STORYMIRROR

Pratima Satpathy

Abstract

4  

Pratima Satpathy

Abstract

ଲକ୍ଷ୍ମଣଙ୍କ ଶକ୍ତି ଭେଦ

ଲକ୍ଷ୍ମଣଙ୍କ ଶକ୍ତି ଭେଦ

2 mins
395

ପ୍ରଭୁ ରାମଚନ୍ଦ୍ରଙ୍କର ସହିତ ରାବଣ

ଯୁଦ୍ଧ କରି ପୁତ୍ର ତାର ହେବାରୁ ମରଣ

ରାଗ ରେ, ଏକାଘ୍ନୀ ଶକତି 

ମାରି ଯୁଦ୍ଧେ ପକାଇଲା ବୀର ସଉମିତ୍ରି। 

ପ୍ରିୟ ଭାଇ, ଦୁର୍ଦ୍ଦଶାକୁ, ଦେଖିଣ ଶ୍ରୀରାମ

କାନ୍ଦି କାନ୍ଦି କହୁଛନ୍ତି ଉଠରେ ଲକ୍ଷ୍ମଣ

 ଭାଇ ରେ, କି ହେଲା ତୋହର

କାହିଁପାଇଁ ଶୋଇଅଛୁ ଭୂମିର ଉପର।

 ମନା କଲି ନ ମାନିଲୁ ମୋହରି କଥାକୁ

ଆଉ କେବେ ଫେରିବିନି ମୁହିଁ ଅଯୋଧ୍ୟାକୁ

କିପରି, କହିବି କାହାକୁ

ଭାଇ ମୋର ଚାଲିଗଲା ଶମନ ପୁରକୁ।

ଘରେ ଗଲେ ଆଗେ ମାତା ଖୋଜିବେ ପୁତ୍ରକୁ 

ଲୋକେ ନିନ୍ଦା, ଅପବାଦ ଦେବେ ଜାନକୀଙ୍କୁ 

ଭାବିଛି, ହାରିବି ଜୀବନ

ତୋ ବିହୁନେ କିପରି ମୁଁ ଧରିବି ଜୀବନ।

ସୁଗ୍ରୀ, ହନୁ, ନଳ ନୀଳ ସହ ଜାମ୍ବବାନ, 

ସୁଷେଣ ବୈଦ୍ୟ ଦେଖିକି ଭାଷିଲେ ତକ୍ଷଣ

ପ୍ରଭୂ ହେ, ଅଧର୍ଯ୍ୟ ନ ହୁଅ

 ତୁମ ଭାଇ ବଞ୍ଚି ଛନ୍ତି କହୁଛି ଉପାୟ।

 ଆଜି ରାତ୍ରୀ ନ ପାହିବା ପୂର୍ବରୁ ଔଷଧ

ଦେଲେ ନିଶ୍ଚେ ବଞ୍ଚିଯିବେ ପ୍ରାଣର ସୌମିତ୍ର

ପ୍ରଭୂ ହେ, ବିଶଲ୍ୟ କରଣି

ପତ୍ର ବାଟି ଲଗାଇଲେ ଉଠିବେ ତକ୍ଷଣି।

 ଶୁଣି ବୀର ହନୁମାନ ବୋଲେହେ ଶୁସେଣ

କେଉଁ ଠାରେ ଅଛି ତାହା ମୁଁଦେବି ଆଣିଣ

କୁହ ହେ, ନ କରିଣ ଡେରି

ଯେତେ କଷ୍ଟ ପଡୁ ପଛେ ଯିବିନି ମୁଁ ଡରି।

ଗିରି ନାମ ଅଟଇ ଯେ ଗନ୍ଧ ମାରଦନ

ଏତେ ଦୂର ବାଟ ଯିବା ବହୁତ ଗହନ 

ରଜନୀ, ପାହିବା ପୂର୍ବରୁ

ଆଣି ଦିଅ ଔଷଧଟି ଗନ୍ଧମାର୍ଦ୍ଦନରୁ।

ଶୁଣି ହନୁ ତନୁ ବୃଦ୍ଧି କରିଲେ ତାଙ୍କର

ଜୟ ପ୍ରଭୂ ରାମଚନ୍ଦ୍ର ବୋଲି ଯେ ମୁଖର

ଉଡ଼ିଣ, ଆକାଶେ ଚଳିଲେ

ଶତ ସିଂହ ବଳହେଲା ତାଙ୍କ ଶରୀରରେ।

 ରାମ କୃପା ଲାଭ କରି ପବନ ସମାନ

ଗିରି, ନଦୀ, ସବୁ ଲଙ୍ଘି ମାରୁତି ନନ୍ଦନ

ପ୍ରବେଶି, ଗନ୍ଧମାର୍ଦ୍ଦନରେ

ଚିହ୍ନି ପାରି ଲେନି ବୃକ୍ଷ ପଡିଲେ ଚିନ୍ତାରେ।

ପାଶେ ଦେଖି ଏକ ଋଷି ପବନ ନନ୍ଦନ

ତାଙ୍କୁ ଯାଇ ପଚାରିଲେ ହେ ୠଷି ମହାନ

ମୋତେ ଯେ, ଚିହ୍ନାଅ ଔଷଧ

ମାୟା ଦୈତ୍ୟ ବୋଲେ ସ୍ନାନ ସାରି ଆସ ବେଗ।

ଏହା ଶୁଣି ହନୁ ଚଳେ ସ୍ନାନ କରିବାକୁ

ପୁଷ୍କରିଣୀ ଜଳେ କୁମ୍ଭିରିଣୀ ଟାଣେ ତାକୁ

ମାରୁତି, ମୁଷ୍ଟିରେ ମାରିଲା

ସାଙ୍ଗେ ସାଙ୍ଗେ ସେହି ଦିବ୍ୟ ରୂପ ପ୍ରକାଶିଲା।

ଦେଖି ହନୁ ଆଚମ୍ବିତ ହୋଇଣ ପୁଛିଲେ

ସବୁ କଥା ଶୁଣି ସ୍ନାନ ସାରି ଆସିଗଲେ

ଅସୁର, କାଳନେମୀ ଶିର

ମୋଡ଼ି ମାରି ଦେଲେ ହନୁମାନ ବୀରବର।

ମନେ ମନେ ଚିନ୍ତା କଲେ ଉପାଡି ପର୍ବତ

ନେଇ ଯିବି ମୁଣ୍ଡେ ବୋହି ପାଦପ ସହିତ

ସେଠାରେ, ଚିହ୍ନିବେ ସୁଷେଣ 

ଡେରି କଲେ ବଞ୍ଚିବେନି ମୋପ୍ରଭୁ ଲକ୍ଷ୍ମଣ।

ରାମ ନାମ ତୁଣ୍ଡେ ଗାଇ ପର୍ବତ ଉପାଡି

କ୍ଷିପ୍ର ବେଗେ ହନୁମାନ କାୟାକୁ ବିସ୍ତାରି

ବାଟରେ, ଆସିଲା ବେଳରେ

ଏକ ଶକ୍ତ ବାଟୁଳିଟେ ବାଜିଲା ମୁଣ୍ତରେ।

ଜୟ ରାମ ଶବ୍ଦ ଶୁଣି ଆସିଲେ ଭରତ

ହନୁ ମୂଖୁ ଶୁଣି ସବୁ ହୋଇଲେ ଦୁଃଖିତ

ବୋଇଲେ, ମୁଁ ପାପୀ ଅଧମ

ଦେଲି କଷ୍ଟ ମୋର ଦୋଷ ଅଟଇ ଅକ୍ଷମ।

ଶିଘ୍ର ଯାଅ ଡେରି ହେଲେ ରଜନୀ ପାହିବ

ଭାଇ ମୋର କେଉଁ ପରି ଜୀବନ ପାଇବ

ପଚାରେ, ରଜନୀ ସମୟ 

ଭରତ କହିଲେ ଏବେ ପାହାନ୍ତା ସମୟ।

ରାମ ନାମ ମୁଖେ ଧରି ଗଲେ ହନୁମାନ

ରାତ୍ରୀ ପାହିବାର ପୂର୍ବୁ ମିଳିଲେ ତକ୍ଷଣ

ଶ୍ରୀରାମ, ପାଇଲେ ଜୀବନ 

ବିଶଲ୍ୟ କରଣୀ ଚିହ୍ନି ମାରିଲେ ସୁଷେଣ।

ଏକ ସ୍ତନୀ ନାରୀ କ୍ଷୀର ସଙ୍ଗରେ ମିଶାଇ 

ନାକେ ପଡ଼ି ଗଲା ପରେ ଲକ୍ଷ୍ମଣ ଉଠଇ 

ଶ୍ରୀରାମ, ଧରିଲେ କୋଳରେ

ଆନନ୍ଦ ଉଲ୍ଲାସ ଭରି ଗଲା ହୃଦୟରେ।

ଧନ୍ୟ ଧନ୍ୟ ହନୁମାନ ତୁମରି ଚେଷ୍ଟାରେ

ନବ ପ୍ରାଣ ବୀରବର ସୌମିତ୍ରୀ ପାଇଲେ

ମାରୁତି, ବିନୟେ ଭାଷଇ

ତୁମ କୃପା ବଳେ ସବୁ ସମ୍ଭବ ହୁଅଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract