STORYMIRROR

Shakti Prasad Das

Inspirational

4  

Shakti Prasad Das

Inspirational

ସ୍ନାନ ପୂର୍ଣିମା, ଅଣସର ଓ ରଜ

ସ୍ନାନ ପୂର୍ଣିମା, ଅଣସର ଓ ରଜ

3 mins
24

ନିଦାଘରେ ସନ୍ତାପିତ ତରୁଲତା ଜୀବେ,

ମୁକ୍ତି ପାଇଁ ଜଳ ପାଇଁ ହୁଅନ୍ତି ଅଥୟ  |

ଉତ୍ତରରେ ସେମାନଙ୍କ ଆକୁତିର ଅବା

ହୋଇଥାଏ ଆଷାଢ଼ର ଅଶ୍ରୁଳ ଉଦୟ  ||


ଶ୍ରୀଅଂଗରୁ ରୌଦ୍ରତାପ ନିବାରିବା ପାଇଁ,

ମହାପ୍ରଭୁ ଥା’ନ୍ତି ଯେବେ ସ୍ନାନ ମଣ୍ଡପରେ  |          

ସେବା ପାଇଁ ଅବସର ଉପଯୁକ୍ତ ମଣି,

ଇନ୍ଦ୍ରଦେବ ଆକାଶରୁ ଜଳ ବୃଷ୍ଟି କରେ  ||


ନିବେଶିଣ ଚିତ୍ତ ସୃଷ୍ଟି ଲାଳନ ପାଳନେ,

ରଜବତୀ ହୁଏ ଯେବେ ମାତା ବସୁମତୀ  |

ତା’ର ସ୍ନାନ ସମାର୍ଜନା ବିଧାନ ନିମନ୍ତେ,

ମେଘମାଳା ଅମ୍ବରରୁ ଜଳ ଧାରା ସିଂଚି  ||


ଏହିପରି ଉଭା ହୁଏ ଆଉ ଏକ ରଜ,

ଦୋଳି ବାନ୍ଧିବାକୁ ଯେବେ ଗଛ ଆଉ ନାହିଁ  |

ନାହିଁ ଯେବେ ଆଉ ଆମ ବନସ୍ତରେ ଗଜ,

ନଡିଆ କତାର ରଶି ମିଳିବ ବା କାହିଁ ?


ପ୍ଲାଷ୍ଟିକର ଦଉଡିରୁ ତିଆରି ଦୋଳିରେ,

ଏକା ଅବା ବେଶି ହେଲେ ସହୋଦରେ ନେଇ  |

କେହି ପିଲା ଖେଳେ ନିଜ ଘର ବାଲକୋନୀରେ.

ମନ ଖୋଲି ଝୁଲିବାକୁ ଜାଗା ଅଣ୍ଟେ ନାହିଁ  ||


ନ କରନ୍ତି ଗୋଳ ଆଉ ସାହି ପିଲେ ଆସି,

ଯେଝା ଘରେ ଥା’ନ୍ତି ଯିଏ ବିଦେଶୀ ଠାଣିରେ  |

ରଜ ପାନ ମଧ୍ୟ ଆଉ ହୁଏ ନାହିଁ ଭଂଗା,

ପିଠା ପଣା କଥା ଅବା କିଏ ସେ ପଚାରେ ? 


ନାହିଁ ପରା ଶଇଶବ ଆଜିର ଶିଶୁର,

ନତ ଅଟେ ଯା’ର ପୃଷ୍ଠ ପୁସ୍ତକର ଭାରେ  |

ପାଏ ନାହିଁ ଅବସର ମୂଷିକ ଦୌଡରୁ,

ଖେଳିବାକୁ ଦୋଳି ମଧ୍ୟ ରଜ ଉତ୍ସବରେ  ||


ପରଚଣ୍ଡ ରୌଦ୍ରତାପେ ଜଳିଲା ପୃଥିବୀ,

ପ୍ରତିବର୍ଷ ବଢିଗଲା ତାପମାନ ତା’ର  |

ଏ.ସି. ଲଗାଇଲୁ ଆମେ ବୁଲି ଘରେ ଘରେ

ଗଛ କାଟି ଗଢିଗଲୁ ରାସ୍ତା ଘର-ଦ୍ବାର  ||

 

ଯାହା କିଛି ଥିଲା ଗଛ ଦେଲା ଭାଂଗି ଫଣୀ,             [୨୦୧୯ ମସିହା ମେ ମାସ]

ଚାରିଆଡ ଦିଶିଲା ଯେ ମରୁଭୂମି ତୂଲ୍ୟ  | 

ନାହିଁ ଥିଲା ଉଦ୍ୟମ ବା ଦୂରଦୃଷ୍ଟିପୂର୍ଣ୍ଣ-

ପଦକ୍ଷେପ, ଗଢିବାକୁ ସବୁଜ ଜଂଗଲ  ||


ନିଜ କ୍ଷୁଦ୍ର-ବୁଦ୍ଧି ନେଇ ନ ପାରିଲୁ ବୁଝି,

ଏ.ସି. କି ପାରିବ ରଖି କୋପିଲେ ପ୍ରକୃତି  |

ନୂଆ ନୂଆ କୀର୍ତ୍ତିମାନ ରଚିଲା ପାରଦ

ବେଳୁଁ ବେଳ ତାତି ହେଲା ଅସମ୍ଭାଳ ଅତି  ||


କି ପ୍ରଗତି ଏହା ଭାଇ ହୁଏ ନାହିଁ ବୁଝି,

ମଧୁରିମା ହୁଏ ନଷ୍ଟ ଯହିଁ ପ୍ରକୃତିର  |

ରୋକିବାକୁ ଏହି କ୍ଷୟ ହୋଇଣ ସଜାଗ,

ବେଳ ଥାଉଁ ହେବା ଆମେ ବଦ୍ଧପରିକର  ||


ନୋହିଲେ ତ ଉଣା ହେବ ବିଭୁଙ୍କ କରୁଣା

ଯାହା ବିନୁ ଥୟ ନୁହେଁ ମାନବ ଜୀବନ  |

ଯାହାର ଅଭାବେ ଦିନେ ଘୋଟିଲା କରୋନା,

ଜୀବନ ଜୀବିକା ହେଲେ ଉଭୟ ଉଚ୍ଛନ୍ନ  ||


ଭୁଲି ରଜ ମଉଛବ ସାଂଗସାଥି ମେଳ,

ସଂଗରୋଧ ବନ୍ଦୀ ହେଲୁ ନିଜ ନିଜ ଘରେ  |

ବାହାରକୁ ବାହାରିବା ହୋଇଲା ନିଷେଧ,

ସାମାଜିକ ଦୂରତାର ଭାଂଗିବା ଭୟରେ  ||

 

ସାଧାରଣ ସ୍ପର୍ଶ ଯୋଗେ ବ୍ୟାପିଲା ଏ ବ୍ୟାଧି,

ଶୁଣା ତ ନଥିଲା କେବେ ପୂର୍ବରୁ ଏହାର  |

ବହୁ କଷ୍ଟେ, ପରିଶ୍ରମେ ବାହାରିଲା ଟିକା,

ମୁଖା, ସଂଗରୋଧ କିନ୍ତୁ ମୁଖ୍ୟ ପ୍ରତିକାର  ||  


ଦୁନିଆଁର ସବୁଠାରୁ ଶକ୍ତିଶାଳୀ ଦେଶ

ରହିଲେ ଯେ ସାଂଘାତିକ ପରାଭବ ଭଜି  |    

ବଢିଗଲା ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା, 

କେତେ ଲୋକ ଗଲେ ଦୁନିଆରୁ ମରିହଜି  ||


ସବୁଠାରୁ ଶ୍ରେଷ୍ଠ କରି ଗଢିଲେ ଆମ୍ଭକୁ

ସମ୍ଭାଳିବା ପାଇଁ ବିଭୁ ସୃଷ୍ଟିର ସମ୍ଭାର  |

ନିଜ ଭୋଗ-ଲାଳସାରେ ଭୁଲିଲୁ ଦାୟିତ୍ବ

ଉଜାଡିଲୁ ପ୍ରକୃତିର ସୁଷମା ଭଣ୍ଡାର  ||


ରୁଷ୍ଟ ହେଲେ ସୃଷ୍ଟିକର୍ତ୍ତା ଦେଖି ଏହି ଦ୍ରୋହ,

ବଜାଇଲେ ସତର୍କତା ଘଣ୍ଟି ଉଚ୍ଚ ନାଦେ  |

ଘର୍ଘର ଶବଦ ଘୋର ସଭ୍ୟତା ରଥର

ଥମିଗଲା ଶୁଣି ସେହି ପ୍ରମାଦ ନିନାଦେ  ||


ଦୁଇ ବର୍ଷ ବହୁ କଷ୍ଟେ ବିତିଲା ଜୀବନ,         (୨୦୨୦, ୨୦୨୧)

ଧୀରେ ଧୀରେ ମୁକ୍ତ ହେଲୁ କରୋନା ଗ୍ରାସରୁ

ଲେଉଟିଛି ଏଇ ବର୍ଷ ପୁନଶ୍ଚ କରୋନା        (୨୦୨୫)

ଯାଉ ସୁରୁଖୁରେ ପୁଣି ଏ ଧରାପୃଷ୍ଠରୁ  ||


ବିଜ୍ଞାନ ଏଷଣା ଆଉ ବିଭୁ ଉପାସନା

ଅଟେ ଆଜି ଆବଶ୍ୟକ ମନୁଷ୍ୟ ପକ୍ଷରେ  |

ପୁରୁଷାର୍ଥ ପରମାର୍ଥ ହୋଇଲେ ଏକତ୍ର,

ଟଳିବ କଷଣ ସବୁ ସମୟ ସାଥିରେ  ||      


ଆସୁଛନ୍ତି ଆପଦାଏ ଦେବାକୁ ଚେତାଇ        

ବିଶ୍ଲେଷିବା ପାଇଁ ଆମ ଔଚିତ୍ୟ କର୍ମର  |

ସୁଧାରିବା ଆସ ନିଜ ନିଜ ଚଲାପଥ

ଭବିଷ୍ୟତ ହେଉ ଏକ ସ୍ବର୍ଣ୍ଣାଭ ସ୍ବପ୍ନର  ||


ଶକ୍ତି ପ୍ରସାଦ ଦାସ

ମହାନଦୀ ବିହାର, କଟକ

ତା ୧୫-୦୬-୨୦୨୫, ରବିବାର


[ଏ ବର୍ଷ (୨୦୨୫) ଜୁନ ୧୩ ତାରିଖରେ ରଜ ସଜବାଜ, ୧୪ ତାରିଖରେ ପହିଲି ରଜ, ୧୫ ତାରିଖରେ ରଜସଂକ୍ରାନ୍ତି (ମିଥୁନ ସଂକ୍ରାନ୍ତି), ୧୬ ତାରିଖରେ ବାସିରଜ (ଭୂମି ଦହନ) ଓ ୧୭ ତାରିଖରେ ମହାଲକ୍ଷ୍ମୀ ସ୍ନାନ (ବସୁମତୀ ସ୍ନାନ) ପଡୁଛି |]


[ବି.ଦ୍ର. ଏହି କବିତାଟି କବିଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ତା ୧୬-୦୬-୨୦୨୪ ରିଖ, ରବିବାର, ଭୂମିଦହନ (୨) ତା ୧୪-୦୬-୨୦୨୩ ରିଖ, ବୁଧବାର, ପହିଲି ରଜ (୩) ତା ୧୪-୦୬-୨୦୨୨ ରିଖ, ମଂଗଳବାର, ପହିଲି ରଜ ଓ ଦେବସ୍ନାନ ପୂର୍ଣିମା (୪) ୨୦୨୧ ମସିହା ରଜ (୫) ୨୦୨୦ ମସିହା ରଜ (୬) ୨୦୧୯ ମସିହା ରଜ (୭) ୨୦୧୮ ମସିହା ରଜ (୮) ୨୦୧୭ ମସିହା ରଜ, ଇତ୍ୟାଦି | ଏଥରର କବିତା ପୂର୍ବ ପ୍ରକାଶିତ କବିତାର ପରିମାର୍ଜିତ/ ପରିବର୍ଦ୍ଧିତ ସଂସ୍କରଣ | ଏଥର ଏହା କବିଙ୍କ Facebook Page ଏବଂ Blog Sites: https://shaktiprasaddas.wordpress.com;  https://blog.storymirror.com, shaktiprasaddas.blogspot.com, Linked-in ଆଦିରେ ପ୍ରକାଶିତ |]


Rate this content
Log in

Similar oriya poem from Inspirational