉବନ ଗରବେ ମାତିଲୁ

     ଧରାକୁ ସରା ମଣିତୁ ଧରମ ଭୁଲିଲୁ

     ଧୋକା ଖାଇ ବାର ବାର ବୁଝି ନ ପାରିଲୁ

     ଧୃତହୋଇ ମିଛ ମାୟା ମୋହେ ଛନ୍ଦି ହେଲୁ |

 ନ -  ନକାରାତ୍ମ ଭାବ ଯେବେ ଧରିବୁ ମନରେ

     ନରକ ପଥରେ ପଡି ଘାଣ୍ଟି ହୋଇବୁରେ

     ନରଦେହେ ନାରାୟଣ ଏଠି ବିରାଜନ୍ତି

     ନର ନାରାୟଣ ହୋଇ ପୂଜା ପାଇଥାନ୍ତି |

 ପ -  ପର ଲାଗି ଏଠି ତୁହି ଝୁରି ମରୁଅଛୁ

     ପାପ ପଙ୍କେ ପଡି ରହି ଅସତେ ମାତିଛୁ

     ପରମ ପାଦକୁ ତୁହି ପାଇବାକୁ ହେଲେ

     ପାପକର୍ମ ଛାଡି ପୂନ୍ୟ କରୁଥିବୁ ଭଲେ |

 ଫ - ଫୋଟକା ପରି ଜୀବନ ଅଟେ କ୍ଷଣସ୍ଥାୟୀ

    ଫରକିନା ଉଡ଼ିଯାଏ ସୂଚନା ନ ଦେଇ

    ଫଳ ପାଚିଗଲେ ବୃକ୍ଷ ଧରି ରଖେ ନାହିଁ

    ଫେରିବା ସମୟ ହେଲେ ଯମ ଛାଡେ କାହିଁ |

 ବ - ବଡ଼ ଦଗାଦିଆ ଅଟେ ମହାକାଳ ଭାଇ

    ବଜାଇଲେ ଶେଷ ଘଣ୍ଟି ଯିବାକୁ ପଡଇ

    ବାଛେନି ସେ ଭଲମନ୍ଦ ବାଳ ବୃଦ୍ଧ କାହିଁ

    ବାହୁଡ଼ାଇ ନେବ ଖାଲିହାତେ ଯିବୁ ଧାଇଁ |

 ଭ -ଭଲ ମନ୍ଦ ଦୁଇ କଥା ଏ ଜଗତେ ଅଛି

    ଭଲ ବାଟେ ଯଶ ମିଳେ ମନ୍ଦ ବାଟେ ଛିଛି

    ଭଗାରୀ ସାଜିବୁ ଯେବେ ଭଗବାନ ସାଥେ

    ଭବୁ ଉଦ୍ଧରିବୁ କହ ଆଉ କାହା ହାତେ l

 ମ -ମଙ୍ଗଳମୟ ଅଟନ୍ତି କରୁଣା ସାଗର

    ମଲାଗଲା ବେଳେ ଏକା ସେହି ସାଥୀ ତୋର

    ମଶାଣି ପର୍ଯ୍ୟନ୍ତ ସାଥୀ ତୋର ପରିଜନ

    ମଧୁସୂଦନ ଜପିଲେ ରଖିବେ ତୋ ମାନ l

 ଯ -ଯମଦଣ୍ଡ ଲାଗିବନି ଭଜିଲେ ସେ ନାମ

    ଯାଇପହଞ୍ଚିବୁ ତୁହି ବଇକୁଣ୍ଠ ଧାମ

    ଯାମଳାର୍ଜୁନ ଉଦ୍ଧାର କରିଥିଲେ ସେହି

    ଯାଅ ତାଙ୍କ ପାଦ ତଳେ ଶରଣ ତୁ ନେଇ

 ର - ରଙ୍ଗାଧର ରଙ୍ଗମଞ୍ଚ ହାତେଗଢ଼ିଛନ୍ତି

    ରହସ୍ୟମୟ କ୍ରିଡ଼ାକୁ ଚଳାଇ ଅଛନ୍ତି

    ରସନା ସଞ୍ଜତ କରି ସେହି କ୍ରିଡା କଲେ

    ରସିକ ରାଜକୁ ତୁହି ପାଇବୁଟି ଭଲେ l

ଲ -ଲୋଭ ମାୟା ମୋହେ ପଡି ଗଢ଼ିଲେ ସଂସାର

     ଲକ୍ଷ୍ୟ ବିଚ୍ୟୁତ ହୋଇବ ଧରାଧାମେ ତୋର

     ଲଙ୍ଘନ କରିଲେ ତୁହି ନିଅନ୍ତା ନିୟମ

     ଲଭିପାଇବୁନି ତୁହି ସେହି ପୂଣ୍ୟ ଧାମ l

  ଶ - ଶାନ୍ତି ମିଳେ ନାହିଁ ବାହ୍ୟ ଜଗତରେ ଭାଇ

     ଶରୀର ମଧ୍ୟରେ ଶାନ୍ତି ଥାଏ ଲୁଚିରହି

     ଶୀଳତା ଶିଷ୍ଟତା ଶିକ୍ଷା ଆଦରିବୁ ଯେବେ

     ଶିତଳ ହୋଇବ ମନ ପ୍ରାଣ ତୋର ତେବେ l

  ଷ - ଷଡରିପୁକୁ ଯେବେତୁ କରିବୁ ଦମନ

     ଷଡ଼ଚକ୍ରେ ଅଙ୍କୁରିତ ହେବ ମହାଜ୍ଞାନ

     ଷଟକର୍ମ ଯେବେ ତୁ ରେ ହରଷେ କରିବୁ

     ଷଟପ୍ରଜ୍ଞେ ଭୁଷିତ ଯେ ହୋଇତୁ ପାରିବୁ l

  ସ- ସାଧୁସଙ୍ଗ ପୂର୍ବଜନ୍ମ କୃପା ବଳେମିଳେ 

     ସତ୍ୟଧର୍ମ ପଥେ ଗଲେ ବିଭୁକୃପା ଢାଳେ

     ସନ୍ତୋଷ ମିଳେ ସଂସାରେ ନ ଥିଲେ ଆସକ୍ତି

     ସାଧନେ ରହିଲେ ଦିବ୍ୟଜ୍ଞାନ ଯେ ପାଆନ୍ତି l

  ହ - ହୁଏଟି କଲ୍ୟାଣ ଯେବେ ବିବେକ ଜାଗଇ

     ହିତାହିତ ବାଟ ଯେତେ ଦେଖାଏତ ସେଇ

     ହର୍ତ୍ତାକର୍ତ୍ତା ଅଟନ୍ତି ସେ ବିଧାତା ଦଇବ

     ହୃଦେ ରଖି ଧ୍ୟାନ କଲେ ମୁକତି ମିଳିବ l

  କ୍ଷ - କ୍ଷମତା କାହାର ରହିନାହିଁ ଚିରସ୍ଥାୟୀ

     କ୍ଷମତା ପାଇଁ କାହିଁକି ଦେଖାଅ ବଡାଇ

     କ୍ଷଣିକ ଜୀବନ ତୋର ଅସ୍ଥାୟୀ ଆସନ

     କ୍ଷମା ମାଗି ତାଙ୍କ ପାଦେ ହୋଇ ଯା ତୁ ଲିନ l

 


Rate this content
Log in