STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ପଖାଳ ପ୍ରିୟ ମୋ କାଳିଆ ଦିଅଁ

ପଖାଳ ପ୍ରିୟ ମୋ କାଳିଆ ଦିଅଁ

2 mins
10

ପଖାଳ ପ୍ରିୟ ମୋ କାଳିଆ ଦିଅଁ ଲୋ

ମୋ ଜାତି ମଉଡ ମଣି

ରାଜା ହୋଇ ସିଏ ଶରଧାରେ ନିତି 

ଭୁଞ୍ଜନ୍ତି ପଖାଳ ପାଣି ।


ଅମୃତ ଠୁ ବଳି ପଖାଳ ଆମର

ବଖାଣେ ପୁରାଣ ପୋଥି

ପଖାଳ ତୋରାଣୀ କଥା କାହାଣୀ ର

ଲମ୍ବିଅଛି କିମ୍ବଦନ୍ତୀ।


କିମ୍ବଦନ୍ତୀ କହେ ସୁବର୍ଣ୍ଣ କେଶରୀ

କେଶରୀ ବଂଶ ସମ୍ରାଟ 

ରାଣୀ ଯେ ତାଙ୍କ ର ଅଜଣା ରୋଗରେ

ଭୋଗୁଥିଲେ ଭାରି କଷ୍ଟ।


କେତେ ବୈଦ୍ୟ କେତେ କବିରାଜ ଆସି

ରୋଗ ପାରିଲେନି ଚିହ୍ନି

ଦିନୁଦିନ ରୋଗ ଯନ୍ତ୍ରଣା ବଢିଲା

ଛଟପଟ ହେଲେ ରାଣୀ ।


ଦିନେ ଆସି ଏକ ବୁଢ଼ା ବଇଦ ଟି

ରାଣୀଙ୍କର ମୁଖ ଚାହିଁ 

କହିଲେ ଅମୃତ ପାନ କଲେ ରାଣୀ

ରୋଗ ଯିବ ଭଲ ହୋଇ ।


ବଇଦଙ୍କ କଥା ଶୁଣି ରାଜା ରାଣୀ

ବୈଦ୍ଯ ଙ୍କୁ ତାଛଲ୍ଯ କଲେ

ଦେବ ଦୁର୍ଲ୍ଲଭ ଏ ଅମୃତ ବା କୁହ

ମର୍ତ୍ତ୍ୟ ରେ ମିଳିବ ଭଲେ ? 


ଅଳ୍ପ ହସି ସେହି ବୃଦ୍ଧ ବୈଦ୍ୟରାଜ

ରାଜାଙ୍କୁ କହିଲେ ଶୁଣ

ଉତ୍କଳ ରାଜ୍ୟରେ ଅମୃତ ମିଳଇ

ରୋଗ ପାଇଁ ରାମ ବାଣ ।


ସାଧାରଣ ଲୋକ ବେଶେ ରାଜାରାଣୀ

ଉତ୍କଳେ ବୁଲିଲେ ଯାଇ

ଭୋକ ଶୋଷରେ ତ ଦିନ ବିତିଗଲା

ଅମୃତ ମିଳିଲା ନାହିଁ।


ଥକ୍କି ଯାଇ ରାଣୀ ଗଛ ମୂଳେ ଏକ

ବସିଗଲେ ପରା ତହିଁ

ଶୋଷରେ ତାଙ୍କର ହଂସା ଉଡିଗଲା

ପାଣି ବା ମିଳୁଛି କାହିଁ?


ରାଜା ତ ଦେଖିଲେ ପାଖ କ୍ଷେତେ ଏକ

ଚଷା କରୁଥିଲା ଚାଷ

ରାଜା ତ କହିଲେ ପାଣି ମୁନ୍ଦେ ଦେବ

ହେଉ ଅଛି ଭାରି ଶୋଷ।


ପାଣି ତ ନଥିଲା ପାଣି ମିଶା ଭାତ

ରାଜାଙ୍କୁ ସେ ଦେଲା ଆଣି

ଅମୃତ ପରିକା ଲାଗୁଥିଲା ତାହା

ପିଇ ତ କହିଲେ ରାଣୀ ।


ରାଜାଙ୍କର ମନ ଖୁସି ହୋଇଗଲା

ମିଳିଲା ଅମୃତ ଖଣି

ଏଥର ନିଶ୍ଚୟ ଭଲ ହୋଇଯିବେ

ତାଙ୍କ ପ୍ରିୟତମା ରାଣୀ।


ରାଜା ରାଣୀ ଯାଇ ସେହି ଚାଷୀ ଘରେ

ବିତାଇଲେ କିଛି ଦିନ

ପାଣି ମିଶା ସେହି ଭାତ ଖାଇ ନିତି

ଭଲ ହୋଇଗଲେ ଜାଣ ।


ରାଜା ରାଣୀ ପରା ଜାଣିଲେ ଚଷା ଠୁ

ଅମୃତ ପଖାଳ ପାଣି

ପଖାଳ ଖାଇଲେ ଜାତି ଜାତି ରୋଗ

ପାରିବ ସହଜେ ଜିଣି।


ରୋଗ ପ୍ରତିରୋଧ ଶକତି ବଢଇ

ପଖାଳ ଖାଇଲେ ନିତି 

ବାତ ପୀତ ଆଉ ପେଟ ରୋଗକୁ ତ

ନଥାଏ ଜମାଲୋ ଭିତି।


ମହାଭାରତ ରେ ହୋଇଛି ବର୍ଣ୍ଣନା

ଶାଗ ପଖାଳ ର କଥା

ପାଣ୍ଡବ ଙ୍କ ଗୁପ୍ତ ବନବାସ ବେଳେ

ଭକ୍ତ ଭଗବାନ ଗାଥା


ବିଦୁର କୁଟୀରେ ପାଦ ରଖିଥିଲେ

କଳାକାହ୍ନୁ ଦିନେ ଯାଇ

ପଖାଳ ଖୁଆଇ କୃଷ୍ଣଙ୍କର ମନ

ବିଦୁର ତ ନେଲେ ମୋହି 


ଜଗତର ନାଥ ସେହି ପଖାଳକୁ 

କେମିତି ପାରିବେ ଭୁଲି

ଛପନ ଭୋଗରେ ପଖାଳ ନିଇତି

ଖାଆନ୍ତି ସେ ଝୁଲିଝୁଲି।


ପଖାଳ ନହେଲେ କାଳିଆ ଆଖିରେ

ଆସେନାହିଁ ଜମା ନିଦ

ସଜ ତୋରାଣିରେ ଦୂର ହୁଏ ତାର

ସାରା ଦିନ ଅବସାଦ।


କେତେବେଳେ ଦହି କେତେବେଳେ ଘିଅ‌

ପଖାଳେ ମିଶାଇ ଖାଏ

କଦଳୀ ଭଜାକୁ ସୁଆଦିଆ ଶାଗ

ମନକୁ ତା ମୋହି ନିଏ ।


ଚିପୁଡା ପଖାଳେ ଖଣ୍ଡ ବସା ଦହି

ମହକ ଯାଏ ଲୋ ବୁଣି

ନିଇତି ରାତିରେ ପରସନ୍ତି ଆଣି

ମାଆ ଲକ୍ଷ୍ମୀ ଠାକୁରାଣୀ।


ପାଣି ପଖାଳରେ ସୁବାସିତ ଜଳ

ଅଦାରସ ଜିରା ଭଜା 

ଟଭା ପଖାଳକୁ ମଲ୍ଲି ପଖାଳ ତ

ଛପନ ଭୋଗରେ ସଜା ।


ମଧ୍ୟାହ୍ନ ଧୂପରେ ଚିପୁଡ଼ା ପଖାଳ

ସୁବାସିତ ପଖାଳ ରେ

କାଳିଆ ର ମନ ଲାଖିଯାଏ ତାର

ମହମହ ମହକରେ।


ଦିପହରେ ଖଟା ଟଭା ପଖାଳର

ସୁଆଦ ମନକୁ ମୋହେ 

ସଞ୍ଜ ନଇଁଗଲେ ଦହି ପଖାଳ ରେ

ସନ୍ଧ୍ୟା ଧୂପ ହୋଇଥାଏ 


ଘିଅ ପଖାଳ ତ ଖାଇମୋ କାଳିଆ

ରାତିରେ ପହୁଡ଼ ଯାଏ

ପଖାଳ ଖାଇ ସେ ଓଡ଼ିଆ ବୋଲିତ

ପରିଚୟ ତାର ଦିଏ ।


ଭକତେ ପାଗଳ ପିଇବାକୁ ତାର

ପଖାଳ ଟଙ୍କ ତୋରାଣି 

ତୋରାଣି ନୁହଁଇ ଭକତିରେ ଭରା

ଭାବର ପାଦୁକ ପାଣି ।



Rate this content
Log in

Similar oriya poem from Abstract