ଜ୍ଵଳନ
ଜ୍ଵଳନ
ଜାଣିନ କି ଈଶ୍ଵର ଏବେ ମୁଁ କାଳେ ବଞ୍ଚିବି ,
ମିଥ୍ୟା ନାଗଫାଶ ବନ୍ଧନରେ ବାନ୍ଧି ହେଇ -
ରୁନ୍ଧି ହେଇ ଜୀଇବାଟା ଯଦି ଜୀବନ ତେବେ ମୁଁ ଜୀଇବି
ଏ ଜୀବନେ ସୁଖ ଲେଖା ନାହିଁ
ଲୁହ ମୋର ବାରମାସୀ,
ହସ କେଉଁ ଅଗନା ଅଗନି ବନସ୍ତର ସୁବର୍ଣ୍ଣ ମିରିଗ କଥା
ସ୍ବପ୍ନ ଦେଖିବାକୁ ଆଖି କାହିଁ
ମୁଁ ଏବେ ଜଳୁଛି ,
ତୁମେ ଏବେ ଉଡାଇପାର ପତିତପାବନ
ଦେଖିପାର ମୋ ଜ୍ବଳନର ଦହନ
ମୁଁ ଖାଲି ଜଳିଜଳି ଯାଏ
ଜଳିଯାଏ ମୋ ଦେହ,ମୋ ମନ
ମୋ ଆକ୍ତାମାକ୍ତା ପୁରୁଷତ୍ବ , ମୋ ଅଫେରା ଯୌବନ
ଜଳିଜଳି ମୁଁ ଚିତାଭସ୍ମ ହେବି
ସେ ଭସ୍ମ ନଦୀରେ ମିଶିବ
ହେ ! ନା ଏ ଜ୍ଵଳନ ମରଣ ଜ୍ଵଳନ ନୁହେଁ
ସେଥିପାଇଁ ପରା ମୁଁ ଏଠି ଜିଇ ଥାଉଥାଉ
ଜଳିଜଳି ନିତି ଅକାରଣେ ମରିଯାଏ