ଓଡିଆ ନୂଆବର୍ଷ (ମହାବିଷୁବ/ ପଣା ସଂକ୍ରାନ୍ତି)
ଓଡିଆ ନୂଆବର୍ଷ (ମହାବିଷୁବ/ ପଣା ସଂକ୍ରାନ୍ତି)
ଓଡିଆ ନବୀନ ବର୍ଷ କେଡେ ଶୁଭ ଦିନ !
ଜନ୍ମିଥିଲେ ଏହି ଦିନ ବୀର ହନୁମାନ ।
ସମ୍ବିଧାନ ପ୍ରଣୟିତା ମଧ୍ୟ ଏହି ଦିନ,
ହୋଇ ଜନ୍ମ ବଢାଇଲେ ଦେଶ-ଦଶ ନାମ ।
ଚୈତ୍ର ମାସ ହୁଏ ଶେଷ, ବୈଶାଖ ଆରମ୍ଭ
ଆରମ୍ଭଇ ପ୍ରକୃତିର ବିଶୋଧନ ପର୍ବ ।
ଜୀବନଟି ଯେଉଁ ଜଳ ଯେବେ ସେ ଦୂଷିତ
ହୁଏ ସୃଷ୍ଟି ରକ୍ଷା ଅର୍ଥେ ହୋଇ ବ୍ୟବହୃତ ।
ନାଳ ନର୍ଦ୍ଦମାରେ ଅବା ପୋଖରୀରେ ଥାଇ,
ଅବା ମିଶେ ସମୁଦ୍ରରେ ଲବଣାକ୍ତ ହୋଇ ।
ନିଦାଘ କାଳରେ ତାହା ସୂର୍ଯ୍ୟ ନାରାୟଣ,
ଶୋଷି ନେଇ ବିରଚନ୍ତି ମେଘମାଳା ମାନ ।
ସୃଷ୍ଟିର କଲ୍ୟାଣ କାର୍ଯ୍ୟେ ହୋଇ ସେହୁ ବ୍ରତୀ
ଆଳସ୍ୟ, ସଂକୋଚ ଅବା ଘୃଣା ନ କରନ୍ତି ।
ବିବେକୀ ରାଜା ଯେପରି ରାଜସ୍ବ ନିଅଇ,
ପରବର୍ତ୍ତୀ କାଳେ ତାହା ପ୍ରଜା ହିତ ପାଇଁ ।
ବିତରଇ, ଅବା ତାକୁ କରେ ଉପଯୋଗ
ପ୍ରଜା ହିତେ, ନ କରିଣ ନିଜେ ଉପଭୋଗ ।
ସେପରି ଦୂଷିତ ଜଳ ନିଦାଘ ଯେ ନେଇ
ବିଶୋଧନ କରି ତାହା ଦିଏଟି ଫେରାଇ ।
ଉପରକୁ ଦିଶେ ଗ୍ରୀଷ୍ମ ଅତି ଭୟଂକର
କିନ୍ତୁ ସୃଷ୍ଟି ହିତେ ତା’ର ଚିତ୍ତ ନିରନ୍ତର ।
ପୃଥିବୀରୁ ନେଇ ସେହୁ ଅପବିତ୍ର ଜଳ
ନିଜ ଉଗ୍ର ତେଜେ ତାକୁ କରଇ ନିର୍ମଳ ।
ଏପରି ଶୁଭ ମୁହୂର୍ତ୍ତ ଥିବ ଆଉ କାହିଁ,
ପାଳିବାକୁ ନବ ବର୍ଷ ଉତ୍ସବ ମନାଇ ?
ଓଡିଶାର ସବୁ କିଛି ଅତି ଅନୁପମ
ଜଗତ ଭିତରେ ସେହୁ ମୋର ପ୍ରିୟତମ ।
ତା’ର ରୂପ ଗାରିମାର ନାହିଁ ଯେ ତୁଳନା
ଉତ୍କୃଷ୍ଟ କଳାର ଭୂମି ଜଗତେ ଅନନ୍ୟା ।
ସବୁଠାରୁ ରମ୍ୟ ମଧ୍ୟ ନୂଆ ବର୍ଷ ତା’ର
କି ଦେବି ଉପମା ଯା’ର ନାହିଁ ପଟାନ୍ତର ।
ପବିତ୍ର ଏ ଦିବସର ହେଉ ଅନୁଚିନ୍ତା
ସମୃଦ୍ଧ ଓଡିଶା ଉଠୁ ଲଭି ନବ ଚେତା ।
ନୂତନ ଉତ୍ସାହ ଆଉ ନବ ଜାଗରଣ
ଓଡିଆ ପ୍ରାଣରେ ଆଣୁ ନୂଆ ଶିହରଣ ।
ପୂର୍ବର ସମୃଦ୍ଧି ଆଉ ଗୌରବ ପୂର୍ବର
ଫେରି ଆସୁ ଲଭି ପୁଣି ନବ କଳେବର ।
ତାହା ଦେଖି ପୂର୍ବସୂରି ହୋଇବେ ସନ୍ତୋଷ
ଚଳାଉଥିଲେ ଯେ ଦିନେ ଜାତି ନନ୍ଦିଘୋଷ ।
