STORYMIRROR

Shakti Prasad Das

Inspirational

4  

Shakti Prasad Das

Inspirational

ରଥଯାତ୍ରା

ରଥଯାତ୍ରା

3 mins
19


ଭୋଗ କରି ଛପନ ପଉଟି, କୋଠ ଭୋଗ ସାରା ବରଷର  |

ଭିଜି କରି ପ୍ରଥମ ବର୍ଷାରେ ଅଷାଢ଼ର, କାଳିଆ ଠାକୁର  ||


ଅମାନିଆ ଶିଶୁର ସଦୃଶ, ଦେହ ତାଙ୍କ ହୁଅଇ ଖରାପ  |

ଅଣସର ଘର ମଧ୍ୟେ ଶୋଇ, ନିଅନ୍ତି ସେ ଔଷଧର ଲେପ  ||


ହୋଇଣ  ସେ ସମ୍ପୂର୍ଣ୍ଣ ଆରୋଗ୍ୟ, ଚିକିତ୍ସାରେ ରହି ପକ୍ଷେ କାଳ  |

ବାହାରନ୍ତି ବୁଲି ବାହାରକୁ, ସଂଗେ ନେଇ ନିଜ ଦଳ ବଳ  ||


ବସି ବସି ରତ୍ନ ସିଂହାସନେ, ବର୍ଷ ଯାକ ଗମ୍ଭୀରା ଭିତରେ  |

ଆଉ ମନ ଲାଗେ ନାହିଁ ଭଲ, କେତେ ପ୍ରଶ୍ନ ନିତି ଉଂକି ମାରେ  ||


କର୍ମଚାରୀ କରୁଛନ୍ତି କାମ ? ପ୍ରଜା ସବୁ ଅଛନ୍ତି ତ ଭଲେ ?

ସବଳ ବା ଦୁର୍ବଳ ଉପରେ, ଦାଉ ସାଧୁ ନାହିଁ ତ ସତରେ ?


ସେବକ କି ମୋହର ସତରେ, ପରଷନ୍ତି ପ୍ରକୃତ ସମ୍ବାଦ ?

ରାଜ୍ୟ ଆଉ ପ୍ରଜାକୁଳକୁ ତ, ପଡିନାହିଁ କୌଣସି ବିପଦ ?


ନା, ଆଉ ସହି ହେବ ନାହିଁ- ଏତେ ମୁଣ୍ଡ ବ୍ୟଥା ବେଶି ଦିନ  |

କ୍ଷେତ୍ର-ପରିଦର୍ଶନ ନିମନ୍ତେ, ଯିବି ମୁହିଁ ନିଜେ ବାହାରିଣ  ||


ଆଜି କାଲି ରାଜ-କର୍ମଚାରୀ, ନୁହନ୍ତି ତ ବିଶ୍ବାସ ଭାଜନ  |

ପ୍ରଜା ମନୋରଂଜନ ତେଜିଣ, ଦିଅନ୍ତି ସେ ପ୍ରଜାଙ୍କୁ କଷଣ  ||      


ତାଙ୍କ କଥା ବିଶ୍ବାସ କରିଣ, ଥିବି ଯଦି ଗମ୍ଭୀରାରେ ବସି  |

କେଉଁ ଦିନ ବିକ୍ଷୁବ୍ଧ  ଜନତା, ବଡ ଦେଉଳରେ ଯିବେ ପଶି  ||


ଭକ୍ତ ପାଇଁ ମୋର ଏ ଦେଉଳ, ଭକ୍ତ ପାଇଁ ରତ୍ନ ସିଂହାସନ  |

ଭକ୍ତ ପାଇଁ ଷାଠିଏ ପଉଟି, ଭକ୍ତ ପାଇଁ ମୋର ଯେତେ ମାନ  ||


ସେମାନଙ୍କ କଥା ଟିକେ ମୁହିଁ, ବୁଝି ଆସେ ଥରେ ନିଜେ ଯାଇ  |

ବସି ରହି ଚଷିଲେ କାଗଜ, ସତ କଥା ଜଣା କି ପଡଇ ?


ପତିତ ଓ ଅପର ଧର୍ମକୁ କରିଛନ୍ତି ଯେ ଅବଲମ୍ବନ  |

ସେମାନେ କି କୁଶଳେ ଅଛନ୍ତି ? ଜାଣିବାକୁ ବ୍ୟଗ୍ର ମୋର ମନ  ||


ବର୍ଷ ସାରା ମନ୍ଦିର ମଧ୍ୟକୁ, ନ ପାରନ୍ତି ପଶି ଯେହୁ ଜନ  |

ମିଶିବାକୁ ସେମାନଙ୍କ ସଂଗେ, ଭରି କରି ପ୍ରାଣ ଆଉ ମନ  ||


ନ ହେଲେ ତ ସେହି ସର୍ବହରା, ରଚିପାରେ ଗୁପତ ବିଦ୍ରୋହ  |

ଡାକ ପାଇ ବିରୋଧୀ ଦଳରୁ, ମିଶି ଯାଇ ସେମାନଙ୍କ ସହ  ||


ନିର୍ବାଚନ ପୂର୍ବରୁ ଯେମିତି ନେତା ଯାଇ ପ୍ରଜା କୁଡିଆରେ  |

ପଖାଳ ଓ ଶାଗଭଜା ଖାଏ, ନିର୍ବାଚନ ଜିତିବା ଆଶାରେ  ||

 

ମୁହିଁ ଅବା ଭକ୍ତଙ୍କୁ ମୋହର କରାୟତ୍ତ ଅନୁରୂପେ କରି 

ରଖିଲେ ବା ଏଥିରେ ମୋହର, ଦୋଷ କିଛି ହେବ ନାହିଁ ବାରି  ||


ଏହି ପରି ମନେ ମନେ ଗୁଣି, ବାହାରିଲେ ଜଗତ ଠାକୁର  |

ବଡ ଭାଇ, ଭଉଣୀଙ୍କୁ ଘେନି, ସୁସଜ୍ଜିତ ତିନି ରଥ ପର  ||

 

ନନ୍ଦିଘୋଷେ ଯାତ୍ରା କରିବାରୁ, ଘୋଷଯାତ୍ରା ମଧ୍ୟ ଏହା ନାମ  |

ଘୋଷ କରି ଗୁରୁ ଗୁରୁ ନାଦେ, ଦେବା ପାଇଁ ଧର୍ମ, ଅର୍ଥ, କାମ  ||


ମୋକ୍ଷ ପୁଣି ୮୪ ନର୍କରୁ, ଦେବା ଅଟେ ଉଦ୍ଦେଶ୍ୟ ଯାହାର  |

ବରଷକେ ଥରେ ମାତ୍ର ଆସେ, ଏହିଭଳି ବିଶାଳ ଅଫର  ||


ନେବା ପାଇଁ ସୁଯୋଗ ଏହାର, ଟାଣିବାକୁ ରଥ ଦୌଡି ବାରେ

ଉଦ୍-ବେଳିତ ଭକତର ମନ, କାଳିଆକୁ ଦେଖିବ ରଥରେ  ||


ଉଚ୍ଚତମ ନ୍ୟାୟାଳୟ ଯେବେ ରଥଯାତ୍ରା ହେବ ନାହିଁ ବୋଲି

କହିଦେଲେ ପାଂଚ ବର୍ଷ ତଳେ; ଭକ୍ତ ମଧ୍ୟେ ପଡିଗଲା ହୁରି  ||     (*୨୦୨୦ ମସିହା*)


କରୋନାର ତାମସୀ ଶକତି, ରୋଧିବ କି ନନ୍ଦିଘୋଷ ପଥ ?

ପରମ୍ପରା ସହସ୍ର ବର୍ଷର, ଭଗ୍ନ ହେବ ଭକ୍ତ ମନୋରଥ ?


ରାହୁ କେବେ ସୂର୍ଯ୍ୟକୁ କି ଭାଇ, ବେଶି କାଳ ପାରିଛି ଘୋଡାଇ ?

ଅସତ୍ୟ କି ସତ୍ୟର ପ୍ରକାଶ, ଚିରଦିନ ପାରିଛି ଦବାଇ ?


ଅଗଣିତ ବିଶ୍ବବାସୀଙ୍କର ମନ ବୁଝି ଜଗତ ଠାକୁର  |

ଲୀଳାମୟ ରଚିଲେ ଉପାୟ, ବଦଳିଲା ପୂର୍ବର ବିଚାର  ||


କିଛି କିଛି କଟକଣା ମାନି, ଘୋଷଯାତ୍ରା ହେଲା ଆନନ୍ଦରେ  |

ଆମ୍ଭେମାନେ ଦେଖିଲେ ପ୍ରଭୁଙ୍କୁ, ଦୂରୁଁ ଥାଇ ଦୂରଦର୍ଶନରେ  ||


ଆଜ୍ଞା ହେଲା ବର୍ଷ ତିନି ତଳେ “କରୋନା ତୁ ନ କର କଟାଳ  |    (*୨୦୨୨ ମସିହା*)

ତୋର ପୂର୍ଣ୍ଣ ପ୍ରାଦୁର୍ଭାବ ପାଇଁ ଦେଲି ମୁହିଁ ଦୁଇ ବର୍ଷ କାଳ  ||


ଏବେ କିନ୍ତୁ ଭକତେ ମୋହର, ବ୍ୟାକୁଳ ମୋ ଘୋଷଯାତ୍ରା ପାଇଁ  |

ସେମାନଙ୍କ ଆନନ୍ଦ ନିମନ୍ତେ କଟକଣା ଦେଉଛି ଉଠାଇ  ||”


ଏହି ବର୍ଷ ସେହି ଯେ କରୋନା, ଗୋଟାଇଲା ବଳ ପୁଣି ଭାଇ  |        (*୨୦୨୫*)

ଦଂଶିବାକୁ ମାନବ ସମାଜେ, ବିଭୁକୃପା ଅନ୍ୟଥା କରଇ  ||


ନ କରିବା ଭୟ କରୋନାକୁ, କଟକଣା ମାନିବା ନିଶ୍ଚୟ  |

ଏହା ମଧ୍ୟ ବିଭୁଙ୍କର ଆଜ୍ଞା, ଦୟାମୟ ହୋଇବେ ସଦୟ  ||


ତେଣୁ ଯିବା ଆସ ବନ୍ଧୁ ପୁରୀ, ଟାଣିବାକୁ ରଥ ଦୌଡି କରେ  |

ରଥ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ଚର୍ମନେତ୍ରେ  ବାରେ  ||


ଶକ୍ତି ପ୍ରସାଦ ଦାସ

ମହାନଦୀ ବିହାର, କଟକ

ତା ୨୭-୦୬-୨୦୨୫, ଶୁକ୍ରବାର, ଶ୍ରୀଗୁଣ୍ଡିଚା


[ବି.ଦ୍ର. ଏହି କବିତାଟି କବିଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ୨୦୧୭ ମସିହା ରଥଯାତ୍ରା (୨) ୨୦୧୮ ମସିହା ରଥଯାତ୍ରା (୩) ୨୦୧୯ ମସିହା ରଥଯାତ୍ରା (୪) ୨୦୨୦ ମସିହା ରଥଯାତ୍ରା (୨୩-୦୬-୨୦୨୦) (୩) ତା ୧୨-୦୭-୨୦୨୧ ରିଖ (ଶ୍ରୀଗୁଣ୍ଡିଚା) (୪) ତା ୩୦-୦୬-୨୦୨୨, ଗୁରୁବାର (୫) ତା ୨୦-୦୬-୨୦୨୩, ମଂଗଳବାର, ଶ୍ରୀଗୁଣ୍ଡିଚା (୪) ତା ୦୭-୦୭-୨୦୨୪, ରବିବାର, ଶ୍ରୀଗୁଣ୍ଡିଚା, ଇତ୍ୟାଦି | ଏଥରର ଲେଖା ପୂର୍ବ ପ୍ରକାଶିତ ଲେଖାର ପରିମାର୍ଜିତ/ ପରିବର୍ଦ୍ଧିତ ସଂସ୍କରଣ | ଏଥର ଏହା ଲେଖକଙ୍କ Facebook Page ଏବଂ Blog Sites: https://shaktiprasaddas.wordpress.com;  https://blog.storymirror.com, shaktiprasaddas.blogspot.com, Linked-in ଆଦିରେ ପ୍ରକାଶିତ |]


Rate this content
Log in

Similar oriya poem from Inspirational