STORYMIRROR

Biswanath Nayak

Abstract Others

3  

Biswanath Nayak

Abstract Others

କୃଷ୍ଣଚୂଡା

କୃଷ୍ଣଚୂଡା

1 min
455


ହସନାହିଁ ହସନାହିଁ

ଯୌବନର କୃଷ୍ଣଚୂଡା

ପଢି ମୋର ବାର୍ଦ୍ଧକ୍ୟ କାହାଣୀ,

ଜୀବନ ଉପନ୍ୟାସର

ଶେଷପୃଷ୍ଠା ଲେଖୁଛି ମୁଁ

ପାରୁନ କି ତାହା ତୁମେ ଜାଣି?

ରଙ୍ଗଭରା ଅତୀତଟା

ମନେପଡେ ଆଜି ମୋର

ଦେଖି ତୁମ ହାସ୍ୟଭରା ମୁଖ,

ମୋ ମୁଖ ରକ୍ତିମ ଆଭା

ନିନ୍ଦୁଥିଲା ପୂର୍ଣ୍ଣଇନ୍ଦୁ

ଲଭୁଥିଲି ମୁହିଁ ସ୍ଵର୍ଗସୁଖ। 

ନିନାଦିତ ହେଉଥିଲା

ମୋହର ଶ୍ରୁତିରେ ସଦା

ମଧୁପର ମଧୁର ଗୁଞ୍ଜନ,

ମତୁଆଲା ପ୍ରଜାପତି

ଥିଲେ ସବୁ ଉନ୍ମାଦିତ

ପାଇବାକୁ ମୋ ମୁଖ ଚୁମ୍ବନ। 

କୃଷ୍ଣ ବେଣୀ କାଳିମାର 

ମନମତାଣିଆ ଆଭା

ନିନ୍ଦୁଥିଲା କଳା ଭ୍ରମରକୁ,

ନୂପୁର ନିକ୍ଵଣେ ଭରା

ଛନ୍ଦାୟିତ ଚାଲି ମୋର

ଉପହାସ କରୁଥିଲା

ରମ୍ଭା ଆଉ ଉର୍ବଶୀ ନୃତ୍ୟକୁ। 

ମୁଁ ଥିଲି କୁନ୍ଦରଦନା

ଝରୁଥିଲା ମୋ ହସରୁ 

ନନ୍ଦନବନର ପାରିଜାତ,

ସେହି ହସ ନିକଟରେ

ପ୍ରଣୟପିଆସୀଙ୍କର 

ପ୍ରେମଭରା ନିବେଦନ

ହେଉଥିଲା ସଦା ପରାଜିତ। 

ଆଜି ମୋ ଚର୍ମ ଲୋଳିତ

ପଳିତ ମୋ କେଶରାଶି

ଗଳିତ ଆଜି ମୋ ଦନ୍ତପନ୍ତି,

ଗୋଧୂଳିଗଗନ ତଳେ

ଅସ୍ତଗାମୀ କିରଣ ମୁଁ

ରୋମନ୍ଥନ କରେ ଆଜି

ମୋ ଅଭୁଲା ଅତୀତର ସ୍ମୃତି। 

ମୁଁ ଆଜି ଯେଉଁଠି ଅଛି

ସମୟ ସୁଅରେ ଭାସି

ତୁମେ କାଲି ଆସିବ ସେଠାକୁ,

ଉପହାସ କରନାହିଁ

ଯୌବନର କୃଷ୍ଣଚୂଡା

ଦେଖି ମୋର ବାର୍ଦ୍ଧକ୍ୟ ରୂପକୁ। 

ତୁମେ ଅଟ ମୋ ଅତୀତ

ଯୌବନର ପ୍ରତିଛବି

ମୁଁ ତୁମର ଭବିଷ୍ୟତ ଠାଣି,

ହସନାହିଁ ହସନାହିଁ

ଯୌବନର କୃଷ୍ଣଚୂଡା

ପଢି ମୋର ବାର୍ଦ୍ଧକ୍ୟ କାହାଣୀ। 



Rate this content
Log in

Similar oriya poem from Abstract