ବର୍ଷା
ବର୍ଷା
ଋତୁ ଚକ୍ର କ୍ରମେ ଗ୍ରୀଷ୍ମ ବାହୁଡିଲା
ସୂର୍ଯ୍ୟ ତାପ ହୋଇଲା ହ୍ରାସ
ମଉଳା କିରଣରେ ନାହିଁ ଉତ୍ତାପ
ବୃଷ୍ଟି ଗରମକୁ କଲା ଗ୍ରାସ ।
ବରଷା, ବିଜୁଳି,ମେଘ ଘଡଘଡି
ସାଥେ ଆଣିଅଛି ବାରି ଧାର
ଶୁଷ୍କ ଚରାଭୂଇଁ ସବୁଜିମା ଭରା
ତୃଷ୍ଣା ମେଣ୍ଟାଇଲେ ସ୍ଥଳଚର ।
ଲଙ୍ଗଳ ଯୁଆଳି କାନ୍ଧରେ ପକାଇ
ଚାଷୀ ଭାଇ ଚାଲେ କୃଷି କ୍ଷେତ୍ର
ବର୍ଷକର ଶଷ୍ୟ ଉତ୍ପାଦନ ପାଇଁ
ସାଥିରେ ଅଛନ୍ତି ବଳଦ ମିତ୍ର ।
ହଂସ ହଂସରାଳୀ ସଂଗେ ଖେଳୁଛନ୍ତି
ପୁଷ୍କରିଣୀ ଭରା ଜଳେ
ବେଙ୍ଗୁଲି ଗାଉଛି ଉଚ୍ଚ ସ୍ବରରେ
ଅସରାଏ ବରଷାର ତାଳେ ।
ପ୍ରଚଣ୍ଡ ନିଦାଘ କରିଛି ଶ୍ରୀହୀନ
ଜାଳି ପୋଡିଣ ମହୀ ମଣ୍ଡଳ
ଦଗ୍ଧ ଧରଣୀକୁ ଶୀତଳ କରାଅ
ମେଘ ଢାଳି ଦେଇ ବୃଷ୍ଟି ଜଳ ।