STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଆଗମ ନିଗମ ରହସ୍ୟ

ଆଗମ ନିଗମ ରହସ୍ୟ

4 mins
289



ଆଗମ ନିଗମ ବେଦର ରହସ୍ୟ

ତତ୍ତ୍ଵ ପୁଣି ସର୍ନିବେଶ 

ଏ ବ୍ରହ୍ମାଣ୍ଡ ସୃଷ୍ଟି ଅୟମାରମ୍ଭ ର 

ରହସ୍ୟ ପରିପ୍ରକାଶ

ବ୍ରହ୍ମାଣ୍ଡ ଭୁଗୋଳ ସମ୍ବନ୍ଧୀୟ ତତ୍ତ୍ଵ

ଅନୁମେୟ ସହଜରେ 

ବର୍ଣ୍ଣିତ ହୋଇଛି ନିଗୂଢ଼ ରହସ୍ୟ

ନିଗମ ବା ବେଦ ଧାରେ


ପ୍ରଥମତଃ ଆକାଶର ନାହିଁ ଅନ୍ତ

ନାହିଁ ମାପ କି ଆକାର

ସୀମା ହୀନ ଆକାଶରେ ସର୍ବ ଶୁନ୍ୟ

ଉତ୍ପତ୍ତି ଶୁନ୍ୟ ଶବ୍ଦର

ସୃଷ୍ଟି ର ଉତ୍ପତ୍ତି ସମ୍ଭବ ଶୁନ୍ୟ ରୁ

ବିଲୟ ସେହି ଶୁନ୍ୟରେ

ଏ ଶୁନ୍ୟ ହିଁ ବ୍ୟାପକ ପୁଣି ଅସୀମ

ଭାବ ଚିନ୍ତା ଚେତନାରେ

ଶୁନ୍ୟ ମଧ୍ୟେ ଅଛି ଚେତନାର ଶକ୍ତି 

ଯିଏ ଚଳାଏ ଜଗତ

ସେ' ଚେତନା ଶକ୍ତି ଅଟେ ଶୁନ୍ୟ ବ୍ରହ୍ମ

ନାମେ ସଦା ଅଭିହିତ


ଅଦୃଶ୍ୟ ରେ ବିଶ୍ଵ ନିୟନ୍ତା ଶୁନ୍ୟରେ 

କେବଳ ହୃଦୟଙ୍ଗମ

ଅଦୃଶ୍ୟ ଶକ୍ତି ହିଁ ଶୁନ୍ୟ ବ୍ରହ୍ମ ରୂପେ

ଉପଲବ୍ଧି ଅଟେ କାମ୍ୟ

ବ୍ରହ୍ମ ବଳେ ପରିଚାଳିତ ସଂସାର

ଅଛି ବ୍ରହ୍ମର ଅସ୍ତିତ୍ବ

ନିରାକାର ପୁଣି ସର୍ବବ୍ୟାପୀ ବ୍ରହ୍ମ

ବ୍ରହ୍ମର ମୂଳେ ଜଗତ

ସେହି ଶୁନ୍ୟ ବ୍ରହ୍ମ ବ୍ୟାପି ଶୁନ୍ୟ ରୂପେ

ସବୁ କରି ଓ କରାଏ 

ଜଗତର ହିତେ ସର୍ବଦା ତପ୍ତର

ବିଭିନ୍ନ କରଣି ପ୍ରାୟେ

ନିରାକାର ଆଉ ଶୁନ୍ୟ ବ୍ରହ୍ମ ମଧ୍ୟେ

ପ୍ରଭେଦ ପରିକଳ୍ପନା

ସମାଧିସ୍ଥ ଜ୍ଞାନ ଯୋଗେ ବ୍ରହ୍ମ ଦୃଶ୍ୟ

ଯଦି ହୁଅଇ ସାଧନା 

କଳ୍ପନା ଆକାରେ ନିରାକାର ବ୍ରହ୍ମ

କେବଳ ହୃଦୟଙ୍ଗମ

ଶୁନ୍ୟ ରୂପେ ଯାହା ଅଛି ସର୍ବ ବ୍ୟାପୀ 

ତାହା ଅଟେ ଶୁନ୍ୟ ବ୍ରହ୍ମ

ରୂପ ଅବା ଆକୃତି ସହକାରେ ବ୍ରହ୍ମ

ଯଦି ଉଭା ଅବା ବିଜେ

କେବଳ ସ୍ବରୂପ ସେ ଶୁନ୍ୟ ବ୍ରହ୍ମର 

ପ୍ରତ୍ୟୟ ହୁଏ ସହଜେ


ସୃଷ୍ଟିକର୍ତ୍ତା ଚିନ୍ତା କଲେ ଧର୍ମ ରକ୍ଷା

କିପରି ହେବ ପାଳନ

ସ୍ୱ-ଇଚ୍ଛା ରେ ଶବ୍ଦ,ଅକ୍ଷର ର ସୂତ୍ର

ରଖିଲେ ଅତି ଗୋପନ

'ଅ' ଠାରୁ' କ୍ଷ'ବର୍ଣ୍ଣ ମାଳା ସହିତରେ

ଧ୍ଵନି ଶବ୍ଦ ଉଚ୍ଚାରଣ

ଅଣାକ୍ଷର ଯନ୍ତ୍ରରେ ମନ୍ତ୍ର ଗଚ୍ଛିତ

ବୀଜ ପ୍ରୟୋଗ ମନନ


ଅକ୍ଷର ତତ୍ତ୍ଵର ସନ୍ଧାନ କଠିନ

ତା ' ସହିତ ଅଣାକ୍ଷର

ଅଣାକ୍ଷର ଜ୍ଞାନ କରିଲେ ସାଧନ

ବ୍ରହ୍ମ ଦର୍ଶନ ସତ୍ତ୍ୱର

ଗୋଟିଏ ପାଞ୍ଚ ମାତ୍ରା ବିଶିଷ୍ଟ ଲିପି

ପାଞ୍ଚଟି ମାତ୍ରା ରହିଛି

ସାଧକ ମୁଖରେ ଅଣାକ୍ଷର ତତ୍ତ୍ଵ

ମହତ୍ତ୍ଵ ବର୍ଣ୍ଣନା ଅଛି

ଅ ସହ ଆକାର, ଇକାର, ଉକାର 

ଏକାର ର ବ୍ୟବହାର

ଅନୁସ୍ୱାର ବିସର୍ଗ ଓ ଚନ୍ଦ୍ର ବିନ୍ଦୁ

ମିଳିତ ଅଛି ଏଥିର

ଅଣ ଅକ୍ଷର ରେ ବିନ୍ଦୁ,ଅର୍ଦ୍ଧ ମାତ୍ରା

ଆଦି ଅନାଦି କଥିତ

ଯେଉଁ ଅର୍ଦ୍ଧ ମାତ୍ରା ହୋଇଛି ସଂଲଗ୍ନ

ହ୍ରସଇ କାର ର ତତ୍ତ୍ଵ

'ଆ କାର ' ହିଁ ଆଦି ବ୍ରହ୍ମଙ୍କର ଧାମ

ବ୍ରହ୍ମ ହୁଏ ପ୍ରକଟିତ

ଯୋଗମାୟା,ମହାମାୟା,ବିଷ୍ଣୁମାୟା

ଅଲୌକିକ ପ୍ରକାଶିତ

'ଏ କାର ' ନିମ୍ନରେ ଅଛି ଶୁନ୍ୟ ପୂଡ଼ା

ବ୍ରହ୍ମଜ୍ଞାନ ର ମଣ୍ଡଳ

କ୍ଷରିତ ହୁଅଇ ବ୍ରହ୍ମଜ୍ଞାନ ସହ

ଶୁନ୍ୟ ତତ୍ତ୍ଵର ମଣ୍ଡଳ

'ହ୍ରସଉ କାର ' ଓ ଦୁଇ ଶୁନ ଅଟେ

ବ୍ରହ୍ମା ବିଷ୍ଣୁ ଶିବ ତତ୍ତ୍ଵ

ଦୁଇ ଶୁନ୍ୟ ତଳେ ଥିବା ଅର୍ଦ୍ଧା-ଗାର

ବାଇଶି ପାବଛ ତତ୍ତ୍ୱ

ଅକ୍ଷର ମାତ୍ରା ର ବିସର୍ଗ ଚିହ୍ନ ରେ

ବିଷ୍ଣୁ ମଣ୍ଡଳୀୟ ଜ୍ଞାନ

ଏକ ଶତ ଆଠ ବ୍ରହ୍ମ ତତ୍ତ୍ଵ ସୂତ୍ରୀ 

ପ୍ରାପ୍ତି ମାନସ ସନ୍ତାନ

ପାଞ୍ଚ ମନ ସହ ପଚିଶ ପ୍ରକୃତି

ପଞ୍ଚ ମାତ୍ରା ପଞ୍ଚ ଭୂତ

ଅଣାକ୍ଷର ସେହି ଅନାଦି ଅନନ୍ତ

ପରଂବ୍ରହ୍ମ ଜଗନ୍ନାଥ


ମହାଶୁନ୍ୟ ରୁ ଜ୍ୟୋତି,ଜ୍ୟୋତି ରୁ ଠୁଳ

ବିନ୍ଦୁ ବି ଠୁଳ-ରୂପ ରୁ 

ବିନ୍ଦୁର ଅର୍ଦ୍ଧ ମାତ୍ରା ରୁ 'ଓଁ ' ର ସୃଷ୍ଟି

ଏଇ ସୃଷ୍ଟି ଆରମ୍ଭରୁ

ଓଁକାର ହିଁ ବ୍ରହ୍ମଙ୍କର ଅନ୍ୟ ନାମ

ଶୁନ୍ୟ ଶାନ୍ତ ଓ ଅବ୍ୟକ୍ତ

ତପ ବଳରେ ଓଁକାର ରୁ ପ୍ରକାଶ

ପୁଣି ବ୍ରହ୍ମ ହୁଏ ଜାତ

ଅକ୍ଷର ,ପ୍ରକୃତି ଆଉ ଶବ୍ଦ ବ୍ରହ୍ମ 

ତିନି ରୂପରେ ବିଭକ୍ତ

ଅକ୍ଷର ବ୍ରହ୍ମ ହିଁ ଦାରୁବ୍ରହ୍ମ ରୂପେ

ପରଂବ୍ରହ୍ମ ଜଗନ୍ନାଥ

ପରା ଶକ୍ତି ପୁଣି ଅପରା ପ୍ରକୃତି

ଯୋଗମାୟା ସୁଭଦ୍ରିକା

ଶୁନ୍ୟରୁ ଠୁଳ-ରୂପ ପ୍ରକାଶ ବ୍ରହ୍ମ

ବଳଭଦ୍ର ରୂପେ ଏକା 

ବ୍ରହ୍ମା କର୍ଣ୍ଣେ ସୃଷ୍ଟି ସର୍ଜନା ରହସ୍ୟ 

ଶୁଭିଲା ଶବ୍ଦ ରୂପରେ

ସେଇ ଶବ୍ଦ ନାଦ ବ୍ୟାପ୍ତ ହେଲା ହେଳେ

ମହାଶୁନ୍ୟ ଆକାଶରେ

ଶବ୍ଦ ନାଦ ରୁ ବିନ୍ଦୁ ତ୍ରିଗୁଣାତ୍ମକ

ବ୍ରହ୍ମା-ବିଷ୍ଣୁ-ଶିବ ଭାବେ

ଅ ଉ ମ ତିନୋଟି ମାତ୍ରା ସହିତରେ

ଏକାକ୍ଷର ବ୍ରହ୍ମ ଭବେ 

ଯୋଗ ମାୟା ଅର୍ଦ୍ଧ ମାତ୍ରା ବିନ୍ଦୁ ସହ

ଓଁକାର ହିଁ ପ୍ରକଟିତ

ଶବ୍ଦ ବ୍ରହ୍ମ କୁ ଶୁଣିବାକୁ ପଚାଶ(୫୦)

ବର୍ଣ୍ଣ ରେ ବିଧି ବର୍ଣ୍ଣିତ

ଏକାକ୍ଷର ବ୍ରହ୍ମ ଅଟେ ପ୍ରଣବ

ବୀଜ ସର୍ବ ଶବ୍ଦ ରୂପୀ

ସେଥିରୁ ହୁଅଇ ଉତ୍ପନ୍ନ ଚଉଦ(୧୪)

ଅକାରାଦି ବର୍ଣ୍ଣ ରୂପୀ


ସ୍ୱର ବର୍ଣ୍ଣ ମାନେ ସର୍ବେ ବିଷ୍ଣୁ ରୂପ

ବ୍ୟଞ୍ଜନ ମାୟା ସ୍ବରୂପ

ସ୍ୱର ବର୍ଣ୍ଣ ତେର(୧୩)ଓଁକାର(୧)ମିଶି ଚଉଦ(୧୪

ବ୍ୟଞ୍ଜନ କ ଚ ଟ ତ ପ

ପାଞ୍ଚ ବର୍ଗରେ ଫଳ ଅଟେ ପଚିଶି(୨୫)

ଉଷ୍ଣ ବର୍ଣ୍ଣ ଯ ର ଳ ବ

ପୁଣି ଶ ଷ ସ ହ ସମୁଦାୟ ଆଠ(୮)

ଯୁକ୍ତ କରିବାକୁ ହେବ

ଅନୁସ୍ୱାର,ବିସର୍ଗ ଓ ଚନ୍ଦ୍ରବିନ୍ଦୁ

ତିନି(୩)ମିଶି ପୂର୍ଣ୍ଣ ହେବ

ଏହିପରି ଶବ୍ଦ ବର୍ଣ୍

ଣ ସମୁଦାୟ

ସମ୍ପୂର୍ଣ ପଚାଶ(୫୦) ହେବ


ଓଁକାର ପ୍ରଣବ ରୁ ସକଳ ସୃଷ୍ଟି

ପ୍ରଣବ ହିଁ ଅଟେ କୃଷ୍ଣ

କୃଷ୍ଣଙ୍କୁ ଚିହ୍ନିଲେ ହୁଏ ମୋକ୍ଷ ପ୍ରାପ୍ତି

ଦୂର ହୁଏ ଦୁଃଖ କଷ୍ଟ

ଅ-କାର ଆନନ୍ଦ ଓ ଉ-କାର ଚିତ

ମ-କାର ଅଟଇ ସତ

ଓଁ ର ଅନ୍ତିମ ଭାଗ '' ମ " ସ୍ଵରବର୍ଣ୍ଣ

ଉଚ୍ଚାରଣ ସମ୍ବଳିତ

"ମ'' ବର୍ଣ୍ଣ ଜଡ ପ୍ରକୃତିର ସୂଚକ

ଗତିଶୀଳ ନାହିଁ ତା'ର

ଅ,ଉ ଚେତନା ଭାବରେ ସହାୟତା

ଓଁ ରେ ତିନୋଟି ଅକ୍ଷର 

ତିନୋଟି ଅକ୍ଷର ତିନୋଟି ଗୁଣର

ସତ୍ତ୍ଵ ,ରଜ, ତମ ଚିହ୍ନ

ଯାହା ପରମାତ୍ମାଙ୍କ ତିନୋଟି ଭେଦ 

ସ୍ଥୂଳ ସୂକ୍ଷ୍ମ ଓ କାରଣ

ଅନ୍ୟ ଅର୍ଥେ ଉତ୍ପତ୍ତି ସ୍ଥିତି ପ୍ରଳୟ

ତିନୋଟି କ୍ରିୟା ସୃଷ୍ଟିର

ବ୍ରହ୍ମା ବିଷ୍ଣୁ ମହେଶ୍ୱର ସମାହାର

ତିନି ଦେବତାଙ୍କର

ଚେତନାର ତିନି ଅବସ୍ଥା ଜଡ଼ିତ

ବ୍ୟାପି ରହିଛି ସମ୍ପ୍ରତି

ବୈଶ୍ୱ ତୈଜସ ପ୍ରଜ୍ଞା ସରଳାର୍ଥ ରେ

ଜାଗ୍ରତ ସ୍ଵପ୍ନ ସୁଷୁପ୍ତି

ପ୍ରଣବ ସର୍ବବେଦେଷୁ ଗୀତା ବାଣୀ

ଓଁକାର ସର୍ବ ବେଦରେ

ଶ୍ରୀକୃଷ୍ଣଙ୍କର ମୁଖ ନିଃସୃତ ବାଣୀ

ଓଁକାର ସରଳାର୍ଥ ରେ

ସାଧକ ପାଇଁ ଓଁକାର ଧନୁ ସମ

ଆତ୍ମା ହିଁ ଶର ରୂପରେ

ସାଧକ ର ଲକ୍ଷ୍ୟ ସ୍ଥଳ ଅଟେ ବ୍ରହ୍ମ

ଆତ୍ମା ବିଦ୍ଧ ଓଁକାର ରେ 

ଓଁକାର ର ଅନ୍ୟ ନାମ ନାଦ ବ୍ରହ୍ମ

ଧ୍ଵନି ସୃଷ୍ଟି ଆରମ୍ଭରେ

ଧ୍ଵନି କମ୍ପନ ରୁ ଏ ଜଗତ ସୃଷ୍ଟି

ବିଜ୍ଞାନ ସମ୍ମତ କରେ

ଓଁକାର କୁ ଅନାହତ ଧ୍ଵନୀ ମାନ୍ୟ

ନାହିଁ କିଛି ଆଦି ଅନ୍ତ

ବିନା ଆଘାତରେ ଓଁକାର ର ସୃଷ୍ଟି 

ପ୍ରତ୍ୟକ୍ଷ ରେ ପ୍ରମାଣିତ

ମଣିଷର ନିଃଶ୍ୱାସ ପ୍ରଶ୍ୱାସ ସମୟେ

ଅସ୍ପଷ୍ଟ 'ହଂ- ସ ' ଧ୍ଵନି ରେ

ସେହି ଧ୍ଵନି ଅଟେ ଅନାହତ ନାଦ

ଅଜପା ଜପ ନାମରେ

ସୃଷ୍ଟିର ସମଗ୍ର ତତ୍ତ୍ଵ ସମାହିତ

ଓଁକାର ଧ୍ଵନି ନାଦରେ

ବ୍ରହ୍ମାଙ୍କ ବେଦ ନିସୃତ ବାଣୀ ଅଟେ

ବେଦ ଓଁକାର ର ଧାରେ

ଶ୍ରୀକୃଷ୍ଣଙ୍କର ମଧୁର ବଂଶୀସ୍ୱନ

ମଧ୍ୟେ ବଳୟ ଓଁକାର 

ଶିବଙ୍କ ଉଗ୍ର ତାଣ୍ଡବ ରୁ ନିର୍ଗତ

କମ୍ପନ ଅଟେ ଓଁକାର

ପିଣ୍ଡ ବ୍ରହ୍ମାଣ୍ଡର ଆଧାର ଓଁକାର

ସର୍ବ ଧର୍ମେ ଉପଯୋଗ

ଓଁକାର ଅଟଇ ସାର୍ବଭୌମ ତତ୍ତ୍ଵ

ଆଧ୍ୟାତ୍ମିକ ଯୋଗା ଯୋଗ

ପବିତ୍ର ବାଇବଲରେ ବି ଉଲ୍ଲେଖ 

ପୂର୍ବେ ଶବ୍ଦ ଥିଲା ସ୍ଥିର 

ସେହି ଶବ୍ଦ ଥିଲା ଈଶ୍ୱରଙ୍କ ସହ

ଶବ୍ଦ ଅଟଇ ଈଶ୍ୱର 

ଭାଷାର ଶଦ୍ଦ ଉଚ୍ଚାରଣ ବେଳେ

ମୁଖେ ନିର୍ଗତ ଅ-କାର

ମୁଖ ବନ୍ଦ ବେଳେ ହୁଅଇ ମ-କାର

ମଧ୍ୟ ସ୍ଥଳରେ ଉ-କାର

ସମସ୍ତ ଶବ୍ଦ ବର୍ଣ୍ଣ ଭାଷା ନିହିତ

ଓଁକାର ର ଅନ୍ତର୍ଗତ

ବିଶ୍ବର ପ୍ରତ୍ୟେକ ଭାଷା ଉଚ୍ଚାରଣ

ଶବ୍ଦ ବର୍ଣ୍ଣ ରେ ଜଡିତ

ଓଁ ଉଚ୍ଚାରଣ ବେଳେ ଅ-କାର ଧ୍ଵନି

ମୂଳାଧାର ରୁ ନିର୍ଗତ

ମଣିପୁର ଚକ୍ର ନାମେ ନାଭି ଦେଶୁ

ରୁଦ୍ର ଗ୍ରନ୍ଥି ହୁଏ ବ୍ୟାପ୍ତ

ନାଭି ଦେଶ ଉର୍ଦ୍ଧେ ହୃଦୟ ମଧ୍ୟରେ

ବିଶୁଦ୍ଧଚକ୍ର କୁ ଗୁନ୍ଥି

ଉ-କାର ଧ୍ଵନି ବ୍ୟାପ୍ତ ହୁଏ ସମ୍ପ୍ରତି 

ଭେଦ କରି ବିଷ୍ଣୁଗ୍ରନ୍ଥି

ମ-କାର ଧ୍ଵନି କଣ୍ଠ ଦେଶୁ ନିଃସୃତ

ଆଜ୍ଞା ଚକ୍ର ର ପର୍ଯ୍ୟନ୍ତ 

ପରେ ପରେ ଭେଦ କରେ ବ୍ରହ୍ମ ଗ୍ରନ୍ଥି

ତାପରେ ଅବସ୍ଥା ଶାନ୍ତ

ଅର୍ଦ୍ଧ ମାତ୍ରା ର ସୂକ୍ଷ୍ମ ଧ୍ଵନି ସହିତ

ଆତ୍ମାର ସାକ୍ଷାତକାର

ନିଶ୍ଚଳ ଶାନ୍ତ ଅବସ୍ଥା ପ୍ରାପ୍ତ ହୁଏ

ଓଁକାର ପୂର୍ଣ୍ଣ ଆକାର

ଓଁକାର ହିଁ ବ୍ରହ୍ମଙ୍କ ପରିଚାୟକ

ଶାନ୍ତଂ ଶିବଂ ଅଦୈତମ୍ 

ଓଁକାର, ଅସରନ୍ତି ଜ୍ଞାନ ଭଣ୍ଡାର

ନାହିଁ ମାତ୍ର ଆଦି ଅନ୍ତ

ଓଁକାର ତତ୍ତ୍ୱ ର ରହସ୍ୟ ନିମନ୍ତେ

ପ୍ରୟାସ ହିଁ ଆବଶ୍ୟକ

ସେହି ଅକ୍ଷର ବ୍ରହ୍ମ ଓଁକାର ନାଦେ

ଜୀବନ ହେବ ସାର୍ଥକ


ଅଣାକ୍ଷର ଅତ୍ୟନ୍ତ ଗୁଢ଼ ରହସ୍ୟ

ଅଗମ୍ୟ ପୁଣି ଗମ୍ଭୀର

ସେହି ତତ୍ତ୍ଵ ଜ୍ଞାନ ଆହରଣ ପାଇଁ

ସ୍ଥିର ଚିତ୍ତ ଶ୍ରେୟସ୍କର

ଶୁନ୍ୟ ମଣ୍ଡଳରେ ଜ୍ୟୋତି ସ୍ବରୂପ ରେ

ଥିଲେ ସେ ଅବ୍ୟକ୍ତ ବ୍ରହ୍ମ

ସ୍ୱ-ଇଚ୍ଛା ରେ ଦୁଇ ଭାଗ ହେଲା ଆପେ

ଅବ୍ୟକ୍ତ ରୁ ବ୍ୟକ୍ତ ବ୍ରହ୍ମ

ବ୍ୟକ୍ତ ଅବସ୍ଥା ରେ ପୁରୁଷ ,ପ୍ରକୃତି

ଭାବେ ହେଲେ ପରିଚିତ

ମିଳନ ହୋଇଲା ପୁରୁଷ ପ୍ରକୃତି

ସୃଷ୍ଟି ଏ ଜୀବ ଜଗତ

ମିଳନ ସମୟେ ବିନ୍ଦୁ-ଅର୍ଦ୍ଧମାତ୍ରା 

ସୃଷ୍ଟି ସହ ଏକାକାର

ପ୍ରଣବ ପ୍ରକାଶ ସହିତ ଉତ୍ପତ୍ତି

ବ୍ରହ୍ମା ବିଷ୍ଣୁ ମହେଶ୍ୱର

ଯେବେ ଅବ୍ୟକ୍ତ ରୁ ବ୍ୟକ୍ତ ହେଲା ବ୍ରହ୍ମ

ବ୍ୟକ୍ତ ତ୍ରିଦେବ ରୂପରେ

ପୁରୁଷ ପ୍ରକୃତି ହେଲେ ବିବେଚିତ

ଆଦି ଅନାଦି ଭାବରେ


ନିରାକାର ବ୍ରହ୍ମ ସାକାର ହୋଇଛି

କଳି କାଳେ ଦାରୁବ୍ରହ୍ମ

ବିଗ୍ରହ ଆକାରେ ଦର୍ଶନ ହେଉଛି

ହୃଦୟେ ସେ ଶୁନ୍ୟ ବ୍ରହ୍ମ

ଶୁନ୍ୟ ଶୁନ୍ୟ ମହାଶୁନ୍ୟ ଶୂନ୍ୟ ବ୍ରହ୍ମ

ଜାତ,ବିଲୟ ଶୁନ୍ୟରେ

ହୃଦୟ ରେ ଯଦି ଶୁନ୍ୟ ଭାବ ଜାତ 

ଧ୍ୟାୟ ନିତ୍ୟ ଶୁନ୍ୟ ବ୍ରହ୍ମ

ଅକ୍ଷର ,ପ୍ରକୃତି ଆଉ ଶବ୍ଦ ବ୍ରହ୍ମ 

ତିନି ରୂପରେ ବିଭକ୍ତ

ଅକ୍ଷର ବ୍ରହ୍ମ ହିଁ ଦାରୁବ୍ରହ୍ମ ରୂପେ

ପରଂବ୍ରହ୍ମ ଜଗନ୍ନାଥ

ପରା ଶକ୍ତି ପୁଣି ଅପରା ପ୍ରକୃତି

ଯୋଗମାୟା ସୁଭଦ୍ରିକା

ଶୁନ୍ୟରୁ ଠୁଳ-ରୂପ ପ୍ରକାଶ ବ୍ରହ୍ମ

ବଳଭଦ୍ର ରୂପେ ଏକା 

ଆଗମ ନିଗମ ଆଧ୍ୟାତ୍ମିକ ରସ 

ପାନ କରିବା ବିଧେୟ

ସୃଷ୍ଟି ଉତ୍ପତ୍ତିର ପ୍ରକୃତ ରହସ୍ୟ

ସହଜରେ ଅନୁମେୟ 



Rate this content
Log in

Similar oriya poem from Abstract