STORYMIRROR

Krushna Chandra Lenka

Abstract Classics Inspirational

4  

Krushna Chandra Lenka

Abstract Classics Inspirational

ନିଆରା କଳାକାର

ନିଆରା କଳାକାର

2 mins
696

ସଂସ୍କୃତି ମାଟିର ପୁଅ ମୁଁ କରେ ନିତି କୀର୍ତ୍ତନ,

ଚାଷ ବାସ ସାଥେ କୀର୍ତ୍ତନ କରି ଜିଣଇ ମନ।

ଚାଷ ସିନା ମୋର ବେଉସା ମନ କୀର୍ତ୍ତନ ପାଶେ,

ଦିବସେ ଖଟଇ ମୁଁ କ୍ଷେତେ ରାତ୍ରେ ନଥାଏ ବାସେ।

ଗାଆଁ ଯାନିଯାତ ମୋ ପାଇଁ ହୁଅଇ ଆଡମ୍ବରେ,

ଶ୍ରମ କରେ ନିତି ସେ'ପାଇଁ ମୁହିଁ ବିନା ସ୍ୱାର୍ଥରେ।

ଛାଡି ନିଜ ନିଜ ବେଉସା ଆସୁ ଯାତରା ପାଶେ,

ମୃଦଙ୍ଗ, କଂସାଳ ସହିତେ ଆମ କୀର୍ତ୍ତନ ବେଶେ।

ଗାୟକ, ବାୟକ, ପାଳିଆ ଆମେ ଅଟୁ ଯେ କେତେ,

ସଂକୀର୍ତ୍ତନ ପାଇଁ ଧାଉଁଛୁ କାମ ଥିଲେ ବି ଯେତେ।

ଯଜ୍ଞ, ପୂଜା, ମେଳା ସହିତେ ଗୃହ ପ୍ରବେଶ ସ୍ଥଳେ,

ଶେଷ ଯାତରା ଅବା ଶ୍ରାଦ୍ଧେ ଲୋଡ଼ା ହେଉ ସକଳେ।

ଆମ ପାଇଁ ଗ୍ରାମେ ନଥାଏ ଏକ ଆଖଡାଶାଳ,

କେତେ କ୍ଳେଶେ ଆମେ ଗଢିଚୁ ଏକ କୁଟୀର ଚାଳ।

ବରଷା, ବତାସେ ସେ ଘର ଭାଙ୍ଗି ଗଳଇ ପାଣି,

କୀର୍ତ୍ତନ ଜିନିଷ ଆମର କ୍ଷତି ହୁଅଇ ଜାଣି।

ସଜାଡ଼ିବା ପାଇଁ ଜିନିଷ ଅର୍ଥ ନଥାଏ ପାଶେ,

ନିଜ ନିଜ ମଧ୍ୟେ ଆଦାୟ କରି ସଜାଡୁ କ୍ଳେଶେ।

ମାଘ ମାସ ଜାଡ ଯେମନ୍ତ ହୁଅଇ ଥରହର,

ପରଲୋକ ଘଟେ ସେ'କାଳେ ଯଦି କେ' ଅବା ନର।

ସାହି ପରିଜନ ସେ'କ୍ଷଣି ଉଠି ନଥା'ନ୍ତି ଶୀତେ,

ଥରି ଥରି ଶ୍ମଶାନ ପାଶେ ଆମ ରାତିଟି ବିତେ।

ଖଣ୍ଡେ ପାନ, ବିଡ଼ି, ଚା' କପେ ଆମେ ହେଉ ଯେ ତୋଷ,

ଯା' ମିଳଇ ଯହିଁ ଯେ'ଥାନେ କେବେ ନଥାଏ ରୋଷ।

ଅରୁଆ, ଡାଲମା ଦେଇଣ କର୍ତ୍ତା ଦିଏ ତୁଟେଇ,

ଦର ଫୁଟା ଭାତ ଭୁଞ୍ଜଉ ରାତ୍ର ଅଧେ ଚୋବେଇ।

ପରିହାସ କରି ଆମକୁ ତିଳେ କହନ୍ତି ଜନେ,

'ହାତଧୁଆ' କି 'ମୁଣ୍ଡ ବୋଳା' ଆଜ କିସ କୀର୍ତ୍ତନେ?

ତଥାପି ଆମେ ଏ କୀର୍ତ୍ତନେ ମନ ଦେଉ ଯତନେ,

ନୋଇଁ ନାହୁଁ ମଥା କା'ପାଶେ କେବେ ଆମ ଜୀବନେ।

କେତେ କେତେ ଏଠି ରଜନୀ କୀର୍ତ୍ତନେ ଯାଏ ପାହି,

ଯେ'କାଳେ ଯେ'ପାଗ ଆସଇ ଆମେ ଯାଉ ଯେ ସହି।

ମୋର ଦୁଃଖ, ଯାତନା ବାରେ କିସ କହିବି କଥା,

ନୀରବ ରହିଛି ମୁଁ ଏଠି ଚାପି ଅନ୍ତର ବ୍ୟଥା।

ମୋ ଜୀବନ ସିନା ବିତଇ କଳାକାର ହିସାବେ,

ବିନା ବେତନେ ମୁଁ ଖଟଇ କେହି ଭାଳେନି କେବେ?

ସରକାର ଘୋଷଣା କଲେ ଦେବେ ଆମକୁ ଭତ୍ତା,

କଳାକାର ଭତ୍ତା ହିସାବେ ଦେବେ ମାନ ମର୍ଯ୍ୟଦା।

ରାଜନୀତି ବଳେ ଅଯୋଗ୍ୟ ଏଠି ପାଆନ୍ତି ଭତ୍ତା,

ଯୋଗ୍ୟ ହୋଇ ସୁଦ୍ଧା ଜୀବନେ ଆମେ ହରାଉ ସତ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract