STORYMIRROR

Satyabati Swain

Classics

4  

Satyabati Swain

Classics

ଜୀବନ ତୋର କେତେ ରଙ୍ଗ

ଜୀବନ ତୋର କେତେ ରଙ୍ଗ

1 min
279

ସକାଳ ସୁନେଲି ଖରା ପୋଉଥିଲା ଶୈଶବ

ଅବୋଧ, ଅବୁଝା,ନିଷ୍କପଟ 

ପବିତ୍ର ସ୍ୱଚ୍ଛ ଜଳ ପରି

ଅହଂ ମୁଁ ତୁ ରୁ ବହୁ ଉର୍ଦ୍ଧେ

ଅଳ୍ପକେ ସନ୍ତୁଷ୍ଟ ସୁନ୍ଦର ହୃଦ

ଖୁସିରେ ଫାଟି ପଡୁଥିବା ମନ

ଅଣ ଲେଉଟା ଅଫେରା ଦିନ।


ଦର୍ପଣରେ ମୁହଁ ଦେଖି

ଖତେଇ ହେଉଥିଲା କୈଶୋର

ଅନେକ ପରିବର୍ତ୍ତନର ବିସ୍ମୟ

ଏବଂ କୋମଳ ଜିଜ୍ଞାସାରେ

ଆକ୍ତା ମାକ୍ତା 

ଅଜବ ସ୍ୱପ୍ନ ଦେଖା

ନିଦୁଆ ଚଗଲା ବୟସ।


ଉଡାଡାହାଜରେ ଉଡୁଥିଲା ଯୌବନ

ମେଘକୁ ଛୁଇଁବ ସୂର୍ଯ୍ୟ ପାଖେ ପହଂଚିବ

ଚନ୍ଦ୍ରରେ ଜାଗା ଖଣ୍ଡେ ପକେଇବ

ମଙ୍ଗଳରେ ଘର କରିବ

ବିପରୀତ ଲିଙ୍ଗ ପ୍ରତି ଆଶକ୍ତିରେ

ବାଟ ବଣା ଉଡାଣ ଭରୁଥିବା

ସୁନା ହରିଣ ଇପ୍ସାରେ ଡହଳ ବିକଳ

କାମିନୀ କାଞ୍ଚନ ପାଇଁ ଲାଳାୟିତ

ପାଦ ଖସା ଶିଉଳି ବାଟରେ

ଅମାନିଆଁ ଚଢ଼େଇ।


ସିଂହାସନେ ରାଜା ପୌଢ଼ତ୍ୱ

ମାପିଚୁପି ହିସାବ ଖର୍ଚ୍ଚ

ଜମା ପୁଞ୍ଜିରେ 

ଗୋଟେ ପରେ ଗୋଟେ ଶୂନ

ବଢ଼େଇବା ପଛେ ଧାଇଁବା

ମୋ ପିଲା ମୋ ଘର

ସବୁ ମୋର

ସଭିଏଁ ଭଲ ହେବେର

ମହୁଲି ନିଶା।


ସ୍କୁଲ ଛୁଟି ଘଣ୍ଟା ବାର୍ଦ୍ଧକ୍ୟ

ବହଳେ ଅନ୍ଧାର

ଅଚଳି ପାଞ୍ଚଶହ ନୋଟ

ଭଙ୍ଗା ଖତ ଖିଆ ଗାଡି ପରି

ଅଲୋଡା ଅଖୋଜା

ମହା ଯାତ୍ରା ଅପେକ୍ଷାରେ

ତିନି ମୁଣ୍ଡିଆ

ନିହାତି ଅସହାୟ, ବିବଶ

ଲୋଚା ମୋଚା ଧୁଡୁ ଧୁଡୁ ଚର୍ମ

ଛଅ ଖଣ୍ଡ କାଠର ଶବାରୀ 

ମୁଠେ ପାଉଁଶ

ମଶାଣୀ ଖଜୁରୀ ଗଛ ମୂଳେ

ଅସ୍ତିତ୍ୱ ଉଡୁଥାଏ ।


ରାଈ ଶୀତଳା

ହଳଦିଆ କପଟାରେ

ଯୁଇ ଡାଙ୍ଗେ ପୋତା

ଅସ୍ଥି ତେଲ କାଚ ଭିତରେ ବନ୍ଦ

ଜଣେ ମଣିଷ

ଶବ ହୋଇ ପୋତା ହୁଏ

ବାଡ଼ି ପଛ ପଟେ।

ରେ ଜୀବନ ତୋର 

ସତରେ କେତେ ରଙ୍ଗ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics