STORYMIRROR

Shakti Prasad Das

Inspirational

4  

Shakti Prasad Das

Inspirational

ଶତାବ୍ଦୀର ସୂର୍ଯ୍ୟ ମଧୁସୂଦନ

ଶତାବ୍ଦୀର ସୂର୍ଯ୍ୟ ମଧୁସୂଦନ

3 mins
353


ଏ ଜାତିର ଜୀବନ କୋଣାର୍କ

          ଦିନେ ବାଲୁକାର ସ୍ତୁପ ତଳେ,

ଦୁନିଆର ସ୍ମୃତିରୁ ଭୁଲାଇ

ପଡିଥିଲା ଶୋଇ ଅନ୍ତରାଳେ  ||

         

ପାଇକର ବୀର ରକ୍ତ ଦିନେ

          ପାଣି ଫାଟି ଗଲା ଥଣ୍ଡା ହୋଇ;

ବହୁ ଥିଲା ଯେ ଶୋଣିତ ଦିନେ

          ଉନ୍ମାଦନା କେତେ ଯେ ଜଗାଇ  ||


ଘନ ଘନ ଶତ୍ରୁ ଆକ୍ରମଣ

          ଅନ୍ତର୍ଘାତୀ କାର୍ଯ୍ୟ ବାର ବାର,

ଅବଶେଷେ କଲା ଏ ଜାତିକୁ

ଅବଶ ଓ ଶୂନ୍ୟ ଅନ୍ତଃସାର  ||


ଉତ୍କଳର ଅବୟବ ହେଲା

          କାଳ କ୍ରମେ ଖଣ୍ଡ ବିଖଣ୍ଡିତ;

ଯଶ ଆଉ ଗାରିମା ହୋଇଲା

          ଅବଲୀଳା କ୍ରମେ ଭୂଲୁଣ୍ଥିତ  ||


ପରାକ୍ରମୀ ଉତ୍କଳର ବାସୀ

          ହୋଇ ଗଲେ ଦରିଦ୍ର ଓ ଦୀନ,

ଭୁଲିଗଲେ କଳା ଆଉ ଶୌର୍ଯ୍ୟ

          ମୁଖ ତାଙ୍କ ହେଲା ଶୋକେ ମ୍ଲାନ  ||


କୁଳାଂଗାର ବଂଶଜ କର୍ମରୁ

ଦଗ୍ଧ ହେଉଥିଲେ ନିରନ୍ତର;

ଆକୁଳରେ ରହିଥିଲେ ଚାହିଁ

          କେବେ ପୁଣି ଲଭିବେ ଉଦ୍ଧାର !


କେବେ ପୁଣି ଭଗୀରଥ ଜଣେ

          ନେବ ଜନ୍ମ ଏ ଜାତିର କୋଳେ !

ଆଣିବ ସେ ଗଂଗାଙ୍କୁ ସ୍ବର୍ଗରୁ     

          ଉଦ୍ଧରିବା ପାଇଁ ତାଙ୍କୁ ହେଳେ  ||


କେବେ ପୁଣି ତାମିସ୍ର ରଜନୀ

          ପାହି ହେବ ନବ ଉଷୋଦୟ !

କେବେ ପୁଣି ଭାଗ୍ୟ ନବରବି

          ଭାଗ୍ୟାକାଶେ ହୋଇବେ ଉଦୟ !


ଏହିପରି ଘଡି ସନ୍ଧି କ୍ଷଣେ

          ଜନ୍ମ ନେଲେ ଉତ୍କଳ ଗୌରବ,

କଟକର ସତ୍ୟଭାମାପୁରେ

          ଏଂତୁଡିରେ କରି କୁଆଁ ରାବ  ||                                                        


ଚଉଧୁରି ରଘୁନାଥ ପିତା

          ଆଉ ମାତା ପାର୍ବତୀଦେବୀର,

ହୋଇଲେ ସେ ତୃତୀୟ ସନ୍ତାନ

          ଏହି ରୁଦ୍ର ମାସ ବୈଶାଖର  ||


ବୈଶାଖରେ ଜନମ ଲଭିଣ

          ବୈଶାଖର ସୂର୍ଯ୍ୟ ପରି ଜଳି,

ନାଶ କଲେ ଜାତିର ଅଜ୍ଞାନ

          ହୋଇ ସେହୁ ଜ୍ଞାନର ଦୀପାଳି  ||


ଓଡିଶାର ପ୍ରଥମ ସ୍ନାତକ

          ଆଉ ମଧ୍ୟ ସ୍ନାତକ-ଉତ୍ତର,

ଆଉ ପୁଣି ପ୍ରଥମ ଓକିଲ

          ହେଲେ ଏହି ମଧୁ ବାରିଷ୍ଟର  ||        

         

ତଥାପି ଏ ଯଶସ୍ବୀ ପୁରୁଷ

          ପାଇଁ ଟିକେ ନ ଥିଲା ସ୍ବାଗତ,

ଯେଉଁ ଦିନ ଫେରିଲେ ରାଜ୍ୟକୁ

          ଲଭି ଏହି ବିରଳ କୃତିତ୍ବ  ||


ବିବେକର ଆହ୍ବାନରେ ସିନା

          ହେଲେ ନିଜେ ଖ୍ରୀଷ୍ଟିଆନ ସିଏ;

ମଣିଷର ପରିଚୟଟା କି

          ଜାତି, ଧର୍ମବିଶ୍ବାସରେ ଥାଏ ?

 

ହିନ୍ଦୁ ଯାହା ନ ପାରିଲେ କରି

ବଡଠାକୁରଙ୍କ ସେବା ଅର୍ଥେ,

ତାହା କରି ଦେଖାଇଲେ ଲଢି

          ଅଂଗ୍ରେଜଙ୍କ ସାଥେ ଅଦାଲତେ  ||

         

ଉତ୍କଳର ସେବାରେ ନିଜର

          ନିୟୋଜିତ କରି ମନ ପ୍ରାଣ,

ଭାବୁଥିଲେ ଅହର୍ନୀଶ ସେହୁ

          କରିବାକୁ ଉତ୍କଳ ଗଠନ  ||


ଏକତ୍ରିତ କରି ଉତ୍କଳୀୟ

ଭାଷାବାସୀ ଜନପଦ ମାନ,

ଫେରାଇବା ପାଇଁ ଉତ୍କଳର

          ପୂର୍ବ ଯଶ ପୂର୍ବର ସମ୍ମାନ  ||


ଶିଳ୍ପୋନ୍ନତ କରି ଗଢିବାକୁ

          ଓଡିଶାକୁ ହୋଇ ଆଗଭର,

ବସାଇଲେ ଉତ୍କଳ ଟ୍ୟାନେରି

          ଢାଳି ନିଜ ସ୍ବେଦ ଓ ରୁଧିର  ||


ପୁନର୍ଜନ୍ମ ଦେଲେ କଟକର

          ତାରକସି ଶିଳ୍ପକୁ ଆବର,

ଓଡିଶାରେ ତିଆରି ଗହଣା

          ବିଲାତରେ ଲଭିଲା ଆଦର  ||


ହସ୍ତତନ୍ତ କୁଟୀର ଶିଳ୍ପକୁ

          ଦେଲେ ସେହୁ ନୂଆ ଦିଗ୍-ଦର୍ଶନ,

ଅର୍ଥନୀତି ଜାତିର ସୁଦୃଢ

          କରିବାକୁ ବଳାଇଣ ମନ  ||


ପତିତ ଏ ଦଗ୍ଧ ମୃତ୍ତିକାରେ

          କଲେ ସେହୁ ପ୍ରାଣର ସଂଚାର,

ପ୍ରାଣୁ ନିଜ ସିଂଚି ସ୍ନେହ-ବାରି

          ମାଟିର ଏ ତୁଂଗ ମୂର୍ତ୍ତିକାର  ||


ଜାତି ଅର୍ଥେ ଧନ, ପ୍ରାଣ, ମନ

ପୂର୍ଣ୍ଣ ଭାବେ କରି ନିୟୋଜିତ,

କାଳ କ୍ରମେ ହେଲେ ଦେବାଳିଆ

ଉତ୍କଳର ଏହି ବରପୁତ୍ର  ||


ପିତାମହ ଭୀଷ୍ମ ପରି ସେହୁ

          ଥାଇ ଶତ ଶରଶଯ୍ୟା ପରେ,

ଗଢୁଥିଲେ ଜାତିର ଭବିଷ୍ୟ

          ଅନୁକ୍ଷଣ ମାନସ ପଟ୍ଟରେ  ||


କୁଳବୃଦ୍ଧ ନ ପାରିଲେ ଦେଖି

          ନବୋତ୍କଳ ପ୍ରଦେଶ ଗଠନ  |

ଦୁଇ ବର୍ଷ ପୂର୍ବରୁ ଏହାର                                                                

          ସ୍ବର୍ଗଧାମେ କଲେ ସେ ଗମନ  ||


କିନ୍ତୁ ତାଙ୍କ ତ୍ୟାଗ ଓ ତିତିକ୍ଷା

          ହେଲା ନାହିଁ ବ୍ୟର୍ଥ କେବେ ଜାଣ  |

ଦୁଇ ବର୍ଷ ଉତ୍ତାରୁ ଏହାର                                                               

          ନୂଆ ରାଜ୍ୟ ହୋଇଲା ଗଠନ  ||


ମାତୃଭାଷା ଆଧାର ଭିତ୍ତିରେ

ହେଲୁ ଆମେ ପ୍ରଥମ ପ୍ରଦେଶ  |

ତ୍ୟାଗପୂତ ମହତ ଜନର

          ବୃଥା କେବେ ଯାଏ କି ରେ କ୍ଲେଶ ?


ସେହି ଭାଷା ଓଡିଆ ଆମର

          ଲଭିଲାଣି ଶାସ୍ତ୍ରୀୟ ସମ୍ମାନ  |

କେତେ ଖୁସି ହେଉ ସେ ନ ଥିବେ

          ସ୍ବର୍ଗଲୋକୁ ଏହା ନିରେଖିଣ  ||


ଆଜି ଏହି ଜନ୍ମ ଦିବସରେ                                                               

          କରୁଅଛୁ ଏହି ନିବେଦନ,

ଏ ଜାତିର ଭୀଷ୍ମ ପିତାମହ

          କର ତୁମେ ଆମକୁ କଲ୍ୟାଣ  ||


ଶକ୍ତି ପ୍ରସାଦ ଦାସ

ମହାନଦୀ ବିହାର, କଟକ

ତା ୨୮-୦୪-୨୦୨୫, ସୋମବାର


*** ଉତ୍କଳଗୌରବ ମଧୁବାବୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ (୦୧-୦୪-୧୯୩୬)-ର ପ୍ରାୟ ନବେ ବର୍ଷ ପୂର୍ବରୁ ୧୮୪୮ ମସିହା ଏପ୍ରିଲ୍ ମାସ ୨୮ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ | ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ପ୍ରାୟ ଦୁଇ ବର୍ଷ ପୂର୍ବରୁ (୧୯୩୪ ମସିହା ଫେବୃୟାରୀ ମାସ ୪ ତାରିଖ ଦିନ) ସେ ଇହଲୀଳା ସମ୍ବରଣ କରିଥିଲେ |


[ବି.ଦ୍ର. ଏହି ଲେଖାଟି ଲେଖକଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ତା ୨୮-୦୪-୨୦୨୪, ରବିବାର (୨) ତା ୨୮-୦୪-୨୦୨୩, ଶୁକ୍ରବାର (୩) ତା ୨୮-୦୪-୨୦୨୨ ରିଖ, ଗୁରୁବାର (୪) ତା ୨୮-୦୪-୨୦୨୧ ରିଖ, ବୁଧବାର (୫) ତା ୨୮-୦୪-୨୦୨୦ ରିଖ (୬) ୨୦୨୦ ମସିହା ପୂର୍ବରୁ ମଧ୍ୟ | ଏଥର ଏହା ଲେଖକଙ୍କ Facebook Page ଏବଂ Blog Sites: https://shaktiprasaddas.wordpress.com;  https://blog.storymirror.com; shaktiprasaddas.blogspot.com, Linked-in ଆଦିରେ ପ୍ରକାଶିତ |]


Rate this content
Log in

Similar oriya poem from Inspirational