କ୍ଷେତ୍ର ଶ୍ରୀ ପୁରୁଷୋତ୍ତମ ଅଟେ ନିତ୍ୟ ବୃନ୍ଦାବନ
କ୍ଷେତ୍ର ଶ୍ରୀ ପୁରୁଷୋତ୍ତମ ଅଟେ ନିତ୍ୟ ବୃନ୍ଦାବନ
ଚାରିଧାମ ମଧ୍ୟେ ଜଗନ୍ନାଥ ଧାମ
ସ୍ୱତନ୍ତ୍ର କଳା ଠାକୁର
ଲୀଳା କରୁଛନ୍ତି ଭାଇଭଗ୍ନୀ ସଙ୍ଗେ ସ୍ୱତନ୍ତ୍ର ତା କଳେବର ।
ଯମୁନା ନଥିଲେ କି ହେବ ସଙ୍ଗାତ ମହୋଦଧି କୂଳେ ଉଭା
ଚନ୍ଦନ ତୁଳସୀ ମୟୁର ଚନ୍ଦ୍ରିକା ତାଙ୍କ ଶୋଭା ମନଲୋଭା ।
କଦମ୍ବ ନଥିଲେ କି ହେବ ସଙ୍ଗାତ କଳ୍ପବଟ କଳ୍ପ ଦାୟୀ
ଗୋପୀ ନଥିଲେ ବି ଭକତଙ୍କ ଭିଡ ଶ୍ରୀମନ୍ଦିରେ ହଇ ଚ଼ଇ ।
ସିଙ୍ଗାର ପାଇଁ କି ମାତା ଯଶୋମତି ନାହାନ୍ତି ସିନା ରେ ମିତ
ଶତ ଶିଙ୍ଗାରରେ ମନୋଲୋଭା ପରା ଭାବମୟ ଜଗନ୍ନାଥ |
ଯମୁନା ନଥିଲେ କି ହେବ ମିତଣୀ
ଭକ୍ତ ଭାବେ ରାସ କରେ
ଅପୂର୍ବ ଠାଣିରେ ପ୍ରୀତି ଚ଼ାହାଣୀରେ ସଭିଙ୍କୁ ଯେ ବାନ୍ଧି ଧରେ ।
ଏମିତି ଠାକୁର କେଉଁଠି ବା ଅଛି ଜଗତ ନାଥ ବୋଲାଏ
ପ୍ରତିଟି ଯୁଗର ଲୀଳା ମାଧୁରୀରେ ଭକତଙ୍କ ମନ ମୋହେ ।
।
କହ୍ନେଇ ର ପ୍ରୀତି ମନଭୁଲା ରୀତି
ତା ରୂପେ ଦର୍ଶନ ମିଳେ
ମାଗିବାକୁ ଯାଇ ମନ ଭଳି ଯାଏ ମାଗିବା ତ ଭୁଲି ଯାଏ ।
ବୃନ୍ଦାବନ ବେଶ ବୃନ୍ଦାବନ ଭୋଗ
ସବୁ ତ ତାଙ୍କର ଖଞ୍ଜା
ଶ୍ରୀମନ୍ଦିରେ ନିତ୍ୟ ରାସ ଚାଲିଥାଏ ଭକତେ ଭୁଲନ୍ତି ଝଞ୍ଜା ।
କଳ୍ପବଟ ମୂଳେ ଦେଖ ଗୋ ମିତଣୀ ଭକତେ ଯେ ଭାବମୟ
ସତେ ଗୋପୀଗଣ ବିଭୋର କି ଅବା କହ୍ନେଇ ଭାବେ ବିହ୍ୱଳ ।
ଶ୍ରୀକ୍ଷେତ୍ର ଧାମରେ ପାଦ ଦେଉ ଦେଉ ମନ ଉତ୍ ଫୁଲ୍ଲିତ ହୁଏ
ନୀଳଚ଼ଳେ ବସି ଲୀଳା ଲଗାଇଛି
ଆସ ଆସ ବୋଲି କୁହେ ।
ବୃନ୍ଦାବନ ହରେ ଦୁଃଖ ଓ ଦହନ ଶ୍ରୀକ୍ଷେତ୍ର ହରୁଛି ପୀଡ଼ା
ଅଶାନ୍ତ ମନ ଯେ ଶାନ୍ତ ହୋଇ ଯାଏ ଦେଖିଲେ କଳା ବଇଠା ।
ଅପଲକ ନେତ୍ର ଚ଼କାଡୋଳା ମଧ୍ୟେ ଛଳିଆ କାହ୍ନା ଚାହାଣୀ
ଅଧା ଥାଇ ପରା ସ୍ୱୟଂ ସଂପୂର୍ଣ୍ଣ ଯେ ଜଗତ ନେଇଛି କିଣି ।
ବଇଂଶୀ ଲୁଚିଛି ଅଧାଗଢ଼ା ହାତେ ଶୁଭେ ଅନୁପମ ସ୍ୱର
କାନ୍ତି ଅନୁପମ ଭ୍ରାନ୍ତି ବିନାଶନ
ସିଏ ମୋ କଳା ଠାକୁର ।
ଶ୍ରୀ ପୁରୁଷୋତ୍ତମେ ଭକତ ଙ୍କ ଭିଡ଼ ସତେ ବୃନ୍ଦାବନ ଧାମ
ତା ଲୀଳା ମାଧୁରୀ ଅମୃତ ଲହରୀ
ଦିଏ ଶାନ୍ତି ଅନୁପମ I
ଜୀବନ ଯନ୍ତ୍ରଣା ଯେତେ ଦୁର୍ଭାବନା ପୁରୁଷୋତ୍ତମେ କଟଇ
ଶ୍ରୀକ୍ଷେତ୍ର ମୋହର ନିତ୍ୟ ବୃନ୍ଦାବନ ବୃନ୍ଦାବନ ଯିବି କାଇଁ ।
