ଏତେ ଦିନ ପରେ ଦେଲୁ ତୁହି ଦେଖା
ଏତେ ଦିନ ପରେ ଦେଲୁ ତୁହି ଦେଖା
ଏତେ ଦିନ ପରେ ଦେଲୁ ଯହିଁ ଦେଖା
କାହୁଁ ଥିଲୁ ତୁହି ବଣି,
ତୋ ଫେରିବା ବାଟ ବସିଥିଲି ଚାହିଁ
ଅଗଣାରେ ଖୁଦ ବୁଣି।
କେଡେ ଶରଧାରେ ନିତ୍ୟ ପ୍ରଭାତରେ
ଚାହିଁ ବସିଥାଏ ତତେ,
ଅଗଣା ଦୁଆରେ ଖୁଦ ଚୁଡା ମୁଢି
ବୁଣିଥାଏ ମୁହିଁ କେତେ।
ପିଜୁଳି ସହିତେ ଦେବି ମୁହିଁ ତତେ
ବେଦନା, ସେଓ, ଅଙ୍ଗୁର
କହିବୁ ତୁ ଯଦି ତୋ ପାଇଁ ଗଢିବି
ସୁନ୍ଦର ଏକ କୁଟୀର।
ମୋର ପରି ଘର ଲୋଡ଼ା ନାହିଁ ତୋର
ସେକଥା ଜାଣଇ ମୁହିଁ,
ଘର ବାଡ଼ି ପଛେ ଥିବା ମୋର ଗଛେ
ଗଢିବି ବାସ ତୋ ପାଇଁ।
ସେଇ ବାସେ ରହି ରାବ ଦେବୁ ଯହିଁ
ତୋଷ ହେବ ମୋର ମନ,
ଅଗଣାରେ ତିଳେ ତୁହି ଦେଖା ହେଲେ
ପାଇବି ସକଳ ଧନ।
ମୋର ଜାତି ପାଇଁ ବୁଡ଼େ ତୋର ଜାତି
କି କହିବି ଆଉ ତତେ,
ତିଳେ ସ୍ୱାର୍ଥ ପାଇଁ ଆଜି ନର ଯହିଁ
ନକରଇ କିସ ସତେ ।
ପ୍ରଭାତେ ଶୁଭୁନି କାଆ କାଆ ରାବ
ସାଥେ କୋଇଲିର କୁହୁ,
ଘରଚଟିଆଟି କାହୁଁ ଗଲା ଦୂରେ
ଦେଖା ନାହିଁ ତାର ଆଉ।
ତୋ ଚଢେଇ ଜାତି ବୁଡିଲେଣି କେତେ
ଏ'ଯୁଗ ମଣିଷ ପାଇଁ,
ନିଜ ସ୍ୱାର୍ଥ ଛଡା ଅନ୍ୟ କିଛି ଲୋଡ଼ା
ଜଗତେ ଯାହାର ନାହିଁ।
ବିଜ୍ଞାନୀ ମଣିଷ ଅଜ୍ଞାନୀ ହେଉଚି
ଯନ୍ତର ମାନବ ସାଜି,
ପ୍ରକୃତିର ନୀତି ଅବା ତାର ଗତି
ଏଯାଏଁ ପାରିନି ବୁଝି।
ଏକ ପରକାର ଜୀବ ହେଲେ ଲୋପ
ପଡଇ ପ୍ରଭାବ ତାର,
ତାର ସେ ପ୍ରଭାବ ପଡି ଜୀବ ପରେ
ଅନ୍ୟ ହ୍ୱନ୍ତି ନାରଖାର।
ଭାରସାମ୍ୟ ରକ୍ଷା ନହେଲେ ଜଗତେ
ବଢଇ ପ୍ରକୃତି କୋପ,
ତାର ସେଇ କୋପେ ନର ଜାତି ସାଥେ
କେତେ ଜୀବ ହେବେ ଲୋପ।