ଦରିଦ୍ର ଭଞ୍ଜନୀ ମା ଗୋ କମଳିନୀ
ଦରିଦ୍ର ଭଞ୍ଜନୀ ମା ଗୋ କମଳିନୀ
ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ
କୃପାଦୃଷ୍ଟି ଟିକେ ଥାଉ,
ଶ୍ରେଷ୍ଠ ଦୁଃଖ ସେ ତ ଅନ୍ନ ବସ୍ତ୍ର କଷ୍ଟ
ତୋ ଅଭୟେ ଘୁଞ୍ଚିଯାଉ।
ନିହାତି ଗରୀବ ବ୍ରାହ୍ମଣ ବୋଲି ତ
ନିଷ୍ଠା,ଶୌର୍ଯ୍ୟ ଗୁଣ ଦେଖି,
ଅଶ୍ୱତ୍ଥ ମୂଳରୁ ତା ପାଖେ ରହିକି
ତା' ଦୁଃଖ ଦେଲୁ ଉପେକ୍ଷି।
ଶୀଳା ନାମେ ନାରୀ ଅତି ହିଁ ଚତୁରୀ
ସଦା ଭକ୍ତି ହୃଦେ ଭରି,
ଜପ, ତପ ପୂଜା ନିଷ୍ଠା, ପବିତ୍ରତା
ଦାରିଦ୍ର୍ୟ ତା ନେଲା ହରି।
ପତି ତା ଅଧିକ ଧନ ଲୋଭେ ମତ୍ତ
ଦେଇଣ ଅନ୍ୟାୟୀ ହେଲା,
ମଦ ମାତ୍ସର୍ଯ୍ୟରେ ଦିନ କାଟିବାରେ
ଅର୍ଜିତ ସଂପତ୍ତି ଗଲା।
ଧର୍ମରେ ବିଶ୍ୱାସ ତଥାପି ଅତୁଟ
ରଖିଥିବାରୁ ସେ ମନେ,
କ୍ଷୀରାବ୍ଧି ତନୟା ମାଗୋ ପଦ୍ମାଳୟା
ଉଭା ହୋଇଲୁ ସଘନେ।
ବତାଇଲୁ ସୂତ୍ର ଦୁଃଖ ହେବ ଦୂର
ଏକୋଇଶି ଶୁକ୍ରବାରେ,
ଅସଜଡା ଘର ସଜାଡିଦେଲା ସେ
ଉଦ୍ୟାପନ ସହକାରେ।
ନାସ୍ତିକ ସ୍ୱାମୀକୁ ପ୍ରସାଦ ମାଧ୍ୟମେ
ବଦଳାଇ ଦେଲା ମନ,
ତୋ କୃପା କିଞ୍ଚିତେ ପାଇ ସେ ହରଷେ
ସୁଖରେ କାଟିଲା ଦିନ।
ରୂପରେଗୁଣରେ ଶାଶୁ ଶ୍ୱଶୁରରେ
ସାନବୋହୁ ସେ କରୁଣା
ଗୃହଲକ୍ଷ୍ମୀ ହୋଇ ବହୁକଷ୍ଟ ପାଇ
ମନଟା କରେନି ଊଣା
ବଡଯାଆ ତାର ଅସହିଷ୍ନୁ ହୋଇ
ଘରୁ କଲା ବିତାଡିତ,
ଏତାଦୃଶ ଦୁଃଖ ଦେଖି ତୁଲୋ ମାତ
ପ୍ରସନ୍ନରେ ଉପସ୍ଥିତ।
କିଛି କ୍ଷୀର ନୀର ଅଶ୍ୱତ୍ଥ ମୂଳ
ଢାଳିବାକୁ ଶନିବାର,
କହି ଅନ୍ତର୍ଦ୍ଧାନ ତୋ ଆଜ୍ଞାପାଳନ
କଲାତୋ କୁହା ବିଧି ପ୍ରକାର।
ଧନ ବଇଭବ ବଢିଲା ସମ୍ପଦ
ସମସ୍ତେ ଆସିଲେ ଫେରି,
ମହତ ଗୁଣରେ କ୍ଷମାକୁ ଆଚରି
ତୋତେ କରିଲା ଗୁହାରୀ।
ଧନ ରାଜ୍ୟ ଚ୍ୟୁତ ନିଜ ଇନ୍ଦ୍ରପଦ
ହେବାରୁ ତୋ କୋପଦୃଷ୍ଟି,
ତୋ କବଚ ପଢି ତୋ, ସ୍ତୁତି କରି
ହୋଇଲା ତା ପଦ ପ୍ରାପ୍ତି।
ସ୍ୱାମୀ ଦେଢଶୂର କଲେ ଅନାଦର
କେତେ ଯେ ଭୋଗିଲେ ଦୁଃଖ,
ଟେକି ଦେଲୁ ଅନ୍ନ କାଳୀୟଗଞ୍ଜନ
ଚୂର୍ଣ ଅହଙ୍କାର ଭାବ।
କୋଟି ବ୍ରହ୍ମାଣ୍ଡର ଅନ୍ନ ପଡିଦାତ୍ରୀ
ତୁ ଯେ ସଂସାର ପାଳିନୀ
ତୋର କୃପା ବଳେ ଅଛି ମୁଁ ସଂସାରେ
ଦାରିଦ୍ର୍ୟ ଭଞ୍ଜନୀ ଦେବୀ କମଳିନୀ।