STORYMIRROR

padmaja pati

Classics

4  

padmaja pati

Classics

ସମର୍ପଣ

ସମର୍ପଣ

1 min
380


ଯନ୍ତ୍ରଟିଏ ମୁଁ କେବଳ ତୁମର

ମୋ ଭିତରେ କର ବାସ

ରହିଛ ଗୁପତେ, ପରା ପ୍ରକୃତି ହେ

ପରମାତ୍ମା! ପରମେଶ ।

ନଶ୍ଵର ଶରୀର ହୋଇଯାଉ ଲୀନ

ନ ରହୁ କିଛି ତଫାତ

ତୁମ ଦିବ୍ୟ ଭାବେ ,ଯାହା ଅବିଚଳ

ହୁଏ ମୁଁ ମହିମାନ୍ଵିତ ।

ଅରପି ଦେଇଛି ମନଟିକୁ ମୋର

କରିବାକୁ ବିକଶିତ

ହେବ ଜ୍ୟୋତିର୍ମୟ ତୁମରି ପରଶେ

ପ୍ରତି କୋଣ ଆଲୋକିତ ।

ଇଚ୍ଛା ବୋଲି ମୋର କିଛି ବି ନ ରହୁ

ହେଉ ସେ ତୁମ ଖେଳନା

ମୋ ସମ୍ପଦ ବୋଲି ଭାବିବାର ପାଇଁ

ନ ରହୁ ,କରେ କାମନା।

ଅପ୍ରକାଶ୍ୟ ଆଉ ରହସ୍ୟମୟ ବି

ତୁମ ସହିତ ମିଳନ

ହେଉ ଏକାକାର ମନ, ପ୍ରାଣ ସହ

ତୁଚ୍ଛ ମାନ,ଅଭିମାନ।

ମୋ ହୃଦୟ ସଦା ହେଉ ସ୍ପନ୍ଦିତ

ବିଶ୍ଵ ସ୍ପନ୍ଦନର ସାଥେ

ତୁମ ପ୍ରେମ ଧାରା ହେଉ ବିଚ୍ଛୁରିତ

ଚଳାଇବ ଯେଉଁ ପଥେ।

ଦେହଟି ମୋହର ପୃଥିବୀର କାର୍ଯ୍ୟ

ସାଧନାରେ ହେଉ ରତ

ବିପୁଳ ଆନନ୍ଦ ଶିରା,ପ୍ରଶିରା ଓ

ସ୍ନାୟୁରେ ମୋ ପ୍ରବାହିତ।

ମୋର ଚିନ୍ତା ଯେତେ ହୋଇ ଯାଉ ପୁଣି

ଜ୍ୟୋତିର ସରମା ସୁଖେ

ତୁମ ଶକ୍ତି ବଳେ ହୁଏ ଶକ୍ତିମାନ

ଆନନ୍ଦ, ଉଲ୍ଲାସ ମୁଖେ ।

ଆତ୍ମାକୁ ମୋହର ଧରି ରଖ ପ୍ରଭୁ

ଶାଶ୍ଵତ କାଳ ପାଇଁ

ସବୁ ରୂପ ମଧ୍ୟେ ଦେଖେ ମୁଁ ତୁମକୁ

ଜୀବାତ୍ମାକୁ ଯାଏ ଛୁଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics