STORYMIRROR

Shakti Prasad Das

Classics Inspirational Others

3  

Shakti Prasad Das

Classics Inspirational Others

ରଥଯାତ୍ରା

ରଥଯାତ୍ରା

2 mins
17

ଭୋଗ କରି ଛପନ ପଉଟି, କୋଠ ଭୋଗ ସାରା ବରଷର |

ଭିଜି କରି ପ୍ରଥମ ବର୍ଷାରେ ଅଷାଢ଼ର, କାଳିଆ ଠାକୁର ||


ଅମାନିଆ ଶିଶୁର ସଦୃଶ, ଦେହ ତାଙ୍କ ହୁଅଇ ଖରାପ |

ଅଣସର ଘର ମଧ୍ୟେ ଶୋଇ, ନିଅନ୍ତି ସେ ଔଷଧର ଲେପ ||


ହୋଇଣ ସେ ସମ୍ପୂର୍ଣ୍ଣ ଆରୋଗ୍ୟ, ଚିକିତ୍ସାରେ ରହି ପକ୍ଷେ କାଳ |

ବାହାରନ୍ତି ବୁଲି ବାହାରକୁ, ସଂଗେ ନେଇ ନିଜ ଦଳ ବଳ ||


ବସି ବସି ରତ୍ନ ସିଂହାସନେ, ବର୍ଷ ଯାକ ଗମ୍ଭୀରା ଭିତରେ |

ଆଉ ମନ ଲାଗେ ନାହିଁ ଭଲ, କେତେ ପ୍ରଶ୍ନ ନିତି ଉଂକି ମାରେ ||


କର୍ମଚାରୀ କରୁଛନ୍ତି କାମ ? ପ୍ରଜା ସବୁ ଅଛନ୍ତି ତ ଭଲେ ?

ସବଳ ବା ଦୁର୍ବଳ ଉପରେ, ଦାଉ ସାଧୁ ନାହିଁ ତ ସତରେ ?


ସେବକ କି ମୋହର ସତରେ, ପରଷନ୍ତି ପ୍ରକୃତ ସମ୍ବାଦ ?

ରାଜ୍ୟ ଆଉ ପ୍ରଜାକୁଳକୁ ତ, ପଡିନାହିଁ କୌଣସି ବିପଦ ?


ନା, ଆଉ ସହି ହେବ ନାହିଁ- ଏତେ ମୁଣ୍ଡ ବ୍ୟଥା ବେଶି ଦିନ |

କ୍ଷେତ୍ର-ପରିଦର୍ଶନ ନିମନ୍ତେ, ଯିବି ମୁହିଁ ନିଜେ ବାହାରିଣ ||


ଆଜି କାଲି ରାଜ-କର୍ମଚାରୀ, ନୁହନ୍ତି ତ ବିଶ୍ବାସ ଭାଜନ |

ପ୍ରଜା ମନୋରଂଜନ ତେଜିଣ, ଦିଅନ୍ତି ସେ ପ୍ରଜାଙ୍କୁ କଷଣ ||   


ତାଙ୍କ କଥା ବିଶ୍ବାସ କରିଣ, ଥିବି ଯଦି ଗମ୍ଭୀରାରେ ବସି |

କେଉଁ ଦିନ ବିକ୍ଷୁବ୍ଧ ଜନତା, ବଡ ଦେଉଳରେ ଯିବେ ପଶି ||


ଭକ୍ତ ପାଇଁ ମୋହର ଦେଉଳ, ଭକ୍ତ ପାଇଁ ରତ୍ନ ସିଂହାସନ |

ଭକ୍ତ ପାଇଁ ଷାଠିଏ ପଉଟି, ଭକ୍ତ ପାଇଁ ମୋର ଯେତେ ମାନ ||


ସେମାନଙ୍କ କଥା ଟିକେ ମୁହିଁ, ଆସେ ବୁଝି ଥରେ ନିଜେ ଯାଇ |

ବସି ରହି ଚଷିଲେ କାଗଜ, ସତ କଥା ଜଣା କି ପଡଇ ?


ପତିତ ଓ ଅପର ଧର୍ମକୁ କରିଛନ୍ତି ଯେ ଅବଲମ୍ବନ |

ସେମାନେ କି କୁଶଳେ ଅଛନ୍ତି ? ଜାଣିବାକୁ ବ୍ୟଗ୍ର ମୋର ମନ ||


ବର୍ଷ ସାରା ମନ୍ଦିର ମଧ୍ୟକୁ, ନ ପାରନ୍ତି ପଶି ଯେହୁ ଜନ |

ମିଶିବାକୁ ସେମାନଙ୍କ ସଂଗେ, ଭରି କରି ପ୍ରାଣ ଆଉ ମନ ||


ନ ହେଲେ ତ ସେହି ସର୍ବହରା, ରଚିପାରେ ଗୁପତ ବିଦ୍ରୋହ |

ଡାକ ପାଇ ବିରୋଧୀ ଦଳରୁ, ମିଶି ଯାଇ ସେମାନଙ୍କ ସହ ||


ନିର୍ବାଚନ ପୂର୍ବରୁ ଯେମିତି ନେତା ଯାଇ ପ୍ରଜା କୁଡିଆରେ |

ପଖାଳ ଓ ଶାଗଭଜା ଖାଏ, ନିର୍ବାଚନ ଜିତିବା ଆଶାରେ ||

 

ମୁହିଁ ଅବା ଭକ୍ତଙ୍କୁ ମୋହର କରାୟତ୍ତ ଅନୁରୂପେ କରି 

ରଖିଲେ ବା ଏଥିରେ ମୋହର, ଦୋଷ କିଛି ହେବ ନାହିଁ ବାରି ||


ଏହି ପରି ମନେ ମନେ ଗୁଣି, ବାହାରିଲେ ଜଗତ ଠାକୁର |

ବଡ ଭାଇ, ଭଉଣୀଙ୍କୁ ଘେନି, ସୁସଜ୍ଜିତ ତିନି ରଥ ପର ||

 

ନନ୍ଦିଘୋଷେ ଯାତ୍ରା କରିବାରୁ, ଘୋଷଯାତ୍ରା ମଧ୍ୟ ଏହା ନାମ |

ଘୋଷ କରି ଗୁରୁ ଗୁରୁ ନାଦେ, ଦେବା ପାଇଁ ଧର୍ମ, ଅର୍ଥ, କାମ ||


ମୋକ୍ଷ ପୁଣି ୮୪ ନର୍କରୁ, ଦେବା ଅଟେ ଉଦ୍ଦେଶ୍ୟ ଯାହାର |

ବରଷକେ ଥରେ ମାତ୍ର ଆସେ, ଏହିଭଳି ବିଶାଳ ଅଫର ||


ନେବା ପାଇଁ ସୁଯୋଗ ଏହାର, ଟାଣିବାକୁ ରଥ ଦୌଡି ବାରେ

ଉଦ୍-ବେଳିତ ଭକତର ମନ, କାଳିଆକୁ ଦେଖିବ ରଥରେ ||


ଉଚ୍ଚତମ ନ୍ୟାୟାଳୟ ଯେବେ ରଥଯାତ୍ରା ହେବ ନାହିଁ ବୋଲି

କହିଦେଲେ ଚାରି ବର୍ଷ ତଳେ; ଭକ୍ତ ମଧ୍ୟେ ପଡିଗଲା ହୁରି ||


କରୋନାର ତାମସୀ ଶକତି, ରୋଧିବ କି ନନ୍ଦିଘୋଷ ପଥ ?

ପରମ୍ପରା ସହସ୍ର ବର୍ଷର, ଭଗ୍ନ ହେବ ଭକ୍ତ ମନୋରଥ ?


ରାହୁ କେବେ ସୂର୍ଯ୍ୟକୁ କି ଭାଇ, ବେଶି କାଳ ପାରିଛି ଘୋଡାଇ ?

ଅସତ୍ୟ କି ସତ୍ୟର ପ୍ରକାଶ, ଚିରଦିନ ପାରିଛି ଦବାଇ ?


ଅଗଣିତ ବିଶ୍ବବାସୀଙ୍କର ମନ ବୁଝି ଜଗତ ଠାକୁର |

ଲୀଳାମୟ ରଚିଲେ ଉପାୟ, ବଦଳିଲା ପୂର୍ବର ବିଚାର ||


କିଛି କିଛି କଟକଣା ମାନି, ଘୋଷଯାତ୍ରା ହେଲା ଆନନ୍ଦରେ 

ଆମ୍ଭେମାନେ ଦେଖିଲେ ପ୍ରଭୁଙ୍କୁ, ଦୂରୁଁ ଥାଇ ଦୂରଦର୍ଶନରେ |


ଆଜ୍ଞା ହେଲା ବର୍ଷ ଦୁଇ ତଳେ “କରୋନା ତୁ ନ କର କଟାଳ

ତୋର ପୂର୍ଣ୍ଣ ପ୍ରାଦୁର୍ଭାବ ପାଇଁ ଦେଲି ମୁହିଁ ଦୁଇ ବର୍ଷ କାଳ |


ଏବେ କିନ୍ତୁ ଭକତେ ମୋହର, ବ୍ୟାକୁଳ ମୋ ଘୋଷଯାତ୍ରା ପାଇଁ 

ସେମାନଙ୍କ ଆନନ୍ଦ ନିମନ୍ତେ କଟକଣା ଦେଉଛି ଉଠାଇ ।


ତେଣୁ ଯିବା ଆସ ବନ୍ଧୁ ପୁରୀ, ଟାଣିବାକୁ ରଥ ଦୌଡି କରେ |

ରଥ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ଚର୍ମନେତ୍ରେ ବାରେ |


Rate this content
Log in

Similar oriya poem from Classics