STORYMIRROR

Sarojini Mishra

Abstract

4  

Sarojini Mishra

Abstract

ନୂଆ ଆଶା

ନୂଆ ଆଶା

2 mins
249

ଜୀବନ ପଥ ଯେ ଉଠାଣି ଗଡ଼ାଣି

ସୁଖ ଦୁଃଖ ମିଶା ଜୀବନ ରାସ୍ତା

ଆଶା ବୈତରଣୀ ଦିଅଇ ସାରଣୀ

ମନ ଯମୁନାରେ ନୂତନ ଆଶା ।


ଆଶା ବି ବଞ୍ଚାଏ ଆଶା ବି ହସାଏ

ଆଶା ପାରାବାର ଅମାପ ଅଟେ

ବୃକ୍ଷର ପତର ଶୁଖି ଝଡ଼ିଯାଏ

ନୂଆ ପତର ବି କଅଁଳି ଉଠେ ।


ଜୀବନ ରାସ୍ତାରେ ଆଶା ଦିଏ ରାସ୍ତା

ଆଗକୁ ଯିବାକୁ ପ୍ରେରିତ କରେ

ନିରାଶା ଧୂଆଁରୁ ମୁକୁଳାଇ ଆଣି

ନୂଆ ସପନର ଅଞ୍ଜନ ଭରେ ।


ଜନ୍ମରୁ ମରଣ ମଣିଷ ଜୀବନେ

ଆଶାର କିରଣ ଆଲୋକ ଦିଏ

ଗୋଟେ ଆଶା ପରେ ନୂଆ ଆଶା ଆସି

ମନେ ଉଦ୍ଦାମତା ଅଜାଡି ଦିଏ ।


ନୈରାଶ୍ୟ ବେଳାରେ ନୂଆ ଆଶା ଭରେ

ମନରେ ଶକତି ଜୀଇଁବା ଇଚ୍ଛା

ନୂଆ ଆଶା ଆମ ଜୀବନ ବେଳାରେ

ଲହଡ଼ି ଭାଙ୍ଗଇ ଯେ ଉଦ୍ଦାମତା ।


ନୂଆ ଆଶା ଦିଏ ନୂଆ ଦିଶା ପୁଣି

ଜୀବନ ସୁନ୍ଦର କରିବା ପାଇଁ

ନୂଆ ଆଶା ଆମ କର୍ମ ପ୍ରେରଣାର

ଅଟେ ଶ୍ରେଷ୍ଠ ଉତ୍ସ ଶୁଣ ମୋ ଭାଇ ।


ନୂଆ ଆଶା କେବେ ସମ୍ପର୍କ ଯୋଡିଇ

ହତାଶା ରେ ଦିଏ ଆତ୍ମପ୍ରତ୍ୟୟ

ଆଶା ବିନା ଏଇ ଭବ ପାରିହେବା

ହେବ କି ସହଜ କୁହ ସଦୟ ।


ଦୁଃଖ ଯନ୍ତ୍ରଣାର ପାରାବାରେ ପରା

ନୂଆ ଆଶା ଅଟେ ଯେ ବତୀଘର

ନୂଆ ଆଶା ଦିନେ ପୁରାତନ ହୁଏ

ଶିକ୍ଷା ଦେଇଯାଏ ସଚରାଚର ।


ଅତୀତ ସାଉଁଟା ସ୍ମୃତି ସୁଗନ୍ଧରେ

ନୂଆ ଆଶା ହେଉ ଜୀବନେ ଛନ୍ଦା

ସେ ହେବ ଆମର ଜୀବନ ଧାରରେ

ଅପୂର୍ବ ଆମୋଦ ମହକେ ବନ୍ଧା ।


ଆଶା ପାରି କରେ ଯନ୍ତ୍ରଣାର ନଦୀ

ଆଶାରେ ଆଶାରେ ଜୀବନ ବଞ୍ଚେ

ହେଲେ ନୂଆ ଆଶା ବାସ୍ତବ ହୋଇଲେ

ଦୁଃଖ ପାଖରେ ଆସି ନ ପହଞ୍ଚେ ।


ନୂଆ ଆଶା ଅଟେ ଜୀବନ ଆକାଶେ

ପୂର୍ଣ୍ଣିମୀର ଇନ୍ଦୁ ଅତି ସୁନ୍ଦର

ହତାଶା ମଧ୍ୟରେ ଜୀଇଁବାର ଇଚ୍ଛା

ନୂଆ ଦିଗନ୍ତ ର ସୃଷ୍ଟି ସମ୍ଭାର ।


ନୂଆ ଆଶା ସଦା ସମ୍ଭାବନା ମୟ

ମନରେ ଜାଳଇ ଆଶା ଦିପାଳୀ

ଜୀବନେ ଭରଇ ନୂଆ ଉନ୍ମାଦନା

ନିରବେ ଭରସା ଦିଅଇ ଢ଼ାଳି ।


ନୂଆ ଆଶା ଆସୁ ମାଟିର ବାସ୍ନାରେ

ବାସ୍ତବତା ହେଉ ତାର ଆଧାର

ନିଜର କର୍ମର ମୂଳାଧାର ହେଉ

ଅନ୍ୟ ଠାରୁ ଆଶା ନ ରଖୁ ନର ।


ନିଜ ସପନର ନିଜେ କାରିଗର

ନିଜ ରୂପ ଦେବା ନୂଆ ଆଶାକୁ

ଅନ୍ୟ ଠାରୁ ଆଶା ଦିଅଇ ଦୁର୍ଦ୍ଦଶା

କର୍ମ ପ୍ରେରଣା ରେ ମନ ମହକୁ ।


ନୂଆ ଆଶା ଆଣୁ ନୂତନ ଭରସା

ନୂଆ ସକାଳର ସୁରୁଜ ଉଠୁ

ନୂଆ ଆଶା ହେଉ ନିରବ ବର୍ତ୍ତିକା

ଏ ଆମ ଜୀବନ ସାର୍ଥକ ହେଉ ।


ନୂଆ ଆଶା ନୂଆ ଦିଗନ୍ତ ଦେଖାଉ

ମାନବିକତାର ମନ୍ତ୍ର ଯେ ଶୁଭୁ

ସେ ମନ୍ତ୍ର ନିନାଦେ ଅନ୍ତର ମନ୍ଦିରେ

ପବିତ୍ର ଭାବନା ଜାଗି ଯେ ଉଠୁ ।


ନୂଆ ଆଶା ବୁଣୁ ସୁନ୍ଦର ମୁରୁଜ

ସମ୍ପର୍କ ମାନଙ୍କ ଅଗଣା ଧାରେ

ସମ୍ପର୍କର ସେତୁ ଦୃଢ ହୋଇ ଯାଉ

ଭାଙ୍ଗି ନ ଯାଉ ସେ କାହା ପ୍ରହାରେ ।


ନୂଆ ଆଶା ଆଣୁ ସଂସ୍କାର ର ବାର୍ତ୍ତା

ମୂଲ୍ୟବୋଧ ର ଯେ ଉଚ୍ଚାର ହେଉ

ମୂଲ୍ୟବୋଧ ଆଉ ସଂସ୍କାରକୁ ନେଇ

ମଣିଷ ଜୀବନ ହସୁ ଯେ ଥାଉ ।


Rate this content
Log in

Similar oriya poem from Abstract