ଶ୍ରୀମନ୍ଦିରେ ମୋତେ ନିଅ
ଶ୍ରୀମନ୍ଦିରେ ମୋତେ ନିଅ
ହେଉଅଛି କେତେ ବେଶ ପଟୁଆର
ପ୍ରତିଦିନ ଶ୍ରୀମନ୍ଦିରେ
ନିତି ପ୍ରତିଦିନ ଲୀଳା ଦେଖିବାକୁ
ତୃଷ୍ଣା ରହିଛି ମନରେ
ପହଡ଼ ଭାଙ୍ଗିବା ଠୁ ପହଡ଼ ଯିବା
ନିତି ଦିନର ଘଟଣା
ମାନବୀୟ ଲୀଳା ହେଉଛି ପ୍ରକଟ
ଅଛି ଲିଖିତ ବର୍ଣ୍ଣନା
ବଡ଼ଦାଣ୍ଡ ଠାରୁ ରତ୍ନ ବେଦୀ ଯାଏଁ
ଲୋକାରଣ୍ୟ ଅହରହ
ଅଳ୍ପ ସମୟର ରହଣି ଭିତରେ
ବ୍ୟାପାର ଲାଗେ ଦୂରୂହ
ଦୁଇ ହାତ ଟେକି ଶରଣ ପଶୁଛି
ରଖ ଆହେ ମହାବାହୁ
ଭବ ସାଗରରେ ଭାସି ଯାଉଅଛି
କୃପା ଦୃଷ୍ଟି ରହି ଥାଉ
ସାହା ନାହିଁ କେହି ଏହି ଦୁନିଆରେ
ସଭିଏଁ ସ୍ୱାର୍ଥରେ ବନ୍ଧା
ଦୁଃଖ ପରେ ଦୁଃଖ ହୁଏ ଅପ୍ରମିତ
ଜୀବନରେ ଖାଲି ବାଧା
ତୁମେ ପରା ପ୍ରଭୁ ସ୍ଵୟଂ ଅନ୍ତର୍ଯ୍ୟାମୀ
ଜାଣୁଛ ଅନ୍ତର ଦୁଃଖ
ତଥାପି କହୁଛି ଅନ୍ତରର ଦୁଃଖ
ନ ହୁଅ ପ୍ରଭୁ ବିମୁଖ
ସଂସାର ଜାଲରେ ଛନ୍ଦି ହୋଇଅଛି
ମୁକୁଳିବା ଆଶା କ୍ଷୀଣ
ତୁମ ଶ୍ରୀ ଚରଣେ ସମର୍ପି ନିଜକୁ
ଜୀବନ କଲି ଅର୍ପଣ
ମାର ତାର ଅବା ଯାହା କିଛି କର
ସବୁ ଇଚ୍ଛା ହିଁ ତୁମର
ଇଛାମୟ ତୁମେ ଇଚ୍ଛାରେ ଜଗତ
ଏ ଅଧମ ବା କି ଛାର!!
ବଳିୟାର ଭୁଜ କହନ୍ତି ସଭିଏଁ
ବାହୁ ବିନା ମହାବାହୁ
ପାପୀ ନେତ୍ର ପାଇଁ ଅଦୃଶ୍ୟ ହେଉଛି
ସେହି ବଳିୟାର ବାହୁ
ଦୁଇ ବାହୁ ଟେକି ସମର୍ପି ନିଜକୁ
ଜଣାଉଛି ଦୁଃଖ ମୋର
ରକ୍ଷାକର ରକ୍ଷାକର ମହାବାହୁ
ଜୀବନ ଲାଗେ ଅସାର
ବଳିୟାର ବାହୁ ଥାଉ ଥାଉ ଆଜି
ଛାଡ଼ୁ ନାହିଁ ପିଛା ଦୁଃଖ
ବଳିୟାର ଭୁଜ ଯଦି ହେବେ ସାହା
କି କରି ପାରିବ ଦୁଃଖ!!
ରକ୍ଷା ଓ ସୁରକ୍ଷା ଆଶା ରଖି ମନେ
ଶ୍ରୀଭୁଜକୁ ଚାହିଁ ଅଛି
ଭୁଜ ତଳେ ମୋତେ ରଖ ମହାବାହୁ
ଏହି ପ୍ରାର୍ଥନା କରୁଛି
ହୃଦ ମନ୍ଦିରକୁ ଆସ ହେ ମଣିମା
ମନ ହେଉଛି ଅସ୍ଥିର
ବିଷୟା ରସରେ ବୁଡ଼ି ଅଛି ମନ
ଜୀବନ ଲାଗେ ଅସାର
ସଂସାରର ମୋହ ମାୟା ଜାଲେ ଛନ୍ଦି
ତନ ମନ କଳୁଷିତ
ଭୌତିକ ସୁଖର ଲାଳସା ମନରେ
ପାପ ପଙ୍କରେ ପତିତ
ସୁଖ ଲାଳସାରେ ବୁଡି ଦିନ ରାତି
ମନ ଭୁଲି ପ୍ରଭୁ ନାମ
ବିପଦ ସମୟ ହେଲେ ଉପଗତ
ପ୍ରଭୁ ଚରଣେ ପ୍ରଣାମ
ଜ୍ଞାନ ଅଭାବରୁ କୁପଥ ରେ ମନ
ଭ୍ରମିଲା ସାରା ଜୀବନ
ଥକା ହୋଇ ବସି ମନ ଚାହୁଁ ଅଛି
ମଣିମାଙ୍କର ଶରଣ
ମଣିମା ଶୁଣିମା ହେଉ ନିବେଦନ
ହୃଦ ମନ୍ଦିରକୁ ଆସ
ଦୁର୍ଲ୍ଲଭ ଜୀବନ ହୋଇବ ସାର୍ଥକ
ଲଭିଲେ ପ୍ରଭୁ ପରଶ
ଭକ୍ତର ଭାବକୁ ଜାଣ ଭାବଗ୍ରାହୀ
ଜାଗି ଉଠୁ ଭକ୍ତି ଭାବ
ହୃଦ ମନ୍ଦିରକୁ ଆସ ହେ ମଣିମା
ଜାତ ହେଉ ସତ୍ ଭାବ
ଏ ଭବ ସାଗରେ ଭାସି ଯାଉଅଛି
ପାଉନାହିଁ ଥଳକୁଳ
ଆସ ହେ ମଣିମା ନାଉରୀ ରୂପରେ
ଡାକୁଛି ହୋଇ ଆକୁଳ
ଡାକ ଶୁଭୁ ଅଛି ମଣିମା ମଣିମା
ଶ୍ରୀମନ୍ଦିର ସିଂହଦ୍ଵାରେ
ଆସ ହେ ମଣିମା ଭକ୍ତ ହୃଦୟକୁ
ଏହି ଅଳି ଶ୍ରୀ ଛାମୁରେ
ସଂସାର ଜଞ୍ଜାଳ ଭିତରେ ଜୀବନ
ଘାଣ୍ଟି ହୁଏ ପ୍ରତିଦିନ
ବହୁ ଦିନ ହେଲା ଯାଇନି ମନ୍ଦିର
ଡୋରି ଲଗାଅ ବହନ
ଦର୍ଶନ କରିବି ଯାଇ ଶ୍ରୀମନ୍ଦିର
ମନରେ ବାନ୍ଧିଛି ଆଶା
ଶ୍ରୀମନ୍ଦିରେ ମୋତେ ନିଅ ଜଗନ୍ନାଥ
ତୁମେ ହିଁ ଆଶା ଭରଷା ।
