ଅପହଞ୍ଚ
ଅପହଞ୍ଚ
ଆଜି ପୁଣି ଇଛା ହେଉଛି
ପହଂଚି ବାକୁ ସେଇ ପୁରୁଣା
ସମ୍ପର୍କ ପାଖରେ
ଯେଉଁଠି ବିତିଥିଲା ମୋର
ବାଲ୍ୟଧୂଳି ଖେଳ
ଯାହାର ଆଙ୍ଗୁଳି ଧରି ପୃଥିବୀରେ
ପାଦ ଥାପିଥିଲି,
ଯିଏ ମୁଣ୍ଡ ଉପରେ ଥିବା ଶୁନ୍ୟତାକୁ
ଆକାଶ ବୋଲି ଶିଖାଇଥିଲା
ପାଦ ଥାପିଥିବା ଭୂମିକୁ
ଧରିତ୍ରୀ ବୋଲି କହିଥିଲା
ସଂସାରର ଆହୁରି ଅନେକ ସହିତ
ପରିଚିତ କରିଥିଲା ।
ତା'ରି କାନ୍ଧରେ ଭରା ଦେଇ ବଡ ହୋଇଥିଲି
ତା'ରି ପଣତକୁ ଅଳି ଅଝଟର ଲୁହ
ସିଙ୍ଘାଣିରେ ଭିଜାଇ ଦେଉଥିଲି।
ତା' ମନାକରା ରାସ୍ତାରେ ଚାଲିଲି ବୋଲି ପର ହୋଇଗଲି,
ପର ନୁହେଁ ସାତ ପର ହୋଇଗଲି।
ଭାବିଥିଲି ଫୁଲର ସହରେ
ପାଦ ଥାପିଛି
ହେଲେ କଣ୍ଟାରେ ଅଟକି ଗଲି
ଜୀବନ ମରୁର ଭୟଙ୍କର ଝଡ଼ରେ
ଦିଗହରା ହୋଇଗଲି।
କେଉଁ ଅସତର୍କ ମୁହୂର୍ତ୍ତରେ
ତମ ହାତ ମୁଠାରୁ ଆଙ୍ଗୁଳି
ଖସେଇ ଦେଲି ଯେ
ପୁଣି ଖୋଜି ଚାଲିଛି ସେହି ଅପହଞ୍ଚ
ସ୍ନେହର ପଣତ
ପୋଛିବାକୁ ପଶ୍ଚାତାପର ଲୁହ ।
