ଓଡ଼ିଆ ରେ ଆମେ ଓଡ଼ିଆ
ଓଡ଼ିଆ ରେ ଆମେ ଓଡ଼ିଆ
ଓଡ଼ିଆ ରେ ଆମେ ଓଡ଼ିଆ
ସବୁତ ଆମରି ବଢିଆ
ଆମ ମାଟି ପାଣି ପବନ
ସରଳ ଆମରି ଜୀବନ
ଗଉରବ ଭରା ଅତୀତ
ମାଆ ଆମ ବିଶ୍ବବନ୍ଦିତ
ଉତ୍କର୍ଷ କଳାର ରାଜ୍ୟ ଟି
ଉତ୍କଳ ତେଣୁ ତା ନାମଟି
କଳିଙ୍ଗ ପୁଣି ସେ ଓଡିଶା
ଅମୃତ ହୁଅଇ ବରଷା
ଜଗନ୍ନାଥ ଧାମ ନାମରେ
ଜଗତ ତା ଯଶ ଗାଏରେ
ଅପୂର୍ବ ଆମ ଏ ମାଟିରେ
ଲିଳାତ ରଚନ୍ତି ଠାକୁରେ
ଭାରି ମିଠା ଆମ ଭାଷାଟି
ସାସ୍ତ୍ରିୟ ଭାଷାତ ସେହିଟି
କେତେ ପୋଥି କେତେ ପୁରାଣ
ଆମ କଥା ଗାଥା ବର୍ଣ୍ଣନା
ଭାଗବତ ସ୍କନ୍ଦପୁରାଣ
ମହାଭାରତରେ ବର୍ଣ୍ଣନ
ପୁତ ପବିତ୍ର ଏ ଭୂଇଁଟି
ରାମାୟଣେ ଅଛି ଲେଖାଟି
ଆମରି ଉତ୍କଳ କଥାଟି
ଦୟା ଧରମର ଗାଥାଟି
ଦୟାନଈ ଯାଏ କହିଟି
ଧଉଳୀ ପାହାଡେ ଲେଖାଟି
ଚଣ୍ଡାଶୋକ ଧର୍ମାଶୋକ ରେ
ପରିଣତ ହେଲେ ଏଠି ରେ
ତରବାରୀ ତେଜି ରାଜା ତ
ବୌଦ୍ଧ ଧର୍ମେ ହେଲେ ଦୀକ୍ଷିତ
ଐର ଖାରବେଳ ମହାନ
ଏ ମାଟିର ବୀର ସନ୍ତାନ
ଦିଗ ଚଉଦିଗ ଜିଣିତ
ଜୈନ ଧର୍ମେ ଶେଷେ ଦୀକ୍ଷିତ
ଖଣ୍ଡଗିରି ଗୁମ୍ଫା କନ୍ଦର
ଐରବୀର ସ୍ମୃତି ସୁନ୍ଦର
ପାହାଡ ପର୍ବତ ଝରଣା
ବନରାଜି ଫୁଲ ଅଗଣା
ନଦ ନଦୀ ଜଳ ପ୍ରପାତ
ଶୁଣାନ୍ତି ମଧୁର ସଙ୍ଗୀତ
ସାଗର ର ବେଳା ଭୂଇଁରେ
ହୃଦୟକୁ ଯାଏ ଛୁଇଁ ରେ
ଆଦିବାସୀ ଭାଇ ଭଉଣୀ
ପକୃତି ର କଥା କାହାଣୀ
ସମୟ ଆଣଇ ସାଉଁଟି
ସଭ୍ୟତା ଆରମ୍ଭ ଯେଉଁଠି
ମାଟି ପାଣି ଅଗ୍ନି ଆକାଶ
ଜ୍ଞାନ ବିଜ୍ଞାନ ର ବିକାଶ
ଆମ ସ୍ନେହ ଶ୍ରଦ୍ଧା ସମ୍ପ୍ରିତି
ଜଗତରେ ଆଣେ ଜାଗୃତି
ଭାଇଚାରା ଭାବ ବନ୍ଧନ
ଆମ ପ୍ରଗତିର ଇନ୍ଧନ
ହାତରେ ମିଶାଇ ହାତରେ
ଝୁମୁ ସ°ଘତିର ଶ୍ରୋତରେ
ଗୀର୍ଜା ଗୁରୁଦ୍ବାର ମନ୍ଦିର
ମଠ ମସଜିଦ ସୁନ୍ଦର
ସଦ୍ଭାବନା ଆମ ମନ୍ତ୍ର ଟି
ପ୍ରିତିର ସଙ୍ଗୀତ ଗାଇଟି
ସାରା ଜଗତକୁ କହୁଟି
ଦେଖିଯାଅ ଆସି ଥରେଟି
ଆମରି ପୂରୁବ ପୁରୁଷ
ପାଇରେ ତାଙ୍କରି ଆଶିଷ
ହସ ଖୁସି ଆମେ ବାଣ୍ଟୁଛୁ
ନୂଆ ଗପ ଗୀତ ଲେଖୁଛୁ
ଚକିତ ହୁଅଇ ଦୁନିଆ
ବଇରୀ ହୁଏରେ ଛାନିଆ
ସାହାସୀ ଓଡ଼ିଆ ସାଧବ
ଆମ ଗଉରବ ଗରବ
ବାଲି ବରୋନିଓ ସୁମାତ୍ରା
ବିପଦ ସ°କୁଳ ସେ ଯାତ୍ରା
ବଣିଜ ବେପାର କରିଟି
ଆଣୁଥିଲେ ଧନ ବୋହିଟି
ଦୁର୍ଧଷ ଓଡ଼ିଆ ପାଇକ
ଡରୁଥିଲେ ଗୋରା ସୈନିକ
ଜଇ ରାଜଗୁରୁ ନେତୃତ୍ୱ
ବକ୍ସି ଜଗବନ୍ଧୁ ବୀରତ୍ବ
ଇଂରେଜ ଙ୍କ ନିଦ ହଜାଇ
ଟାଣପଣ ଦେଲେ ବୁଝେଇ
ଗୋପବନ୍ଧୁ ମଧୁସୂଦନ
ବିରଶା, ସହିଦ ଲକ୍ଷଣ
ନେତାଜୀ ସୁଭାଷ ବୋଷ୍ ଯେ
ବିଦେଶୀ ଙ୍କ ସାଥେ ଲଢିଯେ
ଦେଶକୁ କରିଲେ ସ୍ବାଧୀନ
ଏବେ ଆମେ ଆମ ଅଧୀନ
କବି ସୂର୍ଯ୍ୟ କବି ସମ୍ରାଟ
ବୈଷ୍ଣବ ପଠାଣୀ ସାମନ୍ତ
ଅଭିମନ୍ୟୁ ଜୟଦେବ ତ
ଶୁଦ୍ରମୁନି ଜଗନ୍ନାଥେ ତ
ଆମ କବି ଆମ ପଣ୍ଡିତ
ତାଙ୍କ ଲାଗି ଆମେ ବିଖ୍ୟାତ
ଦୁର୍ଦ୍ଦିନ ଆସିଲା ଏମିତି
ଓଡ଼ିଆ ଭାଷାକୁ ବିପତ୍ତି
ଭାଷାର ସୁରକ୍ଷା ପାଇଁରେ
ଫକୀରମୋହନ ଲଢିଲେ
ରାଧାନାଥ ଗୈରୀ ଶଙ୍କର
ସାଥି ହେଲେ ପରା ତାଙ୍କର
ମହା ମନିସୀଙ୍କ ପାଇଁକି
ଭାଷା ଆମ ଅଛି ଜୀଇକି
ଭାଷା ପାଇଁ ଆମ ଗରବ
ଭାଷା ପରା ଆମ ଗୌରବ
ଭାଷାକୁ ଯିବାନି ଭୁଲିରେ
ଯିଏ ବା ଯେଉଁଠି ରୁହରେ
ଚାଷବାସ ଆମ ଜୀବନ
କ୍ଷେତରେ ସାଇତା ସପନ
ଖରା ବରଷାକୁ ସହିଟି
ଚାଷୀ ଭାଇ ନିତି ଖଟେଟି
ସଭିଙ୍କୁ ଯୋଗାଏ ଆହାର
ସହି ସେ ସମୟ ପାହାର
ରାତି ପାହି ଆସେ ସକାଳ
ସୁଆଦିଆ ଶାଗ ପଖାଳ
ପିଇଦେଲେ ପେଟେ ତୋରାଣୀ
ମନ ଖାଲ ଖମା ମାନେନି
ଓଡ଼ିଆ ର ପରିଚୟତ
ଡଲମା ପଖାଳ କ°ସାତ
ତମ୍ବା ବକ୍ସାଇଟ କୋଇଲା
ଲୁହା କ୍ରୋମାଇଟ୍ ସିଲିକା
ମାଟି ତଳେ ରତ୍ନ ଭଣ୍ଡାର
ପ୍ରକୃତିର ଦାନ ଅପାର
ଶୀଳ୍ପ କାରଖାନା ବସୁଛି
ରାଇଜ ତ ଆମ ହସୁଛି
ସମୁଦ୍ର କୂଳରେ ବନ୍ଦର
ବଣିଜ ବେପାର ସୁନ୍ଦର
ଜାହାଜ ଆସନ୍ତି ଯାଆନ୍ତି
କାରବାର କେତେ କରନ୍ତି
ରତ୍ନାକର ରତ୍ନ ଦେଉଛି
ସପନରେ ରଙ୍ଗ ମଖୁଛି
ଚାରୁ କାରୁ କଳା କିରତି
ମଠ ମନ୍ଦିର ରେ ଭରାଟି
ପୁରୀ କୋଣାରକ ଏକାମ୍ର
ହଜାର ବର୍ଷର ମନ୍ଦିର
ଯାହାକୁ ଦେଖିବା ପାଇଁକି
ବିଦେଶୀ ଆସନ୍ତି ଧାଇଁକି
ଶିଳ୍ପୀ ର କାଉଁରୀ ସ୍ପର୍ଶେଟି
ପଥର ବି କଥା କହେଟି
ବାଲିରେ ଅପୂର୍ବ ବର୍ଣ୍ଣାଳୀ
ସପନ ଯାଏରେ ଚହଲି
ମାଟିରେ ମମତା ମାଖିରେ
ଶିଳ୍ପୀ ନୂଆ ଗୀତ ଲେଖେରେ
ରୁପା ତାରକସି ରସିଆ
ଫୁଲକୁ ଡାକେରେ ଫାସିଆ
ପିପିଲି ଚାନ୍ଦୁଆ ଚମକ
କମକୁଟା କାମ ଝଲକ
ସମ୍ବଲପୁରୀଆ ଶାଢିରେ
ରଙ୍ଗ ହାଟ ବସେ ପାଢିରେ
ରସଗୋଲା କ୍ଷୀର ସାଗର
କ୍ଷୀର ସର ମିଠା ଜବର
ଚିତୋଉ କ୍ଷୀରିଶା ଆରିଶା
ମଣ୍ଡା ପୋଡପିଠା ସରସା
ଆମ ପିଠା ମିଠା କାକରା
ସୁଆଦ ତ ତାର ନିଆରା
ଆମ ପରମ୍ପରା ସ°ସ୍କୃତି
ଆମ ପାଇଁ ସିଏ ସମ୍ପତି
ବାରମାସେ ତେର ପରବ
ପୂଜା ବ୍ରତ ଆମ ଗରବ
ମନେ ଭରିଦିଏ ଆନନ୍ଦ
ବନ୍ଧନକୁ କରେ ସୁଦୃଢ
ମହାପ୍ରଭୁ କଳା ବଦନ
ପ୍ରତି ଓଡ଼ିଆ ଙ୍କ ଜୀବନ
ତାଙ୍କରି ଅସୀମ କରୁଣା
ଆମ ଚଲାପଥେ ପ୍ରେରଣା
ଚକାଆଖି ଚାହିଁଥିବ ଟି
ସିନେହ ଶରଧା ମାଖି ଟି ।
