STORYMIRROR

Bidyadhar Mantry

Abstract Inspirational

4  

Bidyadhar Mantry

Abstract Inspirational

ପରିବର୍ତ୍ତିତ ଧାରାରେ ପ୍ରଭାତ

ପରିବର୍ତ୍ତିତ ଧାରାରେ ପ୍ରଭାତ

2 mins
18


ସୃଷ୍ଟି ଆରମ୍ଭରୁ ପ୍ରକୃତି କୋଳରେ

ସକଳ ଜୀବ ଜଗତ

ସମୟ ଚକ୍ରରେ ପ୍ରକୃତିର ଶୋଭା

ପ୍ରାୟତଃ ପରିବର୍ତ୍ତିତ

ପ୍ରଭାତ ମଧ୍ୟାହ୍ନ ପରେ ସନ୍ଧ୍ୟା କାଳ

କ୍ରମଶଃ ହୁଅଇ ରାତି

ସମୟ ସାରଣୀ ସହିତ ପ୍ରକୃତି

ଶୋଭା ବର୍ଦ୍ଧନ ସମ୍ପ୍ରତି ।।


ପ୍ରଭାତ ର ପୂର୍ବାଭାସ ପୂର୍ବ ଦିଗେ

ପ୍ରକୃତି ସୂଚନା ପ୍ରାପ୍ତ

ଆଭା ସୃଷ୍ଟି ସୂର୍ଯ୍ୟ କିରଣ ଛଟା ରେ 

ପୂର୍ବ ଦିଗ ଆଲୋକିତ

ରାତ୍ରୀ ଅପସରି ଯାଏ ଆପେ ଆପେ

ମୃଦୁ ମୃଦୁ ସମୀରଣ

ଶାନ୍ତ ସ୍ନିଗ୍ଧ ପରିବେଶ ଧୀରେ ଧୀରେ

ଶଦ୍ଦ ସହିତ ଗୁଞ୍ଜନ

ପକ୍ଷୀ କୁଳ ମଧ୍ୟେ କଳରବ ପ୍ରାୟ

ସଚେତନ ବାର୍ତ୍ତା ଧରି

ପ୍ରକୃତିକୁ କହେ ସଜାଗ ହେବାକୁ 

ସର୍ବେ କିଚିରୀ ମିଚିରୀ 

କିଚିରୀ ମିଚିରୀ ଗୀତ ଅବା ଗୋଳ

ଶୁଭେ ପ୍ରାୟ କୋଳାହଳ

ଶାବକ ର ଅଳି ନୀଡ଼ ମଧ୍ୟେ ରହି

ସବୁକିଛି କୁତୁହଳ

ମନ୍ଦିରରୁ ଘଣ୍ଟ ଧ୍ଵନି ଓ ଆଳତି

ଆଧ୍ୟାତ୍ମିକ ପରିବେଶ

ସଜ ଫୁଟା ଫୁଲ ସଂଗ୍ରହ ହେଉଛି

ମହ ମହକିଆ ବାସ ।।


ପ୍ରଭାତ ହେବାର ହସ ଖୁସି ଭାବ

ସର୍ବ ଜୀବ ଜଗତରେ

ଖାଦ୍ୟ ଅନ୍ୱେଷଣ ପାଇଁ ତପ୍ତରତା

କ୍ରମଶଃ ଧରା ପୃଷ୍ଠରେ

କୃଷକ ଭାଇର ତପ୍ତରତା ଠାଣି

କୃଷି କ୍ଷେତ୍ରେ ଆଗଭରେ

ପ୍ରାତଃ ଭ୍ରମଣରେ ରାସ୍ତାରେ ଗହଳ

ସାଧକ ଯୋଗାଭ୍ୟାସରେ

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବେପାର

କ୍ରମଶଃ କାୟା ବିସ୍ତାରେ

ପରିବେଶ ପୁରାପୁରି କୋଳାହଳ

ଜୀବନ ଯାତ୍ରା ପଥରେ ।।


ଖରା ବର୍ଷା ଶୀତ ବସନ୍ତ ଋତୁର

ପ୍ରଭାତ ଦୃଶ୍ୟ ନିଆରା

ଭିନ୍ନ ଭିନ୍ନ ସ୍ଵାଦ ଭିନ୍ନ ପରିବେଶ

ପ୍ରତି ପ୍ରଭାତ ରୂପରେ

ପ୍ରତି ଟି ପ୍ରଭାତ ଆସେ ନୂଆ ରୂପେ

ଧରି ଆଶା ର ସମ୍ଭାର

କାଳ ରାତ୍ରି ପରେ ଆଶାର ସକାଳ

ଜୀବନ ସମ୍ଭାବନାର

ପ୍ରଭାତ ର ଦୃଶ୍ୟ ଅଲଗା ଅଲଗା

ଭିନ୍ନ ପରିବେଶ ସହ

ଗାଆଁ ଠୁ ସହର ପ୍ରଭାତ ର ଦୃଶ୍ୟ

ଭିନ୍ନ ଭିନ୍ନ ପରିଚୟ

ସକାଳର ଦୃଶ୍ୟ ସହର ଭିତରେ

ବ୍ୟସ୍ତତା ସକାଳୁ ଉଠି

ଚା ଦୋକାନରେ ଭିଡ ଜମି ଉଠେ

ଅଳି କନ୍ଦି ଓ ସବୁଠି

ଦୂର ଯାତ୍ରା ପାଇଁ ଆଶ୍ରୟ ସ୍ଥଳରେ

ଧାଡ଼ି ବାନ୍ଧି ଅବା ମେଳି

ଦିନ ମଜୁରିଆ ଶ୍ରମିକ ବିଚରା

ରାସ୍ତା କଡରେ ଗହଳି

ଗାଆଁ ଓ ସହର ପ୍ରାୟ ସମ ଦଶା

ସଅଳ ଉଠିବା ଲୁପ୍ତ

ସକାଳର ଦୃଶ୍ୟ ବଦଳି ଯାଇଛି

ଭିନ୍ନ ଦୃଶ୍ୟ ପରିବ୍ୟାପ୍ତ ।।


ମଣିଷ ସଭ୍ୟତା କ୍ରମଶଃ ବିକାଶ

ପ୍ରଭାତ ସେହି କ୍ରମରେ

ସକାଳୁ ଗାଧୁଆ ପୋଖରୀ ପାଣିରେ

ଉଭେଇ ଯାଉଛି ଧୀରେ

କୁଳ ଭୁଆସୁଣୀ ନବ ବିବାହିତା

ସକାଳୁ ନାହିଁ ଗହଳି

ପୋଖରୀ ତୁଠରେ ପାଦ ଘଷା ପ୍ରଥା

କ୍ରମେ ଯାଇଛି ମଉଳି

ରାତି ଉଜାଗର ରହି କାରବାର

ଜାଣି ହେଉନି ସକାଳ

ନିଦ ଭାଙ୍ଗିଲେ ହିଁ ସକାଳ ଆରମ୍ଭ

ହୋଇଥାଉ ଖରାବେଳ ।।


ପ୍ରଭାତ କାଳୀନ ପ୍ରକୃତିର ଶୋଭା

ଅଟଇ ବର୍ଣ୍ଣନାତୀତ 

ଭାବନା ସହିତ ପ୍ରକୃତିର ଶୋଭା

ଅଙ୍ଗାଙ୍ଗୀ ଭାବେ ଜଡ଼ିତ

ପ୍ରଭାତ ର ଦୃଶ୍ୟ ହେଉ ଉପଭୋଗ

ସ୍ବାସ୍ଥ୍ୟ ପାଇଁ ହିତକାରୀ

ପ୍ରକୃତିର ବରଦାନ ସବୁ କିଛି

ମନରେ ରହୁ ସବୁରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract