STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଦେବୀ ବୀଣାପାଣି

ଦେବୀ ବୀଣାପାଣି

2 mins
291

ଶାରଦା ବରଦା ସୁଖଦା ଦେବୀ ବୀଣାପାଣି

ଆବାଲ୍ଯରୁ ତୁମ୍ଭର ମହିମା ଆସୁଅଛି ଶୁଣି

ତୁମ୍ଭ କୃପା ବଳେ ସିଦ୍ଧ ମହାକବି କାଳିଦାସ

ରଚିଗଲେ ଅକ୍ଷୟ କିର୍ତ୍ତୀ ନୂଆ ଇତିହାସ !!


ଅଜ୍ଞାନ ଅଧମ ଅକିଞ୍ଚନ ବାଳକ ଯେ ମୁହିଁ

ଭାବ-ଭକ୍ତି-ଜ୍ଞାନ-ସେବାରେ ମୋର ମତି ନାହିଁ

ଦେଖି-ଶୁଣି-ପଢି ଯାହା କିଛି ମୁଁ ଲେଖଇ

ଅପଳାପ ନୁହେଁ ଇଏ ସତ୍ଯ ମରମ ଭେଦଇ !!


ବାଣୀ କ୍ଷେତ୍ରେ ଶାରଳା ନାମେ ତୁମ୍ଭେ ଅଧୀଷ୍ଠିତ

ତୁମ୍ଭ ଶୁଭାଶିଷେ ଆଦିକବି ରଚିଲେ ମହାଭାରତ

ଅନତିଦୂରରେ କବିଗୁରୁ ସୃଜି ଗୀତାଞ୍ଜଳି କାବ୍ଯ

ବିଶ୍ବ ଦରବାରେ ଅଚିରେ ହୋଇଲେ ବିଖ୍ୟାତ !!


ଆମ୍ଭର ପ୍ରିୟ ବୀର ପ୍ରସବିନୀ ଉତ୍କଳ ଜନନୀ

ବାସ୍ତବରେ ଅଟନ୍ତି ଜ୍ଞାନ ବିଜ୍ଞାନ ପ୍ରତିଭାର ଖଣି

ଏହି ପାବନଧାମେ ବିରାଜିତ ହିନ୍ଦୁଜାତି ମଥାମଣି

ପୋଥି ପୁରାଣରେ ତାହାର ରହିଛି ବର୍ଣ୍ଣନା ପୁଣି !!


ଶର୍ବରୀ ଅନ୍ତରେ ଉଇଁଛି ନବୋଦିତ ରବି ସତ୍ଯ

ମାତ୍ର ଘନଘୋର ତମିସ୍ରାର ତିଳେ ଘଟିନାହିଁ ଅନ୍ତ

ଲଭିଅଛୁ ଆମେ ଭାଷା ଭିତ୍ତିରେ ପରିଚୟ ସ୍ବତନ୍ତ୍ର

ହରାଇ ବସିଛୁ ଆପଣାର ବହୁଭାଗ ନାର୍ଯ୍ଯ ଭୂଖଣ୍ଡ !!


ଆଜି କାହିଁ ପ୍ରତିଭାର ଗୁଳ୍ମ ଲତା ପଡ଼ନ୍ତି ଝାଉଁଳି

ନାହିଁ ଏଠି କଳାର ବଜାର ଚାଲିଛି କଳାବଜାରୀ

ଭୂମିପୁତ୍ର ଯାଇ ଖଟୁଛି ସୁଦୂର ପ୍ରବାସେ ଦାଦନ

ବିକାଶର ନାମରେ ଚାଲଇ ନିତି ନାନା ପ୍ରହସନ !!


ଚକ୍ରାନ୍ତେ କଳିଙ୍ଗ ସାଗରର ନାମ ହୋଇଛି ଅପହୃତ

ମହାନଦୀର ଜଳଧାରା ଶିପ୍ରା ପରାଏ ହୁଏ ପରିଦୃଷ୍ଟ

ଚିଲିକା ଅଂଶୁପାରେ ମାଫିଆଙ୍କ ଅଖଣ୍ଡ ରାଜତ୍ବ

ବନଲତା ଭୂଧରମାଳା ବିବର୍ଣ୍ଣ ବିକ୍ଷିପ୍ତ ବିଲୁପ୍ତ !!


ମାତୃଭାଷା ମୋର ପ୍ରାଚୀନ ଶାସ୍ତ୍ରୀୟ ରୁଚିପୂର୍ଣ୍ଣ

ଶତ ସହସ୍ର ବର୍ଷର କୁଚ୍ଛ୍ର ତପସ୍ୟାରେ ରୁଦ୍ଧିମନ୍ତ

ଦ୍ବିତୀୟ ସର୍ବାଧିକ ପାଣ୍ଡୁଲିପି ଏଥିରେ ଲିପିବଦ୍ଧ

ତଥାପି ଆମେ ଆମ ଭାଷା ପ୍ରତି ସଦା ବିମୁଖ !!


ପ୍ରତିବେଶୀ ପ୍ରଦେଶରେ ଜନ୍ମିତ ଯେତେକ ବ୍ଯକ୍ତିତ୍ବପ୍ର

ଚାର ପ୍ରସାର ଫଳରେ ଜଗତେ ହୋଇଲେ ପ୍ରସିଦ୍ଧ

ମୋହର ପୂର୍ବସୂରୀ କରିଥିଲେ କିବା ଅପରାଧ?

ନାମ ତାହାଙ୍କ ପ୍ରଦେଶେ ମାତର ରହିଛି ସୀମାବଦ୍ଧ !!


କବିବର ମାନ କରି ଗାଇଥିଲେ ବିଳାପ ରାଗିଣୀ

ଆଜି ତବ ପାଦପଦ୍ମେ ଶ୍ରୀକୁମାର କରଇ ମାଗୁଣି

କୃପା କର ବାରେ ମାତା ବାଗଦେବୀ ବାଗୀଶ୍ୱରୀ

ଫେରାଇଦିଅ ଉତ୍କଳ-ଉତ୍କଳୀୟର ହୃତ ଯଶ ଶିରୀ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract