ମୋହିନୀ କନ୍ୟା ନୁହେଁ ତ ମୁଁ
ମୋହିନୀ କନ୍ୟା ନୁହେଁ ତ ମୁଁ
ବକ୍ଷ ନିଗାଡି ଅମୃତ ଢାଳୁ ଢାଳୁ ସେ ,
କେହି ଜଣେ ଡାକ ଦେଲା ପରି ମନେ ପଡିଗଲା ତା'ର !
ରାହୁ - କେତୁ ଉପାଖ୍ୟାନ ,
ସୂର୍ଯ୍ୟ ଦେବଙ୍କ "ରେ ଦାନବ" ର ହୁଙ୍କାର ,
ଚନ୍ଦ୍ର ଦେବଙ୍କ ତତ୍ ସହ ପାଳି ଦେବାର କଥା ।
ତତ୍ ସହ ଦେବୀ ଅପୂର୍ବ ସୁନ୍ଦରୀ ମୋହିନୀଙ୍କ ଅନ୍ତର୍ଦ୍ଧାନ ।
ସବୁ ଯେମିତି ବିଧି ନିର୍ଦ୍ଧିଷ୍ଟ ଥିଲା !
ହଠାତ୍ ଦେବୀ ମୋହିନୀଙ୍କ ସ୍ଵର୍ଗାବତରଣ ,
ଆଉ ଏକା ପଲକେ ହେବା ଅନ୍ତର୍ଦ୍ଧାନ ।
ବିଧି ନିଅନ୍ତା ବୋଧେ ଷଠୀକଳାର ପାଠ ପଢଉ ପଢଉ ,
ସେ ଯୁଗରେ ଗୋଟେ ଡାକ ଦେଲେ -
" ନାରୀ ନୁହେଁ ଉପଭୋଗ୍ୟା " ,
ସେ ସଦା ସର୍ବଦା ପୂଜ୍ୟା ଓ ବନ୍ଦନୀୟା ।
ଆଉ ତା ରୂପ ସୈ।ଷ୍ଠବ ଖାଲି ମିଛ ମୋହ ଆଉ ପୁଳାଏ ଅଦ୍ଭୁତ ମାୟା !
ଯେଉଁ ମାୟା କବଳରେ ସେ ସମୟେ ଦେବତା - ଦାନବ !
ଏ ଯୁଗରେ ହତଭାଗ୍ୟ ମାନବ ସମାଜ ,
ଦୈତ୍ୟ କୁଳର ଅବିନାଶ ନିମନ୍ତେ ଈଶ୍ଵର ବାଢିଲେ ପ୍ରସ୍ତାବ -
" ଶୋଷି ନିଅ ଏକାଥରେ ଅମୃତର ଭାଣ୍ଡ -
ନିଶ୍ଚେ ମୃତ୍ୟୁ ତବ ହେବ ଖଣ୍ଡ ବିଖଣ୍ଡିତ " !
ସେ ବେଳେ ପରାକ୍ରମୀ ମୋହିନୀ କନ୍ୟାର ରୂପ ଡାକ ଦେଲା ,
ଆସ ପିଇନିଅ ଅତ୍ର , ଗତର , ସର୍ବତ୍ର ,
ରୂପର ଫରୁଆରେ କାମନାର ମାଦକତା ,
ଶୋଷି ନିଅ ଏକାଥରେ ,
ସେଇଠୁ ଆରମ୍ଭ କଳି ଦେବତା ଦାନବ ମଧ୍ୟରେ ।
ଏବେଳେ ପୁତ୍ର ଆଉ ନୁହେଁ ଭୁଲ୍ କରିବାର ,
ଶୋଷି ନିଅ ଏ ଅମୃତ ମୋ ବକ୍ଷୁ ନିସ୍ରୃତ !
କଥାଦିଅ ଆଉ ଦାନବ ହେବାର ନାହିଁ , ନୁହେଁ ବି ଦେବତା !
ମୁଁ ହେବି ମାନବ କୁଳର ।
ନହେଲେ ଯାଅ ମରି କିଛି ଯାଏ ଆସେ ନାହିଁ !
ଏ ଭଳି ଶତ ପୁତ୍ର ଜନ୍ମି କି ଲାଭ ମିଳିବ ?
ତା ' ଠୁ ଭଲ ମୁଁ ବନ୍ଧାତ୍ଵକୁ କରିବି ଆଦର !
୦-୦-୦