ବଇଁଶୀ ତୁ ଆଉ ବଜାନା କାହ୍ନା
ବଇଁଶୀ ତୁ ଆଉ ବଜାନା କାହ୍ନା
ବଇଁଶୀ ତୁ ଆଉ ବଜାନାରେ କାହ୍ନା
ରାଧା ରାଧା ବୋଲି ଡାକେନା ଆଉ
ଯମୁନା କୂଳରେ କଦମ୍ବ ମୂଳରେ
ବସି ବସି କିଆଁ ଅଧୀର ହେଉ I
ଶାଶୂ ନଣନ୍ଦରେ ଘର ମୁଁ କରିଛି
ନନ୍ଦପୁଅ କଣ ପାସୋରି ଦେଲୁ
ତୋ ବଇଁଶୀ ସ୍ୱରେ ରାଧା ରାଧା ଡାକି
ସବୁବେଳେ ମୋତେ ଅଥୟ କଲୁ I
କାହିଁକି ବୁଝୁନୁ କଳାକାହ୍ନୁ ମୋର
ତୋତେ ମୁଁ ଚିନ୍ତୁଛି ଦିବସ ନିଶି
ତୋ ବଇଁଶୀ ସ୍ୱର କାନେ ପଡିଗଲେ
ତୋ ରୂପ ଆଖିରେ ଯାଉଛି ନାଚି I
ବଇଁଶୀ ତୁ କାହ୍ନୁ ବଜାନିରେ ଆଉ
ଉଚ୍ଚାଟ କରନି ମନକୁ ମୋର
ଜାଣିନୁ କି ମୋର ମନ ତୋ ପାଖରେ
ଦେହଟା ଏଠାରେ ହୁଏ ଅସ୍ଥିର I
ଅପବାଦ ପାଇଁ ଡରନାହିଁ ମୋର
ରହିଯା ଟିକେ ମୋ କାଳିଆ ସୁନା
ଯାଉଛି ତୋ ପାଶେ ଯମୁନା ତଟକୁ
ପାଣି ଆଣିବାର କରି ବାହାନା I
ତୁ ମୋ ପ୍ରାଣଧନ ଜୀବର ଜୀବନ
ନନ୍ଦରାଜା ପୁଅ କଳା କହ୍ନେଇଁ
ସବୁ ପରିଚୟ ଭୁଲି ମୁଁ ଯାଇଛି
ତୁ' ମୋ କଳାକାହ୍ନା ମୁଁ ତୋର ରାଈ I
