ଅଶରୀରୀର ଅଟ୍ଟହାସ୍ୟ
ଅଶରୀରୀର ଅଟ୍ଟହାସ୍ୟ
ତୁ ଏତେ ଧରି ମନେ ରଖିଛୁ ମୋତେ ?
ଖାଲି ସେଦିନର ପିଲାଳିଆମି ପାଇଁ ।
ବାଃ ! ରେ ପ୍ରେମିକ ପ୍ରବର ,
ତୋ ପ୍ରେମକୁ ଶତକୋଟି ଜୁହାର ।
ଜାଣି ନାହୁଁ କି - ତୋତେ ପାଇବାର ଅଦ୍ଭୁତ ଅଭିଳାଷରେ -
ମୁଁ ତନ୍ନତନ୍ନ ହେଇ ଜଳିଗଲା ପରେ ,
ସେଦିନ ମୁଁ ନିଜକୁ ପଚାରିଲି -
"ଅଶରୀରୀ କ'ଣ ହେଇପାରେ ପ୍ରେମିକା କାହାର ?"
ସଶରୀରେ ପ୍ରେମ ଯଦି ମର୍ତ୍ତରେ ନାହିଁ,
ଅଶରୀରୀର ପ୍ରେମ କରିବାର କ୍ଷମତା କାହିଁ ?
ଏବେ ତୁ ମୋତେ କହିପାରୁ ସ୍ୱାର୍ଥପର !
ସେ ସ୍ବାର୍ଥ କିନ୍ତୁ ବିରହ ଆଉ ଅପେକ୍ଷା ନିଆଁର ,
ପ୍ରେମ କାହିଁ ଯେ ?
ଏବେ ତୁ ଜଳୁଥା ,
ତୋ ଦହନରେ ଜଳିଯାଉ ତୋର ସେ ସମାଜ ।
ସେ ଦହନ ବ୍ୟାପୁ ପାତାଳୁ-ଆକାଶ ,
ନରରୁ ଦେବତା , ଈଶ୍ଵର ଠୁ ନଶ୍ବର ଯାଏ ।
କିଛି ଦିନ ଅନ୍ତେ ତୁ ବି ମରିବୁ ,
ଶରୀରରୁ ପାଲଟିବୁ ଅଶରୀର !
ତୋ ଶରୀର ଯେବେ ଜଳିପୋଡି ଯିବ ,
ମୋ ଚିତାର ନିଆଁ ଚାରିଆଡ଼େ ବ୍ୟାପୀଯିବ !
ତୁ ହସୁଥିବୁ ମୁଁ ହସୁଥିବି ।
ପ୍ରେମ ଆମ ଶୂନ୍ୟତା ରେ ମିଶି ସାରିଥିବ ।