STORYMIRROR

Binata Mohanta

Abstract

4  

Binata Mohanta

Abstract

ସ୍ମୃତିରେ ଚୁଲି ନିଆଁ

ସ୍ମୃତିରେ ଚୁଲି ନିଆଁ

2 mins
42

    

ଆଜି ମୁଁ ମୋର ପରିବାର ସହ ଯେତେବେଳେ ଗାଁ କୁ ମୋ ଘରକୁ ଆସୁଛି ସେତେବେଳେ ମୋର ବିଗତ ୪୦ବର୍ଷର ଅତିତ କଥା ପୁଣି ଥରେ ସ୍ମୃତି ପଟରେ ଖେଳି ଉଠିଲା । ମାର୍ଗଶୀର ମାସରେ ଧାନ ଅମଳ ପରେ ଗାଁରେ ପ୍ରାୟ ସମସ୍ତେ ନିଜ ନିଜ ବାଡି ବଗିଚା ପ୍ରତି ବେଶି ଧ୍ୟାନ ଦିଅନ୍ତି। ଶୀତ ଋତୁରେ ଅଳ୍ପ ପାଣି ଓ କାକର ସ୍ପର୍ଶରେ ସମସ୍ତଙ୍କ ବାଡ଼ିରେ ଆଳୁ, ବାଇଗଣ, ଫୁଲ କୋବି, ବନ୍ଧା କୋବି,ଜଣିଆ ପତ୍ର, ଶିମ୍ବ ଆଉ ଟମାଟୋ ଲାଗିଥିବା ନିଶ୍ଚୟ ଦେଖିବାକୁ ମିଳେ। ସମସ୍ତଙ୍କ ଭଳି ଆମ ବାଡ଼ିରେ ମଧ୍ୟ ଲଗାଯାଉଥିଲା।


ପୌଷ ମାସର ପ୍ରବେଶ ମାତ୍ରେ ବଡ଼ ବଡ଼ ଚୁଲିରେ ଧାନ ସିଝା ଯାଏ ଯେଉଁ ଥିରୁ ଆମେ ଉଷୁନା ଚାଉଳ ପ୍ରସ୍ତୁତ କରିଥାଉ ।ଏହି ଋତୁରେ ସ୍ୱଳ୍ପ ଖରା ଓ ପାଣି ପାଗକୁ ଦେଖି ବର୍ଷକର ଚାଉଳ ପ୍ରସ୍ତୁତି ଘରେ ଘରେ ଚାଲେ । ସେତେବେଳେ ମୋର ବୟସ ପ୍ରାୟ ୬ବର୍ଷ ହୋଇ ଥିବ । କେବେ କେବେ ମା' ଉଠିବା ବେଳେ ମୁଁ ମଧ୍ୟ ତା' ସହିତ ନିଦରୁ ଉଠି ଯାଉଥିଲି । ମୋତେ ଛାଡ଼ି ସେ କିଛି କାମ କରି ପାରୁ ନଥିଲା । ମୋତେ କାଖରେ ଧରି କାଠ ଚୁଲି ଜଳାଇ ମୋତେ ମୋ ବୁଢ଼ୀ ମା'ର କୋଳରେ ବସାଇ ଦେଉଥିଲା । ବୁଢ଼ୀ ମା' ଚୁଲିରେ କାଠ ଦେବା ସହ ମୋତେ କେତେ ମନଗଢା କାହାଣୀ ଶୁଣାଉ ଥିଲା। ଟିକେ ଯେମିତି ଆକାଶ ସଫା ହୋଇ ଆସୁଥିଲା ମୋତେ କହୁଥିଲା ଯା ମା'କୁ କହି ଆଳୁ, ବାଇଗଣ,ସାରୁ, କନ୍ଦମୂଳ ନେଇ ଆସିବୁ। ମୁଁ ଥିଲି ବୁଢ଼ୀ ମା'ର ପୁରା ଆଜ୍ଞାଧୀନା । ସଙ୍ଗେ ସଙ୍ଗେ ଦଉଡୁ ଥିଲି ଏହି ସବୁ ଜିନିଷ ଆଣିବା ପାଇଁ । ଗୋଟେ ଟୋକେଇରେ ସବୁ ଆଣି ଥୋଇ ଦେଇ ପୁଣି ତା'ର ଉଷୁମ କୋଳରେ ପଶି ଯାଉଥିଲି । ବୁଢ଼ୀ ମା' ଧାନ ସିଝା ହାଣ୍ଡିରେ କନ୍ଦମୂଳ ଓ ସାରୁକୁ ସିଝିବାକୁ ଦଉ ଥିଲା ଓ ଚୁଲି ନିଆଁରେ ଆଳୁ ବାଇଗଣ ପଡ଼ିବାକୁ ରଖୁଥିଲା । ଶୀତ ଦିନେ ଏହି ଉଷୁମ ନିଆଁ ସେକ ସର୍ବାଙ୍ଗ ଶରୀରରେ ଫୁର୍ତ୍ତୀ ଭରି ଦଉଥିଲା । ସୂର୍ଯ୍ୟଦୋୟ ସହ ଆମ ଘରର ପ୍ରାୟ ସବୁ ବାସି କାମ ସରି ଯାଉ ଥିଲା । ଧିରେ ଧିରେ ଚୁଲିରୁ ନିଆଁ ଲିଭି ଆସୁ ଥିଲା, ଧାନ ହାଣ୍ଡିରୁ ଅଧା ଅଧା ଧାନ କାଢି ଖଳାରେ ଶୁଖିବା କୁ ଦିଆ ଯାଉଥିଲା ।

ଚୁଲିରୁ ଆଳୁ ଓ ବାଇଗଣ ପୋଡ଼ାକୁ କାଢ଼ି, ବୁଢ଼ୀ ମା' କହୁଥିଲା ଯା ମା'କୁ ଦେଇ ଦବୁ ।


ସମୟ ସହ ସବୁ କିଛି ବଦଳି ଯାଇଛି । ଆମ ଅଗଣାରେ ଏବେ ସେ ବଡ ଚୁଲି ନାହିଁ । ଧାନ ସବୁ ସିଝା ହଉ ନାହିଁ ।ଅମଳ ପରେ ସିଧା ଯାଇ ମିଲରେ ପହଞ୍ଚି ଯାଉଛି । ସେଠାରୁ ଚାଉଳ ଘରକୁ ଆସୁଛି । ମୋ ବୁଢ଼ୀ ମା' ନାହିଁ । କିନ୍ତୁ ତଆ'କଓଳର ଉଷ୍ଣତା ଆଜିବି ମୁଁ ଅନୁଭବ କରି ପାରୁଛି । ଗ୍ୟାସ ଅବା ଓଭେନରେ ପୋଡ଼ା ଆଳୁ ବାଇଗଣର ସ୍ବାଦ ଚୁଲିରେ ପୋଡ଼ା ଭଳି ଲାଗୁ ନାହିଁ । ସବୁ କିଛି ଅତୀତର ସ୍ମୃତି ହୃଦୟର ଏକ କୋଣରେ ସାଇତି ରଖିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract