ଉଇଟିଏ ମୁଁ
ଉଇଟିଏ ମୁଁ
କାହା ପାଇଁ ଅପକାରୀ ଜୀବଟିଏ
କାହା ପାଇଁ ଉପକାରୀ
ସବୁ ଜୀବ ପରି ଏ ସୃଷ୍ଟିର ମୁହିଁ
ନୁହେଁ କାହାର ବଇରୀ l
ମାଟି ଯେଉଁଠାରେ,ଅଛି ମୁଁ ସେଠାରେ
ଜଙ୍ଗଲର କରେ ହିତ
ଅଳପ ଟିକିଏ ବରଷା ହୋଇଲେ
ଶୁଖିଲା ପତ୍ର ଖାଏ ତ l
ଜଙ୍ଗଲର ନିଆଁ ରୋକିଥାଏ ମୁହିଁ
ଏ କଥା ହେଜ ମନରେ
ଡାଳ,ପତ୍ର ଯାହା ଶୁଖିଥାଏ ତାକୁ
ଖାଏ ଅତି ସହଜରେ l
ଗବେଷଣା ପାଇଁ ମୁଁ ବି ଆବଶ୍ୟକ
ଅନ୍ୟ ଜୀବଜନ୍ତୁ ପରି
ଘର ଗଢ଼ା ମୋର ଦେଖି ଆଚମ୍ବିତ
ଥଣ୍ଡା ତା ' ଭିତର ଭାରି l
ମୁଁ ବି ପରିଶ୍ରମୀ ପିମ୍ପୁଡିଟି ପରି
ପାଏ ନା କିନ୍ତୁ ଆଦର
କୋମଳ ଦେହ ମୋ ଫଟାଇ ମାଟିକୁ
କରଇ ତାକୁ ଉର୍ବର l
ହାଲୁକା କରଇ ଖୋଳି ଖୋଳି ତାକୁ
ସାହାଯ୍ୟ କରେ ଚାଷୀକୁ
ଭୁପୃଷ୍ଠ ଜଳ ବି ହୁଅଇ ସଞ୍ଚିତ
ରୋକେ ମୃତ୍ତିକା କ୍ଷୟକୁ l
ସାମାଜିକ ପ୍ରାଣୀ ମଧ୍ୟେ ହୁଏ ଗଣା
ଘେନି ବନ୍ଧୁ, ପରିବାର
ରହିଥାଏ ସଦା ଅତି ଆନନ୍ଦରେ
ନୁହେଁ କେହି ମୋର ପର l
ସ୍ଥଳ, ଜଳ ଖାଦ୍ୟ ଶୃଙ୍ଖଳର ଅଂଶ
ରୂପେ ମୁଁ ପରିଗଣିତ
ଭାଲୁ ଆଦି କେତେ ପ୍ରାଣୀଙ୍କର ଖାଦ୍ୟ
ମୋ ବଂଶଧର ବହୁତ l.
ଖାଇବାକୁ ଅଣ୍ଡା ମାଛ ପାଏ ଭଲ
ବୋଲି ତାକୁ ଧରିବାକୁ
ନିଅଇ ଧରାଳି ଖୋଳି ମୋର ହୁଙ୍କା
ଡରେ ମୁଁ ଦେଖିଲେ ତାକୁ l
ମଣିଷ ସମାଜ କହେ ନଷ୍ଟକାରୀ
ମାରଇ ବଂଶ ମୋହର
ଅଣଦେଖା କରି ନ ଦିଏ ଗୁରୁତ୍ୱ
କରିଲେ ବି ଉପକାର l
ଅସାବଧାନତା ହେତୁ ମଣିଷର
ଲୁଗାପଟା କରେ ନଷ୍ଟ
ଖାଇଯାଏ ବହିପତ୍ର,ନଡ଼ା, କୁଟା
ଦିଏ ତା' ମନରେ କଷ୍ଟ l
ଖାଦ୍ୟ ଯାହା ମୋର ଖାଇଥାଏ ତାହା
କି ଅବା ଦୋଷ ମୋହର
ଜିନିଷପତ୍ରକୁ ସଜାଡି ନ ରଖି
ହୁଅଇ ସେ ନାରଖାର l
ପରିବେଶ ସନ୍ତୁଳନ ପାଇଁ ଆବଶ୍ୟକ
ଯେତେ ଜୀବ ଆତଯାତ
ମୁଁ ବି ଦରକାରୀ ମୋ ବିନା ଅଧୁରା
ଝୁରିବ ଜୀବଜଗତ l
