ଜଗନ୍ନାଥ ନାମାମୃତ
ଜଗନ୍ନାଥ ନାମାମୃତ
ଜୟଜୟ ଜଗବନ୍ଧୁ ହେ ଜୟ କରୁଣାସିନ୍ଧୁ
ଭକତର ହୃଦ ଚନ୍ଦନ ପ୍ରଭୁ ହେ ଦୀନବନ୍ଧୁ।
ଜଗନ୍ନାଥ ଜଗଦୀଶ୍ବର ଜଗତର ଜୀବନ
ଜନାର୍ଦ୍ଦନ ଜନବନ୍ଦନ ଜୟ ଜଗମୋହନ।
ମାଧବ ହେ ନୀଳମାଧବ ପ୍ରଭୁ ହେ ପଦ୍ମନାଭ
ଭକତ ଭାବରେ ବନ୍ଧାହେ ତୁମେ ଭକ୍ତ ବାନ୍ଧବ ।
ଦାରୁବ୍ରହ୍ମ ତୁମେ ଶ୍ରୀକ୍ଷେତ୍ରେ ଅଧାଗଢା ସ୍ବରୂପ
ପାପତାପୁ ମିଳେ ମୁକତି ଦେଖି ଦେଲେ ସେ ରୂପ।
ଚକାଆଖି ଚକାଡୋଳା ହେ ଚକା ଚକାନୟନ
ସର୍ବାଙ୍ଗେ ଚନ୍ଦନ ଚର୍ଚ୍ଚିତ ଚିତ୍ତ ଚିତ୍ତରଞ୍ଜନ ।
ଚକିତ ହୁଅଇ ଜଗତ ଦେଖି ଦାରୁଭୂତ ଙ୍କୁ
ଚକା ବଇଠିରେ ବସିହେ ପାଳୁଅଛ ସଭିଙ୍କୁ ।
ଚମକଇ ରୂପକାନ୍ତି ଯେ ସଦା ଝଟକେ ଜ୍ୟୋତି
ଚାହିଁ ଦେଲେ ମିଳେ ପ୍ରାଣରେ ସତେ ଅପୂର୍ବ ଶାନ୍ତି ।
ଚର୍ମ ନେତ୍ରେ ପ୍ରଭୁ ଦେଖିଲେ ସେହି ରୂପ ତୁମର
ଚିନ୍ତା ଅବସାଦ ମନରୁ ସବୁ ହୁଅଇ ଦୂର ।
ଚତୁର୍ଦ୍ଧାମୂରତୀ ତୁମେ ଯେ ଚାରି ବେଦ ସ୍ବରୂପ
ରୁକ୍ ଯଜୁଃ ଶ୍ୟାମ୍ ଅଥର୍ବ ତୁମ କାୟା କଳପ।
ସର୍ବନାମ ତୁମେ ପ୍ରଭୁହେ ପୁଣି ତୁମେ ଅନାମ
ଶାନ୍ତାକାର ସତ୍ୟ କାମ ହେ ଆହେ ପୁରୁଷୋତ୍ତମ।
ତୁମେତ ଅଚ୍ୟୁତ ଅନନ୍ତ ତୁମେ ହେ ପୂର୍ଣ୍ଣ ଇନ୍ଦୁ
ପତିତ ତାରଣ କାରଣ ଆହେ ପତିତ ବନ୍ଧୁ।
ରାମକୃଷ୍ଣ ରାଧାକୃଷ୍ଣ ହେ ତୁମେ ଭକ୍ତ ଜୀବନ
ଦୀନବନ୍ଧୁ ଦୟାସାଗର ଆହେ ଦୁଃଖ ଦଳନ।
ମାନବୀୟ ଲିଳା ପାଇଁକି ତୁମେ ବିଶ୍ଵ ବନ୍ଦିତ
ମାନବଙ୍କ ପରି ତୁମର ସବୁ ରାସ ରଙ୍ଗତ।
ପ୍ରତିଦିନ ଯାନିଯାତରା କେତେ ନୀତି ତୁମର
ଧୂପ ଅବକାଶ ବେଶ ଯେ ଭାବେ ଭକ୍ତ ବିଭୋର ।
ବାମନ ରୂପରେ ପ୍ରଭୁହେ କର ରଥ ଯାତରା
ରଥରେ ଦେଖିଲେ ସେରୂପ ମିଳେ ପୂଣ୍ୟ ଅସରା ।
କେତେ ପୋଥି ଶାସ୍ତ୍ର ପୁରାଣ ତୁମ ଗାଥା ଗାଆନ୍ତି
ଅସୀମ ମହିମା ସୁଷମା ସେତ ବଖାଣି ଥାନ୍ତି।
ବିଷ୍ଣୁ ପୁରାଣ ରୁ ବ୍ରହ୍ମାଣ୍ଡ ପୁଣି ବ୍ରହ୍ମ ପୁରାଣ
ପଦ୍ମ ପୁରାଣରେ ତୁମରି ତତ୍ତ୍ଵ ଅଛି ବର୍ଣ୍ଣନ।
ସ୍କନ୍ଦ ପୁରାଣ ର ଉତ୍କଳ ଖଣ୍ଡେ ତୁମରି ଲୀଳା
ବଖାଣି ଅଛନ୍ତି ବ୍ୟାସ ଯେ ହୋଇ ଭାବ ରେ ଭୋଳା।
ତୁମେ ରାମ ପର୍ଶୁରାମ ହେ ତୁମେ କୃଷ୍ଣ କହ୍ନାଇ
କମଳ ନୟନ ଶ୍ରୀହରି ଆହେ କମଳାସାଇଁ।
ବଳିଧ୍ବ°ସୀ ବିଷ୍ଣୁ ବାମନ ଆହେ ବିଶ୍ଵ ମୋହନ
ବିଶ୍ବବ୍ୟାପୀ ବିଶ୍ବରୂପହେ ପ୍ରଭୁ ବିଶ୍ବ ବନ୍ଦନ ।
ବିଶ୍ଵକର୍ମା ବିଶ୍ବକରତା ବିଶ୍ବେ ବିଶ୍ବ ଦର୍ଶନ
ବିଶ୍ବମ୍ବର ବିଶ୍ବେଶରହେ ପ୍ରଭୁ ବିଶ୍ବ ଜୀବନ ।
ମଧୁରିପୁ ମଧୁମାଧବ ମଧୁ ମଧୁସୂଦନ
କେଶବ କେଶବାନନ୍ଦ ହେ କେଷୀ କ°ଶ ମର୍ଦ୍ଦନ ।
ତୁମେ ଭୂତ ଭବିଷ୍ୟତ ହେ ବର୍ତ୍ତମାନ ଅତୀତ
କାଳ ତୁମ କବଳିତ ହେ ପ୍ରଭୁ ହେ କାଳାତୀତ ।
ଅନନ୍ତ ଅସୀମ ଅପୂର୍ବ ଅପ୍ରମିତ ଅରୁପ
ଅଭୟ ଅଭୟାନନ୍ଦ ହେ ଶାନ୍ତ ଶାନ୍ତି ସ୍ବରୂପ ।
ଜଳଶାୟୀ ଯଜ୍ଞ ପୁରୁଷ ଯଦୁକୂଳ ଜୀବନ
ପଦ୍ମପ୍ରିୟ ପଦ୍ମ ପୟର ପଦ୍ମ ପଦ୍ମଲୋଚନ ।
ପତିତ ପାବନ ପାଇଁକି ଉଡେ ଦେଉଳେ ନେତ
ପାତିତପାବନ ପ୍ରଭୁହେ ତୁମେ ଅନାଥ ନାଥ ।
ଗୋବିନ୍ଦ ଗରୁଡଧ୍ବଜହେ ମାନି ମାନ ଭଞ୍ଜନ
ଜ୍ଞାନେଶ୍ବର ଜ୍ଞାନ ପ୍ରଦୀପ ଜ୍ଞାନ ଜ୍ଞାନରଞ୍ଜନ ।
ଗୋପାଳ ଗୋପାଳପ୍ରିୟହେ ଗୋପେ ଗୋପ ଚନ୍ଦନ
ଗୋପେଶ୍ବର ଗୋପନାରୀଙ୍କ ତୁମେ ଜୀବ ଜୀବନ ।
ଗୌରଚନ୍ଦ୍ର ଗୌର ମୋହନ ଗୋପୀନାଥ ଶ୍ରୀନାଥ
ଗୋପାଳଙ୍କ ସାଥେ କରିଲ ବାଲ୍ୟଲିଳା ଅଦ୍ଭୁତ ।
ଗିରି ଗୋବର୍ଦ୍ଧନ ଟେକାହେ ତୁମେ ଗରୁଡାସନ
ହେ ଉପେନ୍ଦ୍ର ଇନ୍ଦ୍ରାବରଜ ଇନ୍ଦ୍ର ଗର୍ବ ଗଞ୍ଜନ।
ଦାମୋଦର ଦଇତାରୀ ହେ ଦୀନ ଦୈତ୍ୟ ଦଳନ
ଦୁଃଖୀବନ୍ଧୁ ଦୁଃଖହାରୀ ହେ ଦୁଃଖୀ ଦୁଃଖ ନାସନ ।
ଦୟାନିଧି ଦୟାସାଗର ଦେବ ଦୟାଳୁ ଦିଅଁ
ଦିବ୍ୟଜ୍ୟୋତି ଦିବ୍ୟ ପୁରୁଷ ପ୍ରଭୁ ହେ ଦୟାମୟ
ଚକ୍ରପାଣି ଚକାନୟନ ତୁମେ ଚିନ୍ତା ମୋଚନ
ଚତୁର୍ଭୁଜ ଚକ୍ରଧର ହେ ଚିତ୍ତ ନିତ୍ୟ ଚିନ୍ତନ ।
ଶ୍ରୀହରି ଶ୍ରୀଧର ଶ୍ରୀମୟ ଶ୍ରୀଚନ୍ଦନ ଶ୍ରୀପତି
କାଳଜୟୀ କାଳ ସରପ କାଳ ତ୍ରୀକାଳ ପତି ।
ଅବତାର ଅବତାରୀ ହେ ପ୍ରାଣ ତ୍ରାଣ କରତା
ଗୀତା ଭାଗବତ ପୁରାଣ ବେଦ ଧାତା ବିଧାତା ।
ଅଛି ନଅଛିର ପ୍ରଭୁ ହେ ତୁମେ ଚରମ ସୀମା
ମୁକ୍ତିଦାତା ଶାନ୍ତି ପ୍ରଶାନ୍ତି ଦୟା କରୁଣା କ୍ଷମା ।
ଷୋଳକଳା ର ହେ କାଳିଆ କଳା କଳା ସୁନ୍ଦର
କଳାକଳେବର କହ୍ନାଇ ଲଗାଇଛ ହୁନ୍ଦର ।
ନୀଳାଚଳ ନୀଳଶଇଳ ନୀଳ ସାଗର କୂଳେ
ଜୟଜୟ ଜଗନ୍ନାଥ ହେ ନାମ ସଦା ଉଛୁଳେ।
ସଂଘତି ର ତୁମେ ସ୍ବରୂପ ସମ୍ପ୍ରିତି ର ପ୍ରତିକ
ସବୁ ଧର୍ମ ସବୁ ମଣିଷ ତୁମ ପାଖରେ ଏକ।
ନୀଳ ଆକାଶଠୁ ବଡ ହେ ନୀଳ ସାଗରୁ ନୀଳ
ଆରତ ତାରଣ କାରଣ ଆହେ ଭକ୍ତ ବତ୍ସଳ।
ଧନମାଳି ବନମାଳି ହେ ଦୀନ ଦୁଃଖୀ ଶଙ୍ଖାଳି
ଅନ୍ଧକାର ଯାଏ ଦୂରେଇ ଦେଲେ ଆଶିଷ ଢାଳି।
ତୁମ ଶ୍ରୀଚରଣେ ପ୍ରଭୁ ହେ ମୋର ମିନତି ଏହି।
ସମସ୍ତେ ରୁହନ୍ତୁ ଶାନ୍ତି ରେ ତୁମ ନାମକୁ ଧ୍ଯାଇ ।