କଳା ବାମନ
କଳା ବାମନ
କେଉଁ କଳା ଥିଲା ଦ୍ଵାପର ଯୁଗରେ
କଳା କାହ୍ନୁ କାଳିଆର
ଝୁରୁଛି ଯମୁନା ଝୁରେ ଗୋପାଙ୍ଗନା
ରାଧା ନେତ୍ର ଝର ଝର ।
କଳା ପ୍ରିୟ କାହ୍ନୁ କେତେ କଲା କେଳି
ସାକ୍ଷୀ ଅଛି କୁଞ୍ଜବନ
କାହ୍ନୁ କଳା ବୋଳି ଗୋପପୁର ବାଳୀ
କାହ୍ନୁ ପ୍ରେମେ ହେଲେ ମଗ୍ନ ।
ଏ କଳି କାଳରେ ଷୋଳ କଳା ଧରି
ପରମବ୍ରହ୍ମ ଜଗନ୍ନାଥ
ନୀଳାଚଳ ଧାମ ଶ୍ରୀକ୍ଷେତ୍ରେ ବିରାଜି
କାଳିଆ ରୂପେ ବିଦିତ ।
ରତ୍ନସିଂହାସନେ ଦାରୁ ବ୍ରହ୍ମ ରୂପେ
ଉଭା ପ୍ରଭୁ ନୀଳମଣି
ଭଉଣୀ ସୁଭଦ୍ରା ଚକ୍ର ସୁଦର୍ଶନ
ସଙ୍ଗେ ଭାଇ ହଳପାଣି ।
କୋଟି କନ୍ଦର୍ପଙ୍କ ରୂପର ସମ୍ଭାର
ରୂପ ହିଁ ବର୍ଣ୍ଣନାତୀତ
ମର୍ତ୍ତ୍ୟ ବୈକୁଣ୍ଠରେ ଅଧା ଗଢା ଦିଅଁ
ଲୀଳା ହୁଏ ପ୍ରକଟିତ ।
ଭକତ ବତ୍ସଳ ଭାବର ଠାକୁର
ଭକ୍ତ ହୃଦ ଗଣ୍ଠି ଧନ
ଭକତି ଭାବରେ ବିହ୍ବଳିତ ପ୍ରାଣେ
ଦର୍ଶନେ ଜୀବନ ଧନ୍ୟ ।
ସର୍ବେ ଏକାକାର ନାହିଁ ଭେଦଭାବ
ଆନନ୍ଦ ବଜାରେ ତୃପ୍ତି
ଶ୍ରଦ୍ଧା, ଭକ୍ତି, ଅନୁରାଗର ଡୋରିରେ
ଭକ୍ତ ହୃଦୟେ ସମ୍ପ୍ରତି ।
ମାନବୀୟ ଲୀଳା ହୁଏ ପ୍ରକଟିତ
ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରେ
କେତେ ବେଶ ହୁଏ କେତେ ପଟୁଆର
ପର୍ବ ପର୍ବାଣୀ ଆକାରେ ।
ରଥ ଯାତ୍ରା ବେଳେ ସ୍ଵୟଂ ଜଗନ୍ନାଥ
ଆଖ୍ୟା ବାମନ ନାମରେ
ରଥେ ଥାଇ ଭକ୍ତ କରିଲେ ଦର୍ଶନ
ସର୍ବ ପାପ ତାପ ହାରେ ।
ନନ୍ଦିଘୋଷେ କଳା ବାମନ ରୂପରେ
ଦିଅ ପ୍ରଭୁ ଦରଶନ
ସକଳ କଳୁଷ ନାଶ ହୋଇଯିବ
ଘୁଞ୍ଚି ଯାଉ ପୁର୍ନଜନ୍ମ ।
ଶୁନ୍ୟସ୍ଥାନ ଭରି ଦିଅ ଜୀବନରେ
ଦିବ୍ୟ ପ୍ରକାଶେ ତୁମର
ନୀଳ କନ୍ଦରରେ ନୀଳାଦ୍ରି ବିହାରୀ
ଅଭିଷ୍ଟ ପୂରଣ କର ।
କରପତ୍ର ଯୋଡ଼ି ନିଷ୍ଠା ସହକାରେ
କରୁଅଛି ପ୍ରଣିପାତ
ହୃଦୟର ଭାବ ସହିତ ଲୋତକେ
ଶ୍ରୀଚରଣ ହେଉ ଧୌତ ।
ଆରତଜନର ନାଶି ପାପ ତାପ
କଷଣ ହେଉ ମୋଚନ
ହେ କଳା ବାମନ ଶୁଣ ନିବେଦନ
ଶ୍ରୀଚରଣେ ଦିଅ ସ୍ଥାନ ।
ଅନାଦି ଅନନ୍ତ ନାହିଁ ଆଦି ଅନ୍ତ
ତୁମେ ଯେ ରହସ୍ୟମୟ
କିପରି ବର୍ଣ୍ଣିବି ତୁମରି ମହିମା
ସଂପୂର୍ଣ୍ଣ ଅବର୍ଣ୍ଣନୀୟ ।
"ରଥେ ତୁ ବାମନମ୍ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ "
ଉକ୍ତି ରହିଛି ସଂସାରେ
ଛଳୟସି ବିକ୍ରମେଣ ବଳୀମଦ୍ଭୁତ ବାମନ
ପଦନଖ ନିର ଜନିତ ଜନ ପାବନ
ଜୟ ଜଗଦୀଶ ହରେ।