STORYMIRROR

Shakti Prasad Das

Inspirational

4  

Shakti Prasad Das

Inspirational

ଓଡିଆ ନୂଆବର୍ଷ - ପଣା ସଂକ୍ରାନ୍ତି

ଓଡିଆ ନୂଆବର୍ଷ - ପଣା ସଂକ୍ରାନ୍ତି

2 mins
377

 

ଓଡିଆ ନବୀନ ବର୍ଷ କେଡେ ଶୁଭ ଦିନ !

ଜନ୍ମିଥିଲେ ଏହି ଦିନ ବୀର ହନୁମାନ │|


ସମ୍ବିଧାନ ପ୍ରଣୟିତା ମଧ୍ୟ ଏହି ଦିନ,

ହୋଇ ଜନ୍ମ ବଢାଇଲେ ଦେଶ-ଦଶ ନାମ ││


ଚୈତ୍ର ମାସ ହୁଏ ଶେଷ, ବୈଶାଖ ଆରମ୍ଭ │

ଆରମ୍ଭଇ ପ୍ରକୃତିର ବିଶୋଧନ ପର୍ବ ││


ଜୀବନଟି  ଯେଉଁ ଜଳ ଯେବେ ସେ ଦୂଷିତ │

ହୁଏ ସୃଷ୍ଟି ରକ୍ଷା ଅର୍ଥେ ହୋଇ ବ୍ୟବହୃତ  ││


ନାଳ ନର୍ଦ୍ଦମାରେ ଅବା ପୋଖରୀରେ ଥାଇ,

ଅବା ମିଶେ ସମୁଦ୍ରରେ ଲବଣାକ୍ତ ହୋଇ ││


ନିଦାଘ କାଳରେ ତାହା ସୂର୍ଯ୍ୟ ନାରାୟଣ,

ଶୋଷି ନେଇ ବିରଚନ୍ତି ମେଘମାଳା ମାନ │|


ସୃଷ୍ଟିର କଲ୍ୟାଣ କାର୍ଯ୍ୟେ ହୋଇ ସେହୁ ବ୍ରତୀ │

ଆଳସ୍ୟ, ସଂକୋଚ ଅବା ଘୃଣା ନ କରନ୍ତି  ││


ବିବେକୀ ରାଜା ଯେପରି ରାଜସ୍ବ ନିଅଇ,

ପରବର୍ତ୍ତୀ କାଳେ ତାହା ପ୍ରଜା ହିତ ପାଇଁ,


ବିତରଇ, ଅବା ତାକୁ କରେ ଉପଯୋଗ

ପ୍ରଜା ହିତେ, ନ କରିଣ ନିଜେ ଉପଭୋଗ │


ସେପରି ଦୂଷିତ ଜଳ ନିଦାଘ ଯେ ନେଇ │

ବିଶୋଧନ କରି ତାହା ଦିଏଟି ଫେରାଇ  ││


ଉପରକୁ ଦିଶେ ଗ୍ରୀଷ୍ମ ଅତି ଭୟଂକର │

କିନ୍ତୁ ସୃଷ୍ଟି ହିତେ ତା’ର ଚିତ୍ତ ନିରନ୍ତର  ││


ପୃଥିବୀରୁ ନେଇ ସେହୁ ଅପବିତ୍ର ଜଳ │

ନିଜ ଉଗ୍ର ତେଜେ ତାକୁ କରଇ ନିର୍ମଳ  ││

 

ଏପରି ଶୁଭ ମୁହୂର୍ତ୍ତ ଥିବ ଆଉ କାହିଁ,

ପାଳିବାକୁ ନବ ବର୍ଷ ଉତ୍ସବ ମନାଇ ?


ଓଡିଶାର ସବୁ କିଛି ଅତି ଅନୁପମ  │

ଜଗତ ଭିତରେ ସେହୁ ଆମ ପ୍ରିୟତମ  ││


ତା’ର ରୂପ ଗାରିମାର ନାହିଁ ଯେ ତୁଳନା  │

ଉତ୍କୃଷ୍ଟ କଳାର ଭୂମି ଜଗତେ ଅନନ୍ୟା  ││


ସବୁଠାରୁ ରମ୍ୟ ମଧ୍ୟ ନୂଆ ବର୍ଷ ତା’ର  │

କି ଦେବି ଉପମା ଯା’ର ନାହିଁ ପଟାନ୍ତର  ││


ଦେବାଳୟମାନ ସବୁ ହୋଇ ସୁସଜ୍ଜିତ  |

ଫରଫର ହୋଇ ଉର୍ଦ୍ଧ୍ବେ ଉଡୁଥାଇ ନେତ  ||


ମୁଖାଧାରୀ ମାନସିକକାରୀ ହନୁମାନ

ନବବର୍ଷେ ଯା’ନ୍ତି ଫେରି ଅସୁରେଶ୍ବର ଗ୍ରାମ  ||


ଚୈତ୍ରମାସେ ଘଣ୍ଟଘଣ୍ଟା ବଜାଇ ବୁଲନ୍ତି  |

ନୂଆବର୍ଷେ ଘଣ୍ଟପାଟୁଆଏ ଫେରିଯା’ନ୍ତି  ||


ମା ହିଂଗୁଳାଙ୍କ ଯାତ୍ରା ଚୈତ୍ର ମାସ ଶେଷେ  |

ପବିତ୍ର ଏ ଅବସର ଏପରି ଅଶେଷେ  ||


ପବିତ୍ର ଏ ଦିବସର ହେଉ ଅନୁଚିନ୍ତା  │

ସମୃଦ୍ଧ ଓଡିଶା ଉଠୁ ଲଭି ନବ ଚେତା  ││


ନୂତନ ଉତ୍ସାହ ଆଉ ନବ ଜାଗରଣ  │

ଓଡିଆ ପ୍ରାଣରେ ଆଣୁ ନୂଆ ଶିହରଣ  ││


ପୂର୍ବର ସମୃଦ୍ଧି ଆଉ ଗୌରବ ପୂର୍ବର │

ଫେରି ଆସୁ ଲଭି ପୁଣି ନବ କଳେବର  ││


ତାହା ଦେଖି ପୂର୍ବସୂରି ହୋଇବେ ସନ୍ତୋଷ  │

ଚଳାଉଥିଲେ ଯେ ଦିନେ ଜାତି ନନ୍ଦିଘୋଷ  ││


ଇଂ ଶକ୍ତି ପ୍ରସାଦ ଦାସ

ମହାନଦୀ ବିହାର, କଟକ

ତା ୧୪-୦୪-୨୦୨୫ ରିଖ, ସୋମବାର, ପଣାସଂକ୍ରାନ୍ତି


[ବି.ଦ୍ର. ଏହି କବିତାଟି କବିଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ତା ୧୪-୦୪-୨୦୨୪ ରିଖ, ରବିବାର, ପଣାସଂକ୍ରାନ୍ତି (୨) ତା ୧୪-୦୪-୨୦୨୩ ରିଖ, ଶୁକ୍ରବାର, ପଣାସଂକ୍ରାନ୍ତି (୩) ତା ୧୪-୦୪-୨୦୨୨, ଗୁରୁବାର (୪) ୨୦୨୧ ମସିହା ପଣା ସଂକ୍ରାନ୍ତି (୫) ୨୦୨୦ ମସିହା ପଣା ସଂକ୍ରାନ୍ତି (୬) ୨୦୧୮ ମସିହା ପଣା ସଂକ୍ରାନ୍ତି (୭) ୨୦୧୭ ମସିହା ପଣା ସଂକ୍ରାନ୍ତି, ଇତ୍ୟାଦି | ଏଥରର କବିତା ପୂର୍ବ ପ୍ରକାଶିତ କବିତାର ପରିମାର୍ଜିତ/ ପରିବର୍ଦ୍ଧିତ ସଂସ୍କରଣ | ଏଥର ଏହା ଲେଖକଙ୍କ Facebook Page ଏବଂ Blog Sites: https://shaktiprasaddas.wordpress.com;  https://blog.storymirror.com; shaktiprasaddas.blogspot.com, Linked-in ଆଦିରେ ପ୍ରକାଶିତ |]


Rate this content
Log in

Similar oriya poem from Inspirational