ପ୍ରକୃତିର ଅଭିସାର
ପ୍ରକୃତିର ଅଭିସାର
ଲୋହିତ ସଞ୍ଜ
ମନ୍ଦିରରେ ମାଙ୍ଗଳିକ ଧ୍ଵନି
ସ୍ଵର୍ଣ୍ଣାଭ ଆଲୋକରେ
ସକାଳର କାକର
ପାହାଡ଼ ତଳ ବନ ଭୂଇଁ
ପୋଖରୀର ନୀଳ କଇଁ
ଦୂର ପାହାଡ଼ର କୁହୁଡ଼ି
ପରିସ୍କାର ନଦିଶିଲେ ବି
ସବୁ ଦେଖେ ଅବାକ ହୋଇ |
ମହୁଆ ଫଗୁଣର ମୋହ
ଉଚ୍ଚାଟ ବଇଁଶୀର ସ୍ଵନ
ବାସ୍ନାମୟ କିଆ ବନ
ତାଳ ଗଛ ଫାଙ୍କରେ
ଧୀରେ ଧୀରେ ଉଉଁଥିବା ଜହ୍ନ,
ନଈ କଡ଼ କ୍ଷେତରେ
ସୋରିଷ ଫୁଲର ସମ୍ଭାର
କେଜାଣି କେମିତି କିଣିନିଏ
କେତେ କେତେ ମନ ପ୍ରାଣ |
ଉପରେ ଧଳା ବଉଦର ଭେଳା
ଆକାଶରେ ସିନ୍ଦୁର ଛିଟା
ଚଢେଇଙ୍କ ସଞ୍ଜ ବାହୁଡା
ପ୍ରଜାପତିଙ୍କର ଚିତ୍ରିତ ଡେଣା
ଜହ୍ନ ଆଲୁଅରେ ସୋଇଥିବା ନଈ ପଠା
ହସୁଥିବା କାଶତଣ୍ଡୀ ଫୁଲ
ମିଞ୍ଜି ମିଞ୍ଜି ତାରା ଆଲୁଅରେ
ବେଳାଭୂଇଁ ଝାଉଁ ବନ,
ପାଗଳ ପରି ଡ଼େଉଁଥିବା
ଜୁଆରିଆ ସମୁଦ୍ରର ଢେଉ
ସବୁକିଛି ମନମଗ୍ନ ଥାଉ |
ଆକାଶରେ ରଙ୍ଗର ଇନ୍ଦ୍ରଧନୁ
ଅସରାଏ ବର୍ଷାରେ ମାଟିର ବାସ୍ନା
ଫୁଲ ଉପରେ ମହୁମାଛିର ଗୁଣୁଗୁଣୁ
ନଈକୂଳରେ ଶୀତଳ ବାଆ
ନଈ ଜଳରେ ଭାସମାନ ନାଆ
ନାଆ ଉପରେ ନାଉରିର ଡାକ
ସବୁର ଇସାରାରେ ଥାଏ ଆମନ୍ତ୍ରଣ|
ଜୀବନ ରାସ୍ତାରେ ବାଟୋଇ ମୁଁ
ସବୁକିଛି ଚିକ ମିକ କରେ
ପ୍ରକୃତିର ଏ ମନୋରମ ଅଭିସାର
ଦେଖେ ମୁହିଁ ଗଭୀର ବିସ୍ମୟେ |