ଉତ୍କଳ ଦିବସ
ଉତ୍କଳ ଦିବସ
ଅଣାନବେ ବର୍ଷ ପୂର୍ବେ ଆଜିର ଦିନରେ,
ଗଢା ହେଲା ଆମ ରାଜ୍ୟ ଭାଷା ଆଧାରରେ ||
ପ୍ରଥମ ପ୍ରଦେଶ ସିଏ ଏପରି ହେବାରେ,
ଓଡିଶା ନାମଟି ତା’ର ଭାରତ ଭୂମିରେ ||
ଉତ୍କୃଷ୍ଟ କଳାର ଦେଶ ନାମ ତା ଉତ୍କଳ,
ପୁଷ୍କରିଣୀ ଭାରତରେ ସିଏ ଶତଦଳ ||
ଥିଲା ସେହୁ ଉଚ୍ଚ ସ୍ଥାନେ ଅତୀତ କାଳରେ,
କାଳର କରାଳ ମୁଖୁ କେହୁ ବର୍ତ୍ତିପାରେ ?
ସମୟର ସ୍ରୋତ କ୍ରମେ ହେଲା ବିପରୀତ,
ହରାଇଲା ନିଜ ସ୍ଥାନ ଜାତି ଏ ମହତ ||
କାଳର କୁଟିଳ ଗତି ଆଉ ନିଜ ଦୋଷେ,
ଜାତ ହେଲେ ଅପଦାର୍ଥେ ବଂଶନାଶ ଅର୍ଥେ ||
ନିଜ ନିଜ ମଧ୍ୟେ ସେହୁ ରଚି ଘୋର କଳି,
ଆବର ଆଣିଲେ ଡାକି ବିଦେଶୁ ବଇରି ||
ଜୟଚନ୍ଦ୍ରମାନେ ଅବା ଶିଖି ବା ମନାଇ,
କାଳେ କାଳେ ଜନମନ୍ତି ସବୁ ଦେଶେ ସେହି ||
ସହୋଦରେ ମରାଇଣ ଶେଷେ ନିଜେ ମଲେ,
ସର୍ପ କି ଛାଡଇ ତାକୁ କ୍ଷୀର ପିଆଇଲେ ?
ବିଶାଳ ଭୂଖଣ୍ଡ ଆମ ବିଖଣ୍ଡିତ ହେଲା,
ଗଂଗା ଠାରୁ ଗୋଦାବରୀ ଯାହା ବ୍ୟାପିଥିଲା ||
ନିଜ ତେଜ ବଳ ବୀର୍ଯ୍ୟ ଆବର ଯେ ଯଶ,
ହରାଇ ଏ ବୀର ଜାତି ହୋଇଲା ଅବଶ ||
ମନ୍ତ୍ରର ସାଧନ ଅବା ଶରୀର ପାତନ,
ଥିଲା ଯା’ର ମହାମନ୍ତ୍ର ସେହି ବୀର ଜନ ||
ପରାଧୀନ ହୋଇ ସେହି କେତେ କାଳ ଯାଏ,
ଅବା ଗୋଡାଣିଆ ହୋଇ ଦିନ ସେ ବିତାଏ ||
ଅନାହାରେ ଥାଇ ଅବା ସେହୁ ଅର୍ଦ୍ଧାହାରେ,
ପ୍ରପୀଡିତ ଥାଇ ଅବା ବନ୍ୟାରେ ବାତ୍ୟାରେ ||
ଅବା ଶତ୍ରୁର ପ୍ରକୋପେ ଥାଏ ଡରି ମରି,
ଏହିପରି ବହି ଯାଏ ସମୟର ତରୀ ||
ଥିଲା ମାତ୍ର ଯଶ କୀର୍ତ୍ତି ପୂର୍ବ ପୁରୁଷର,
ବଂଚିଥିଲା ଜନମୁଖେ ଲଭିଣ ଆଦର ||
ମୃତପ୍ରାୟ ବଂଚିରହି ଏ ଜାତି ଏ ମହାନ,
କରୁଥିଲା ଖେଦ ମନେ ଅଶ୍ରୁ-ବିସର୍ଜନ ||
ଅପେକ୍ଷା ସେ କରୁଥିଲା ଭଗୀରଥ କେହି,
ସ୍ବର୍ଗରୁ ଆଣିବେ ଯେବେ ଗଂଗାଙ୍କୁ ଓହ୍ଲାଇ ||
ନିରନ୍ତର ଦଗ୍ଧ ହେଉଥିବା ପ୍ରାଣ ତା’ର,
ତା ଶୀତଳ ଜଳ ସ୍ପର୍ଶେ ଲଭିବ ନିସ୍ତାର ||
ଏହି ପରି ଗଲା ବିତି ଅନେକ ବରଷ,
କାଳ ପ୍ରେରଣାରେ ହୁଏ ନୂତନ ଉନ୍ମେଷ ||
ଜନମିଲେ କୁଳବୃଦ୍ଧ ଆଉ କବିବର,
ଜନ୍ମ ନେଲେ ସେନାପତି ସଂଗେ କର୍ମବୀର ||
ସ୍ବଭାବର କବି ଆଉ ମଣି ଉତ୍କଳର,
ପଲ୍ଲୀକବି କାନ୍ତକବି ବକ୍ସି ବୀରବର ||
ଜନ୍ମ ନେଲେ କେତେ କେତେ ମହାନ ପୁରୁଷ,
ଲାଘବ କରିବା ପାଇଁ ଜନନୀର କ୍ଲେଶ ||
ଏକତ୍ରିତ କଲେ ନିଜ ପୁରୁଷାର୍ଥ ବଳେ,
ବିଖଣ୍ଡିତ ଉତ୍କଳୀୟ ଭୂଖଣ୍ଡ ଯେ ଥିଲେ ||
ଦେଲେ ପୁଣି ଏ ଜାତିକୁ ତା’ର ମାତୃଭାଷା,
ଯା ବିନା ଏ ଜାତି ଲଭୁଥିଲାଟି ଦୁର୍ଦ୍ଦଶା ||
ପୁନର୍ଜନ୍ମ ହେଲା ଆମ ନବ କଳେବରେ,
୧୯୩୬ ଅପ୍ରେଲ୍ ପ୍ରଥମ ଦିନରେ ||
ଆମ ଠାକୁରଙ୍କ ପରି ଅଧାଗଢା ହୋଇ,
ରହିଗଲୁ କିଛି କିଛି ଅଂଚଳ ହରାଇ ||
ଷଢ଼େଇକଳା ଓ ଖରସୁଆଁ ଆଦି ଯେତେ,
ମେଦିନୀପୁର ଓ ଇଚ୍ଛାପୁର ସେହି ମତେ ||
ହୋଇଥିଲେ ସୁଦ୍ଧା ଉତ୍କଳୀୟ ଭାଷାବାସୀ,
ବିଛିନ୍ନାଂଚଳ ବୋଲାଇ ହେଲେ ପରଦେଶୀ ||
କିନ୍ତୁ ଅଦୃଷ୍ଟର ଖେଳ କେ ଆନ କରିବ ?
ଯାହା ଭାଗ୍ୟେ ଲେଖାଥିବ ନିଶ୍ଚୟ ଫଳିବ ||
ଅଧାଗଢା ହୋଇବି ତ ଠାକୁର ଆମର,
ଜଗତରେ ବୋଲାଅନ୍ତି ସବୁଠାରୁ ବଡ ||
ଅନୂରୁ ଅରୁଣ ମଧ୍ୟ ଅଧାଗଢା ହୋଇ,
ତେଜସ୍ବୀ ସୂର୍ଯ୍ୟଙ୍କ ରଥ ଆକାଶେ ବାହଇ ||
ଏଣୁ ଅଧାଗଢା ବୋଲି ମନ ଊଣା କରି,
ରହିଲେ ହବ କି ଭାଇ ଭାଗ୍ୟକୁ ଆଦରି ?
ଅଧାଗଢା କାର୍ଯ୍ୟ ଯାହା ପୂର୍ବସୂରୀଙ୍କର
ମନୁଷ୍ୟ ତାହାକୁ ଯେବେ କରଇ ସାକାର ||
ତନୁ କ୍ଷୟ ମାତୃଭୂମି ମାତୃଭାଷା ପାଇଁ,
କଲେ ମାନବ ଜୀବନ ସଫଳ ହୁଅଇ ||
ଆଜିର ଦିନରେ ଏହି ଅନୁଚିନ୍ତା ନେଇ,
ସମୃଦ୍ଧ ଓଡିଶା ଗଢିବା ମନପ୍ରାଣ ଦେଇ ||
ଇଂ ଶକ୍ତି ପ୍ରସାଦ ଦାସ
ମହାନଦୀ ବିହାର, କଟକ
ତା ୦୧-୦୪-୨୦୨୫ ରିଖ, ମଂଗଳବାର
[ବି.ଦ୍ର. ଏହି କବିତାଟି କବିଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ତା ୦୧-୦୪-୨୦୨୪, ସୋମବାର (୨) ତା ୦୧-୦୪-୨୦୨୩, ଶନିବାର (୩) ତା ୦୧-୦୪-୨୦୨୨, ଶୁକ୍ରବାର (୪) ତା ୦୧-୦୪-୨୦୨୧ ରିଖ (୫) ତା ୦୧-୦୪-୨୦୨୦ ରିଖ, ଇତ୍ୟାଦି | ଏଥର ଏହା ଲେଖକଙ୍କ Facebook Page ଏବଂ Blog Sites: https://shaktiprasaddas.wordpress.com; https://blog.storymirror.com; shaktiprasaddas.blogspot.com, Linked-in ଆଦିରେ ପ୍ରକାଶିତ |]
ସବୁ ବନ୍ଧୁମାନଙ୍କୁ ଉତ୍କଳ-ଦିବସର ପବିତ୍ର ଅବସରରେ ଅନେକ ଅନେକ ଶୁଭେଚ୍ଛା | ବନ୍ଦେ ଉତ୍କଳ ଜନନୀ |
