କହଇ ମନ ଆରେ ମୋ ବୋଲ କର
କହଇ ମନ ଆରେ ମୋ ବୋଲ କର
କହଇ ମନ ଆରେ ମୋ ବୋଲ କର
ମନରେ ରଖ ନାହିଁ ତୁ ଅହଂକାର ।
ସତ୍ୟ ଧର୍ମ ପଥେ ତୁ ହୁଅ ଅଗ୍ରସର
କରି ତୁ ଚାଲେ ସଦା ପରୋପକାର ।
ମିଳିବ ସେଠି ମୁକ୍ତି
ହୋଇବ ଆତ୍ମା ତୃପ୍ତି-୨
ଛାଡି ଦେ ମନେ ଯେତେ ଛଳନା ତୋର ।
କହଇ ମନ ଆରେ ମୋ ବୋଲ କର ।
ଅନ୍ୟାୟ ଅଧର୍ମ ଏଠି ଚାଲେ ଘୋରତର
ବଢିଛି ଦୁର୍ନୀତି ଭ୍ରଷ୍ଟାଚାର କୁସଂସ୍କାର ।
ସେ ରାସ୍ତାରେ କେବେହେଲେ ଯିବୁନି ତୁ ମୋର
ବାଛି ନେ ସର୍ବଦା ତୁ ସତ୍ୟ ମାର୍ଗ ତୋର ।
ସତ୍ୟରେ ରହିଲେ ତୁହି
ଶାନ୍ତି ଯେ ପ୍ରାପତ ହୋଇ -୨
ପାଇବୁ ପ୍ରଭୁ ସାନ୍ନିଧ୍ୟ ଆଶିଷ ପୟର ।
କହଇ ମନ ଆରେ ମୋ ବୋଲ କର ।
ଏ ଦୁନିଆ ଅଟେ ଏକ ମାୟାର ସହର
ମିଛ ମୋହ ଫାନ୍ଧେ ବନ୍ଧା କେ ନୁହେଁ କାହାର
ମୋର ମୋର କହୁଥିବେ ସମ୍ପତ୍ତି ବେଳର
ବିପଦ କାଳରେ କେହି ହେବେନି ତୋହର ।
ସ୍ବାର୍ଥରେ ରହିବେ ପାଖ
ପରେ ନ ଚାହିଁବେ ମୁଖ -୨
ବାହାନା ଦେଖେଇ ସିଏ ହେଇଯିବେ ଦୂର ।
କହଇ ମନ ଆରେ ମୋ ବୋଲ କର ।
ବିଶ୍ବାସରେ ଅବିଶ୍ବାସ ଭରନ୍ତି ଜହର
ସହି ପାରନ୍ତି ଈର୍ଷେ ଭାଙ୍ଗନ୍ତି ସଂସାର ।
ସେମିତି ଜନ ପାଖକୁ ଯିବୁନି ତୁ ମୋର
ଦୂରୁ ଦେଖି ହାତ ଯୋଡି କରିବୁ ଜୁହାର ।
ପଡିବୁନି ଫାନ୍ଦେ ତାଙ୍କ
ହେବୁନି ତୁ ଧନ ରଙ୍କ -୨
ତଳ ଗତି କରି ଭାଙ୍ଗେ ସମ୍ପର୍କର ଡୋର ।
କହଇ ମନ ଆରେ ମୋ ବୋଲ କର ।
ହେବୁନି ତୁ କେବେହେଲେ ମୋର ସ୍ବାର୍ଥପର
ନ୍ୟାୟ ଧର୍ମ ଜ୍ଞାନବନ୍ତ ଉଚିତ ବିଚାର ।
କରୁଥିବୁ ଭାବି ଚିନ୍ତି ଛାଡି ବ୍ୟଭଚାର
ଛଳନା କପଟୁ ସଦା ରହିଥିବୁ ଦୂର ।
ଭଲ ପନ୍ଥା ଦେଖେଇବୁ
ବିପଦେ ସାହା ତୁ ହେବୁ -୨
ଅନ୍ୟ ଓଠେ ହସ ଦେଲେ ହସିବ ସଂସାର ।
କହଇ ମନ ଆରେ ମୋ ବୋଲ କର ।
କୁଟିଳ କପଟି ପାଖୁ ହେଇବୁ ଅନ୍ତର
ସବୁବେଳେ ଆଶ୍ରା ଥିବୁ ପ୍ରଭୁଙ୍କ ପୟର ।
ପ୍ରଭୁ ବିନା ଜୀବନରେ ଗତି ନାହିଁ କା'ର
କର୍ମ ଅନୁସାରେ ଫଳ ଭୋଗିବାଟା ସାର ।
ଭାବି ଚିନ୍ତି କର୍ମ କର
ନ ଭାଙ୍ଗି କାହାର ଘର
ଜୀବେ ଦୟା କ୍ଷମା ଭାବ ରଖ ନିରନ୍ତର ।
କହଇ ମନ ଆରେ ମୋ ବୋଲ କର ।
ସବୁବେଳେ ମନ ହରି ଭଜନ ତୁ କର
ଏ କଳି ଯୁଗରୁ ଯେବେ ପାଇବୁ ନିସ୍ତାର ।
ମନ ହୃଦୟକୁ ରଖି ଥିବୁ ପରିଷ୍କାର
କୁପଥରେ କେବେ ପାଦ ଦେବୁନି ତୁ ମୋର ।
ନିଷ୍କପଟେ ରହିଥିବୁ
ପ୍ରଭୁ ପାଦେ ଆଶ୍ରା ନେବୁ
ତାଙ୍କ କୃପେ ଏ ଜୀବନ ଧନ୍ୟ ହେବ ତୋର
କହଇ ମନ ଆରେ ମୋ ବୋଲ କର ।।
