ଭୋକର ଭୂଗୋଳ
ଭୋକର ଭୂଗୋଳ
ଭୋକ ଭୌଗଳିକ ସୀମା ରେଖା ପରା
ଜଠର ଅଗ୍ନିରେ ଲେଖା
ଭୋକ ପାଇଁ ପେଟ କେତେ କରେ ନାଟ
ସଭିଙ୍କର ଆଖି ଦେଖା |
ଭୋକ ର ଦାଉରେ ଛଟପଟ ଜୀବ
ପେଟ ମାଗୁଥାଇ ଖାଦ୍ୟ
ସବୁ କଷଣର ଉର୍ଦ୍ଧ୍ଵରେ ଭୋକ ଯେ
ଭୋକ ଉପସ୍ଥିତି ଆଦ୍ୟ |
ଭୋକର ଜ୍ବାଳା ତ ବିଷମ ଅଟଇ
ମଣିଷ ସ୍ଖଳିତ ହୁଏ
ଭୋକର ଭୂଗୋଳ ସୀମା ଡେଇଁ ଗଲେ
ନାଳ ,ନର୍ଦ୍ଦମାରେ ମିଳେ ।
ଆଦ୍ୟ କଥା ଅଟେ ଭୋକ ର ଡାକ ଯେ
ଜନ୍ମାନ୍ତେ ଭୋକ ର ଡାକ
କୁଆଁ କୁଆଁ ଶଦ୍ଦେ ଘର କମ୍ପୁଥାଇ
କଥା କହୁଥାଇ ଭୋକ ।
ଭୋକ ର ଭୂଗୋଳ ପେଟର ଜ୍ବାଳାରେ
କୁକୁର ଖାଦ୍ୟ ରେ ଭାଗ
ଭୋକ ଭୂଗୋଳକୁ ସଜାଇବା ପାଇଁ
କିଏ କରେ ଘର ତ୍ୟାଗ ।
ଭୋକ ଭୂଗୋଳର ଜୀବନ ପାଇଁ ଯେ
ମମତା ବି ବିକ୍ରୀ ହୁଏ
ଭୋକ ର ଜ୍ଵାଳା ରେ ମନ ହୃଦୟର
ସୂକ୍ଷ୍ମ ତନ୍ତ୍ରୀ ଛିଡ଼ି ଯାଏ ।
ଭୋକ ର ଭୂଗୋଳ ପେଟର ଇଲାକା
ସେଠି ଯଦି ନିଆଁ ଜଳେ
ମାନବିକତା ର ମନ୍ତ୍ର ର ଝଙ୍କାର
ହଜଇ ଗାଢ଼ ଅନ୍ଧାରେ ।
ଭୋକ ବିକଳରେ ମଣିଷ ହୁଅଇ
କେବେ ଯେ ବିପଥ ଗାମୀ
ଭୋକ ଭୂଗୋଳକୁ ବଦଳାଏ ନର
ହେଲେ ସିଏ କର୍ମ ଯୋଗୀ ।
ଜୀବ ନିରଳସ ଜୀବନ ଆଦର୍ଶେ
ଯଦି ଏ ମଣିଷ ଚ଼ାଲେ
ଭୋକ ସାଧେ ନାହିଁ ଜୀବ ପରେ ଦାଉ
ପଡ଼େ ନାହିଁ ମୋହ ଜାଲେ ।
ଭୋକର ଭୂଗୋଳେ ନିଆଁ ଜଳୁଥିଲେ
ଶିକ୍ଷା ରେ ଯେ ଡୋରି ବନ୍ଧା
ବହି ବସ୍ତାନୀର ସ୍ଥାନେ ଛିଣ୍ଡା ଅଖା
ଷ୍ଟେସନେ ରେ ପାଦ ଛନ୍ଦା ।
ଭୋକର ଭୂଗୋଳ ହନ୍ତସନ୍ତ କଲେ
କଳୀ ପଡ଼ିଥାଏ ବଳି
ହୋଟେଲ ବଜାରେ ଚ଼େଙ୍କା ଖାଉଥାଏ
ସପନ ଯାଏ ସେ ଭୁଲି |
କଅଁଳ ବୟସେ ବହଳ ଖରାରେ
ମୁଣ୍ଡରେ ତା ଭାରି ବୋଝ
ପେଟର ଜ୍ବାଳାରେ ଭୁଲିଛି ସେନେହ
ଝାଳ ସାଜେ ତାର ସାଜ ।
ଭୋକ ଭୂଗୋଳର ତତଲା ଆସ୍ଥାନେ
ପଖାଳ ଅଟେ ଅମୃତ
ଦିନ ତମାମର ଝାଳ ବୁହା ଅର୍ଥେ
ପେଟ ହୋଇଥାଏ ଶାନ୍ତ |
ଭୋକ ର ଭୂଗୋଳ ପେଟ ଇଲାକାରେ
ନିରଳସତା ଔଷଧି
ଧଇର୍ଯ୍ୟ ଶିଳାଟି ଭୋକ ଭୂଗୋଳର
ଅଟଇ ଆଶା ବାରିଧି ।
ଅଭାବୁ ଭୋକର ଅଙ୍କୁରୋଗଦମ ଯେ
ସ୍ୱଭାବ ଯଦି ହଜଇ
ମଣିଷ ଜନମ ନିରର୍ଥକ ହୁଏ
ପ୍ରଭୁ କୃପା ନ ମିଳଇ ।
ଭୋକ ଭୂଗୋଳରେ ସକାରାତ୍ମକ ର
ବିହନ ବୁଣିବା ଲୋଡା
ନିରଳସ ହୋଇ ପାଦ ନ ଖସାଇ
କର୍ମ କରି ହେବା ଛିଡା |
ଅଳ୍ପକେ ସନ୍ତୁଷ୍ଟି ବର୍ତ୍ତମାନେ ତୁଷ୍ଟି
ନିଜକୁ ନେଇ ଭାବିବା
ଭୋକ ଭୂଗୋଳରେ ପଖାଳ ଶାଗ ବି
ଶାନ୍ତି ପାଇଁ ଦେବ ବାର୍ତ୍ତା ।
ଭୋକ ଭୂଗୋଳରେ କର୍ମ ଚେତନାରେ
ଶାନ୍ତି ଧ୍ଵଜା ଉଡାଇବା
ଭୋକ ଜ୍ଵାଳା ସର୍ବେ ଅନୁଭବ କରି
ଅନ୍ୟ ଭୋକ କୁ ବୁଝିବା ।
