ଘୃଣା
ଘୃଣା
ମନେ ଯଦି ଥରେ ଘୃଣା ଆସି ଯାଏ
ଲିଭେ ନାହିଁ କେବେ ସିଏ
ଅଶାନ୍ତିର ବହ୍ନି ହୁତୁ ହୁତୁ ଜଳି
ଜୀବନକୁ ଜାଳି ଦିଏ ।
ଭଲ ପାଇବାର ସବୁ ସମ୍ପର୍କକୁ
କ୍ଷଣିକରେ ଭାଙ୍ଗି ଦିଏ
ଆଖିର ଆଗରେ ଶତ୍ରୁର ପ୍ରାଚୀର
ମୁଣ୍ଡ ଟେକି ଠିଆ ହୁଏ ।
ଭଲ ପାଇବାରୁ ଧୋକା ହେଇଥାଏ
ପ୍ରତାରଣା ସୃଷ୍ଟି ହୁଏ
ସେଇ ପ୍ରତାରଣା ଏମିତି ଗୋଟିଏ
ମନେ ଘୃଣା ଭରି ଦିଏ ।
ସେଇ ଘୃଣା ଅଟେ ଏମିତିକା ରୋଗ
ନା ଔଷଧେ ଭଲ ହୁଏ
ଭିତରେ ଭିତରେ କୁହୁଳି କୁହୁଳି
ସମ୍ପର୍କଟା ଜାଳି ଦିଏ ।
ଘୃଣାର ଭାବନା ମନରେ ରହିଲେ
ଦୂରତାଟି ବଢି ଥାଏ
ଉପରେ ସିନା ସେ କଥା ହେଉଥାଏ
ବିରକ୍ତିଟା ଆସି ଯାଏ ।
କଥା ନ ହେବାର ବିଭିନ୍ନ ବାହାନା
ଆଳ ସେ ଦେଖେଇ ଥାଏ
କେତେ ଘୃଣା ଅଛି ମନରେ ତାହାର
ଏଥିରୁ ଯେ ବୁଝା ଯାଏ ।
ଯେତେ ବି ପୁରୁଣା ସମ୍ପର୍କ ଟା ହେଉ
ଏଇ ଘୃଣା ଭାଙ୍ଗି ଦିଏ
ଥରେ ସେ ସମ୍ପର୍କ ଭାଙ୍ଗି ଯାଏ ଯଦି
ନା ସେ ଆଉ ଯୋଡି ହୁଏ ।
ପୂର୍ବ ପରି ଆଉ ସେ ସ୍ନେହ ମମତା
ନା ହୃଦୟୁ ଆସିଥାଏ
ଯେତେ ଚେଷ୍ଟା କଲେ ସେଇ ଦୁଇ ମନ
ନା ଏକାଠି କେବେ ହୁଏ ।
ଘୃଣାର ଭାବନା କରେ ଆନମନା
ପାଦଟି ଦୂରକୁ ଯାଏ
କଥା ହେବା ପାଇଁ ମନରେ ତାହାର
ନା ଆଗ୍ରହ ଆସୁଥାଏ ।
ଏମିତି କିଛି ତ କେହି କର ନାହିଁ
ଘୃଣା କରୁଥିବ କିଏ
ବିଦ୍ରୁପ କରିବ କଥା କହୁ ଥିବ
ଆଙ୍ଗୁଠି ଦେଖେଇ ସିଏ ।
ଅଢେଇ ଦିନିଆ ଏଇତ ଜୀବନ
ନା ସ୍ଥାୟିତ୍ବ ଏଠି ଥାଏ
ମରି ଗଲା ପରେ ଏଇ ଦୁନିଆରୁ
କିଏ କଣ ନେଇ ଯାଏ ?
ବେଳେ ବେଳେ ମନ ସନ୍ଦେହ ଘେରରେ
ଘୃଣା ଭାବ ଭରି ଦିଏ
ଯା ପଛେ ସତ୍ୟତା କିଛି ବି ନ ଥାଇ
ମନଟା କୁହୁଳୁ ଥାଏ ।
ନା କହି ପାରେ ନା ସହି ପାରେ ସିଏ
ଗୁମୁରି ସେ କାନ୍ଦୁ ଥାଏ
ଭିତରେ ଭିତରେ ରହି ସେ ଶେଷରେ
ଭୟଙ୍କର ରୂପ ନିଏ ।
ପ୍ରତିଶୋଧ ନେବା ପାଇଁ ମନ ତାର
ସଂକଳ୍ପ ବଦ୍ଧ ଯେ ହୁଏ
ସତ୍ୟତା ଜାଣିବା ବେଳକୁ ତାହାର
ସବୁ କିଛି ସରି ଥାଏ ।
ସରଳ ନିରୀହ ମନେ ଘୃଣା ଭାବ
ଦିଅ ନାହିଁ କେବେ କିଏ
ନା ସହି ପାରିବ ନା ବଞ୍ଚି ପାରିବ
ଭଲ ପାଏ ପରା ସିଏ ।
ସବୁ ସମ୍ପର୍କକୁ ଜାଳି ପୋଡି ଦେଇ
ପାଉଁଶ କରଇ ସିଏ
ଘୃଣାଭାବ ମନେ ସ୍ଥାନ ଦିଅ ନାହିଁ
କାହାର ହୁଏନା ଇଏ ।
