ସମୟ
ସମୟ
ସବୁକିଛିକୁ ସଅଁପି ନୂଆ କରି ଆରମ୍ଭ କରୁଥିବା -
ଠୁକୁ ଠୁକୁ ହେଇ ଚାଲିବା ଶିଖୁଶିଖୁ ,
ଜୀବନ ଶିଖାଇଲା ବଞ୍ଚିବାର କଳା -
କୌଶଳର ଅଦ୍ଭୁତ ପ୍ରୟୋଗ
ସେଇଠୁ ଆରମ୍ଭ ଯେତେ ଯାବତୀୟ ଅବଶୋଷ
ପ୍ରାପ୍ତି - ଅପ୍ରାପ୍ତି ମିଛ ନାଟକର ମଞ୍ଚସ୍ଥ ସଂଳାପ ,
ପିତା - ପୁତ୍ର , ସ୍ବାମୀ - ସ୍ତ୍ରୀ ଅଥବା -
ଅନ୍ୟ ଚରିତ୍ର ମାନଙ୍କର ମଧୁର ମିଥ୍ୟା ଗଳ୍ପ
ପାକୁପାକୁ ପାଟିରେ ମା ମା ବୋଲି ଡାକ ଦେଉଦେଉ ,
ନିଇତି ଅଝଟ କରୁକରୁ ଚାଟଶାଳୀ ପାଠ ରହିଗଲା
ଗାଁ ବାବନ ଅବଧାନ ପାଖରେ ,
ଜାତକ ଲେଖି ହାତରେ ଧରାଇ ଦେଲା ଯେବେ -
ଭବିତବ୍ୟ ଲେଖା ହେଇଗଲା ପଟାଏ ତାଳ ପତ୍ରରେ
ଅଟକିନି ଘଣ୍ଟାର କଣ୍ଟା କେବେ ,
ନୀରବ ହେବା ଆଗରୁ ଅନ୍ଦାଜା ଦିଏ
କାହାର ସେଦିନ ପହରେ ଘଣ୍ଟାଟା ହଜିଗଲା ,
ତା ବାପା ଚାଲିଗଲା ବୋଲି ଆର ପାରିକୁ ,
ସେଇ ଦିନଠୁ ସେ ଚୁପ୍ ହେଇ ଯାଇଛି
ଅପେକ୍ଷା କରିଛି ତା ବାପାର ଫେରିବା ବାଟକୁ
ଘଣ୍ଟାର ନିର୍ଦ୍ଦେଶରେ କେହିଜଣେ ବିଛଣାକୁ ଯାଏ ,
ଥଣ୍ଡା ଥଣ୍ଡା ଲୋଚାକୋଚା ବିଛଣାରେ ପରସ୍ତେ
ଧୂଳି ଶୋଇରହିଥାଏ ଅନେକ ଦିନରୁ
କ୍ୟାଲେଣ୍ଡର ଚିରିଯାଏ ମୋ ହାତ ସ୍ପର୍ଶରେ ,
ସେଥିପାଇଁ ବୋଧେ ରାତି ହୁଏ ମୋ ହାତ ଘଡିରେ
ସକାଳ ହୁଏ ମୋ ମୋବାଇଲ ର ଆଲାର୍ମରେ ,
ତଥାପି ସମୟ ତାର ଚିରାଚରିତ ଗତିରେ ,
ଆପଣା ଲକ୍ଷ ପଥରେ ଖୁବ୍ ଜୋରରେ ଧାଇଁଥାଏ