ହସର ବୋଧ
ହସର ବୋଧ
ଇଶ୍ଵର ତୁମର ସଂସାରେ
ହସର ଅର୍ଥ ହୁଏ ନାହିଁ ବୋଧ,
କେବେ ଅଟେ ସ୍ମିତ,କେବେ ନିଷ୍କପଟ
କେବେ କରେ ମନ୍ତ୍ର ମୁଗ୍ଧ ।
ହସରେ କପଟ ଲୁଚି ଅଛି ଅବା
ପ୍ରେମ ଯାଉଅଛି ବୋହି,
କ୍ଷୀଣ ବୁଦ୍ଧି ମୋର ବୁଝି ପାରେ ନାହିଁ
ସଂସାର ରହସ୍ୟ ଏହି ।
ଶ୍ରୀକୃଷ୍ଣ ନାଶନ ପାଇଁ ଗୋପ ପୁରେ
ଉଭା ପୁତନା କରାଳ
ଛାତିରେ ଜାକିଛି ଗରଳ ଭଣ୍ଡାର
ଅଧରେ ହସ କୁଟିଳ ।
ପୁତନା ପାତନେ ଗୋପବାସୀ ଯେତେ
ହେଲେ ପ୍ରଫୁଲ୍ଲିତ ମନ,
ସବୁରି ମୁଖରେ ଫୁଟିଲା ହସ
ହସରେ ଆହ୍ଲାଦ ତାନ ।
ସୁନ୍ଦରୀ ଅହଲ୍ୟା ଶିଳା ମୂର୍ତ୍ତି ରୂପ
ପ୍ରଭୁଙ୍କ ପରଶ ପାଇ,
ମୁକତି ଆସ୍ବାଦେ ତୃପତିର ହସ
ପାଷାଣରେ ଯାଏ ଖେଳି ।
କଂସ ଅଟ୍ଟହା
ସେ ମଥୁରା ନଗରୀ
ପ୍ରାଣୀ ଜନ ଭୟଭୀତ,
ତାହାର ନିପାତେ ପ୍ରଜାଗଣ ମୁଖେ
ଖେଳି ଯାଏ ହସ ସ୍ମିତ ।
କୁରୁସଭା ମଧ୍ୟେ ରଥି ମହାରଥୀ
ଅଟନ୍ତି ଆଜି ବିବଶ,
ଦୁଃଶାସନ ହାତେ ଦ୍ରୌପଦୀଙ୍କ କେଶ
ମୁଖେ ବିକଟାଳ ହସ ।
ପ୍ରଭୁଙ୍କର ମାୟା କୋଟି ବସ୍ତ୍ର ପାଇ
ଦ୍ରୌପଦୀ ହେଲେ ଅକ୍ଷତ,
ସଭାଜନ ମୁଖେ ଖେଳିଗଲା ଏକ
ଆଶ୍ବସ୍ତ ହସର ପ୍ରସ୍ତ ।
ଦ୍ଵାରକା ପ୍ରଦେଶେ ସୁଦାମାଙ୍କୁ ଦେଖି
ଆନନ୍ଦିତ ରାଜା କୃଷ୍ଣ,
ବାଲ୍ୟ ବନ୍ଧୁ ଠାରୁ ହସ ହସ ମୁଖେ
ନେଲେ ଏକ ମୁଠା ଅନ୍ନ ।
ପ୍ରତିଟି ହୃଦୟେ ଭରି ଯାଉ ପ୍ରଭୁ
କପଟ ରହିତ ପ୍ରେମ,
ଅଧରରୁ ଝରୁ ଶିଶୁ ସମ ହସ
ଧରା ହେଉ ସ୍ବର୍ଗ ସମ ।