ଭିନ୍ନ ଚରିତ୍ର କାଳନେମୀ
ଭିନ୍ନ ଚରିତ୍ର କାଳନେମୀ
ପଥ ଚାଲୁ ଚାଲୁ ସମୟ ସହିତ
କେତେ ପଥଚାରୀ ଭେଟ ହୁଅନ୍ତି ,
କେତେ ପରକାରେ ଭିନ୍ନ ଭିନ୍ନ ରୂପେ
କେତେ ରଙ୍ଗ ଢଙ୍ଗେ କଥା କୁହନ୍ତି ।
ଏମିତି ଆପଣା ପଣରେ ବାନ୍ଧନ୍ତି
ନିଜଠୁ ଅଧିକା ଭଲ ଲାଗନ୍ତି ,
ପେଟର ଭିତରେ ଛଳନାର ବିଷ
ଛଦ୍ମବେଶୀ ମୁଖା ପିନ୍ଧି ବୁଲନ୍ତି ।
ଈର୍ଷା ଅସୂୟାରେ ଭରା ୟାଙ୍କ ଦେହ
କାହା ସୁଖ , ଶିରୀ ଦେଖନ୍ତି ନାହିଁ ,
କୃତଘ୍ନତା ୟାଙ୍କ ରକ୍ତରେ ବହଇ
ଖୁସି ମିଳେ ଅନ୍ୟ ଦୁଃଖକୁ ଚାହିଁ ।
ଏପରି ବ୍ୟକ୍ତିତ୍ବ ଜଣା ପଡ଼ନ୍ତିନି
ଭାରି ମିଠା ମିଠା କଥାରେ ମୋହି ,
ଏପାଖ ,ସେପାଖ ଖଚ, ମିଛ କହି
ମଜା ଦେଖିଥାନ୍ତି ମଝିରେ ରହି ।
ସାଧୁ ମୁଖାଧାରୀ ଚରିତ୍ର ତାଙ୍କରି
ସହଜରେ କେହି ନପାରେ ଜାଣି ,
ମଧୁର ମିଶ୍ରିତ କଟୁ ତିକ୍ତରସ
ମର୍ଯ୍ୟାଦାର ସୀମା ଲଙ୍ଘଇ ପୁଣି ।
ଏପାଖେ ମାଉସୀ ସେପାଖେ ପିଉସୀ
ମନ୍ଥରା ସ୍ବଭାବ କୁଟିଳା ବାଣୀ ,
ସୁଯୋଗ ଉଣ୍ଡନ୍ତି ମଉକା ମିଳିଲେ
ପେଇ ଦେଇଥାନ୍ତି ବିଷାକ୍ତ ପାଣି ।
ଅନ୍ୟ ସୁଖ ଶାନ୍ତି ନିଜେ ଚୋରି କରି
ଆନକୁ ଚୋରଣି ସଜେଇ ଦେଇ,
ଲାଞ୍ଛନା ଦିଅନ୍ତି ଏଭଳି ବ୍ୟକ୍ତିତ୍ଵ
ଘୃଣ୍ୟ ମିଛ ଅପବାଦ ରଟେଇ ।
ଯୁଗେ ଯୁଗେ ଏହି କାଳନେମୀ ଗଣ
ସଂସାର ଭିତରେ ଅଛନ୍ତି ରହି ,
ସତର୍କ ନହେଲେ ୟାଙ୍କ କବଳରେ
ପଡ଼ିବା ନିଶ୍ଚୟ କେହି'ନା କେହି ।
ଅନୁଭୂତି ଆଉ ଅନୁଭଵ କହେ
କୁଟିଳତା ୟାଙ୍କ ରକ୍ତରେ ଥାଏ ,
ଏମାନଙ୍କ ପାଖେ ମଣିଷ ପଣିଆ
ତୁଚ୍ଛ ବୋଲି ହୃଦବୋଧ ହିଁ ହୁଏ ।
ବିପରୀତ ପରିସ୍ଥିତି ସହ ଲଢ଼ି
ମାନ ସମ୍ମାନକୁ ରକ୍ଷା କରିଲେ ,
ହରି, ହର କୃପା ବାରି ପ୍ରାପ୍ତି କରି
ନିଜକୁ ସମ୍ଭାଳି ଉଦ୍ଧାର ମିଳେ ।
କହଇ ପ୍ରଣତି ପ୍ରଭୁ ଠାରୁ ବଡ଼
ଏଭଳି ଚରିତ୍ର ହୋଇବ ନାହିଁ ,
ଜୟ ଜଗନ୍ନାଥ , ଜୟ କପିଳାସ
ପଦରେ ଶରଣ ମାଗଇ ମୁହିଁ ।