STORYMIRROR

Lata Behera

Abstract Others

4  

Lata Behera

Abstract Others

ଭକ୍ତି ପରୀକ୍ଷା

ଭକ୍ତି ପରୀକ୍ଷା

2 mins
310



ଶକ୍ତି ନିକଟରେ ଭକ୍ତିର ପରୀକ୍ଷା 

    କେମିତି ନେବୁରେ ତୁ

ହାରି ମୁଁ ସାରିଛି ତୋ ପାଖେ କାଳିଆ

     ଭଲରେ ଜାଣିଛୁ ତୁ ।

ତୋ ପାଇଁ ଆଖିରେ ଭରା ମୋ ସପନ

    ଏବେବି ରହିଛି ବାକି

କଣ୍ଟକିତ ଏଇ ଚଲାପଥେ ପାଦ

    ଯାଇନି କେବେ ଅଟକି ।

ଏବେବି ତୋ ପରେ ରହିଛି ଭରସା

ତୁ ମୋ ଜୀବନ ତୁ ମୋର ଆଶା 

    ତୋ ବିନା ନାହିଁରେ ମୁଁ ।

ଭଲରେ ଜାଣିଛୁ ତୁ ।


ଏତେ ବଡ ଏଇ ଦୁନିଆରେ ତୋର

    ସାହା ମୋର କେହି ନାହିଁ 

ତୋ ହାତ ଧରି ଚାଲୁଛିରେ ବାଟ

     ଚାଲୁ ଥିବି ଏକା ମୁହିଁ ।

ଆସୁରେ ଜୀବନେ ଯେତେ ଦୁଃଖ କଷ୍ଟ 

    ହସି ହସି ଯିବି ପିଇ

ତୁ ସାଥେ ଥିଲେ ସେଇ ମୋର ଖୁସି

    ସବୁ ବାଧା ଯିବି ଡେଇଁ ।

ଆସୁରେ ଜୀବନେ ଝଡର ତୋଫାନ

ଲିଭି ଯାଉ ପଛେ ଏ ମୋର ଜୀବନ

    ତୋ ସାଥେ ରହିବି ମୁଁ ।

ଭଲରେ ଜାଣିଛୁ ତୁ ।


ଆମ ଏ ସମ୍ପର୍କ ନୁହେଁ କ୍ଷଣସ୍ଥାୟୀ 

     ସହଜରେ ଭାଙ୍ଗି ଯିବ

ଜନ୍ମ ଜନ୍ମ ପାଇଁ ତୋ ପାଦେ କାଳିଆ 

    ଏ ମନ ମୋ ରହି ଥିବ ।

ଯେତେ ପରୀକ୍ଷା ତୁ ନେବୁରେ କାଳିଆ

    ମୋର କିଛି ମନା ନାହିଁ 

ତୋହରି ପାଖରୁ ଦୂରେଇ ଦେଲେ ତୁ

    କେବେ ଛାଡିବିନି ମୁହିଁ ।

ତୁ ଦେହ ହେଲେ ମୁଁ ତୋହର ଛାଇ

ଛାଇ କହ କେବେ ଅଲଗା କି ହେଇ

    ବୁଝିରେ ସାରିଛୁ ତୁ

ତୋ ବିନା ନାହିଁରେ ମୁଁ ।


ଏ ଦୁନିଆ ଅଟେ ଛଲନାର ଘର

   ସ୍ବାର୍ଥରେ ସମସ୍ତେ ବାଇ 

ତୋତେ ପାଇ ଆଜି ଦୁଃଖ ମୁଁ ଭୁଲିଛି

    ତୋ ପାଇଁ ରହିଛି ଜୀଇଁ ।

ତୋ ପାଦେ ଆଶ୍ରୟ ନେଇଛି କାଳିଆ

   ଏ କଥା ତୁ ଜାଣି ଅଛୁ

ଯୁଗ ଯୁଗ ପାଇଁ ସାଥେ ରହିବାକୁ

    ତୁ ମୋତେ କଥା ଦେଇଛୁ ।

ଭୁଲିବାକୁ ଜମା ଚେଷ୍ଟା କରିବୁନି

ମାୟାଧର ମାୟା ଖେଳ ରଚିବୁନି

    ପାରିବିନି ଜିତି ମୁଁ ।

ଭଲରେ ଜାଣିଛୁ ତୁ ।


ତୋ ପାଇଁ ବଞ୍ଚିଛି ଲୁହରେ ଭିଜୁଛି

    ଓଠରେ ଖେଳୁଛି ହସ

ସେ ହସ ପଛର ଅଭୁଲା କାହାଣୀ

    ମଶାଣୀ ଭୂଇଁ ପାଉଁଶ ।

ଭୁଲେଇ ଦେଇଛୁ ଅତୀତ କାହାଣୀ

    ଅତୀତର ଇତିହାସ ।

ତୋତେ ଦେଖି ଦେଲେ ସତରେ କାଳିଆ 

    ଓଠେ ମୋ ଖେଳୁଛ ହସ ।

ଅଢେଇ ଦିନର ଏଇତ ଜୀବନ

ସେଇ ଜୀବନ ବି ଅଟେ ତୋର ଦାନ

    ଏ କଥା ଜାଣିଛୁ ତୁ ।

ତୋ ପାଇଁ ଅଛିରେ ମୁଁ ।


ତୋ ଭକ୍ତି ପରୀକ୍ଷା ତୁରେ ଜାଣିଛୁ 

    ମୁଁ ରେ ଜାଣିନି କିଛି

ପାଉଛି ମୁଁ ଭଲ ପାଉ ଥିବି ତୋତେ 

   ଏକଥା କହି ଦେଉଛି ।

ହାରିବା ଜିତିବା କିଛି ବି ଜାଣିନି

   ତୋତେ ମୁଁ ଭଲ ପାଏ

ସେ ଭଲ ପାଇବା ରହିଛି ରହିବ

  ଶେଷ ନିଃଶ୍ବାସ ମୋ ଯାଏ ।

ତୋ କଥା ଭାବି ତୋ ପ୍ରେମରେ ହଜି

ତୋତେ ଦେଖି ଦେଖି ଆଖି ଦେବି ବୁଜି

   ତୋ ବିନା ନାହିଁରେ ମୁଁ ।

ଭଲରେ ଜାଣିଛୁ ତୁ ।


Rate this content
Log in

Similar oriya poem from Abstract