STORYMIRROR

Dr.Sashi Bhushan Mohapatra

Classics

4  

Dr.Sashi Bhushan Mohapatra

Classics

ବସନ୍ତ

ବସନ୍ତ

1 min
361

କେମିତି କହିବି କୁହ

ଏବେ କୁଆଡେ ବସନ୍ତ ପ୍ରଭାବ

ବୃକ୍ଷ ସବୁ ପଲ୍ଲବିତ

ଦେହ,ପ୍ରାଣ, ମନ ଆହ୍ଲାଦିତ

ସବୁଆଡ଼ ଶୋଭାମୟ

ରଙ୍ଗର ମହୋତ୍ସବରେ

ପାହାଡ଼ ଜଙ୍ଗଲ,ନଦୀ ସୁଶୋଭିତ |


କେମିତି ଦେଖିବି କୁହ

ଚାରିଆଡ଼େ ଅଶ୍ୱମେଧ ଯଜ୍ଞ

ରଙ୍ଗର ଉଡ଼ାଣ ପରିବର୍ତ୍ତେ

ଉଲକା ପରି ଖସୁଛି ଆକାଶରୁ କ୍ଷେପଣାସ୍ତ୍ର

କିଏ ନତଜାନୁ,କିଏ ଗମ୍ଭୀର,କିଏ ନୀରବ

ଜଳୁଛି ହୃଦୟ

ମଳୟ ପବନରେ ବହୁଛି ଈର୍ଷାର ଅନଳ |


ରକ୍ତ ପରି ଅବିର ଝୁରୁ ଝୁରୁ ଝରୁଛି

ବିଷାଦ ଏବେ ଜୀବନ ସଙ୍ଗୀତ

ଆତଙ୍କ ଉଛୁଳି ପଡୁଛି

ହୃଦୟରେ ପ୍ରେମ ନାହିଁ

ଜୀବନରେ ରଙ୍ଗ ନାହିଁ

ଛଳନା ପ୍ରତାରଣାରେ ମାତିଛି ଜୀବନ

ବିଭୀଷିକା ରଚିବା ଏବେ ଧର୍ମ

ଆତଙ୍କର ସାମ୍ରାଜ୍ୟରେ

ବସନ୍ତ ଯେମିତି ଖୋଜୁଛି ତା’ ସିଂହାସନ |


କେମିତି ଲେଖିବି କୁହ

ବସନ୍ତ ପ୍ରେମରେ ସମସ୍ତେ ବିହ୍ଵଳ

ଚାରିଆଡ଼େ ସବୁଜିମା ଖେଳୁଛି

ତା' ରଙ୍ଗରେ ଜୀବନ ରଙ୍ଗମୟ,

ଜାଣିଚି, ସେ ଆସୁଥାଏ ଆପେ ଆପେ

କାନେ କାନେ ଚୁପି ଚୁପି କହୁଥାଏ

ମୋତେ ଚିହ୍ନ ମୁଁ କିଏ, ମୋତେ ଜାଣ ମୁଁ କ’ଣ

ବୁଝି ପାରିଲେ ମୁଁ ହିଁ ହସନ୍ତ ବସନ୍ତ |


ସେ ଏବେ ଆସିଛି,ପାଖେ ପାଖେ ଅଛି

ତୁମକୁ ଛୁଇଁଲାଣି,ତୁମେ ତାକୁ ଛୁଅଁ

ତା' ଠି ରଙ୍ଗ ଅଛି, ନେସି ହୁଅ,

ଚଇତାଳି ପବନରେ କିମିଆଁ ଅଛି

ତୁମେ ଖାଲି ମନ ଖୋଲି କୁହ

ପ୍ରେମରେ ଆବିଳ ନାହିଁ,ମୁଁ ପାଉଛି ଭଲ |


ଭଲ ପାଇ ବସିଲେ ତ

ସେ ତୁମ ଦେହକୁ ସାଉଁଳି ଦେବ

ତୁମ ମନରେ ରଙ୍ଗର ଉଡ଼ାଣ ଭରି ଦେବ

ହୃଦୟରେ ପ୍ରେମର ଫଲ୍ଗୁ ନେସି ଦେବ

ସେ ପବନରେ,ପାଣିରେ, ଆକାଶରେ

ଘୁରି ବୁଲୁଛି, ରଙ୍ଗ ଉଡାଉଛି

ତା' ପାଇଁ କୋଇଲି ପ୍ରଚାର କରୁଛି

ଏଇ ଶୁଣ! ଏଇ ଦେଖ!

ଚାରିଆଡ଼େ ରାଜୁତି କରୁଛି ବସନ୍ତ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics